କବାଟବନ୍ଧ: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ତାଳଜଙ୍ଗ ପଞ୍ଚାୟତର ବଳରାମପୁର ଉପରଗଡ଼ ପାହାଡ଼ ଉପରେ ୬ ଶହ ବର୍ଷ ହେଲା ରଥଯାତ୍ରା ପାରମ୍ପରିକ ରୀତିନୀତି ଅନୁସାରେ ଅନୁଷ୍ଠିତ ହୋଇଆସୁଛି। ୧୩୩୧ ଖ୍ରୀଷ୍ଟାବ୍ଦରେ ଏଠାରେ ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ ହୋଇଥିଲା। ଏହାପରଠାରୁ ବଳରାମପୁରଗଡ଼ ରାଜା ସାହେବ ରଘୁନାଥ ଧୀର ବୀରବର ହରିଚନ୍ଦନ ପ୍ରଥମେ ପାହାଡ଼ ଉପରେ ରଥଯାତ୍ରା ଆରମ୍ଭ କରିଥିଲେ। ବଳରାମପୁରଗଡ଼ ରାଜାଙ୍କର ୩୧ ପୁରୁଷ ପରେ ରଥଯାତ୍ରା ଆରମ୍ଭ ହୋଇଥିଲା। ମଝିରେ ମୋଗଲ ଆକ୍ରମଣ ସମୟରେ କିଛିବର୍ଷ ରଥଯାତ୍ରା ବନ୍ଦ ରହିଥିଲା ବୋଲି ରାଜପରିବାର ସୂତ୍ରରୁ ଜଣାଯାଇଛି। ଏବେ ରାଜାଙ୍କର ୪୮ ପୁରୁଷ ଚାଲିଛି।
ବର୍ତ୍ତମାନ ରାଜା ପ୍ରବୀର ଚନ୍ଦ୍ର ଧୀର ବୀରବର ହରିଚନ୍ଦନ ପ୍ରତିବର୍ଷ ରଥଯାତ୍ରାକୁ ଆସି ଛେରାପହଁରା କରୁଛନ୍ତି। ସମୁଦ୍ର ପତ୍ତନର ୩ ଶହ ମିଟର ଉପରେ ଥିବା ଏହି ପାହାଡ଼ ଉପରେ ହେଉଥିବା ରଥଯାତ୍ରାର ଏକ ସ୍ବତନ୍ତ୍ର ପରମ୍ପରା ରହିଛି। ଇଂରେଜ ଅମଳରୁ ରହିଥିବା ଏହି ପରମ୍ପରାରେ ପୁରୀ ରଥଯାତ୍ରାର ସେନାପଟା ଲାଗିବା ପରେ ହିଁ ଏଠାରେ ଯାତ୍ରା ଆରମ୍ଭ ହୁଏ। ବ୍ରିଟିସ ଅମଳରୁ ପୁରୀରୁ ଟେଲିଗ୍ରାମ୍ ମାଧ୍ୟମରେ ଜେନାପୁର ଡାକଘରକୁ ବାର୍ତ୍ତା ଆସିବା ପରେଯାଇ ବଳରାମପୁରଗଡ଼ରେ ଶ୍ରୀଜିଉମାନଙ୍କ ପହଣ୍ଡି ଆରମ୍ଭ ହୋଇଥାଏ।
୧୯୩୧ ମସିହାରେ ଏଠାରେ ପ୍ରଥମେ ନବକଳେବର ଆରମ୍ଭ ହୋଇଥିଲା। ଶେଷଥର ୨୦୧୫ ମସିହାରେ ନବକଳେବର ହୋଇଥିଲା ବୋଲି ଜଗନ୍ନାଥ ସଂସ୍କୃତି ଗବେଷକ ଅଜୟ କୁମାର ଧୀର ‘ସମ୍ବାଦ’କୁ ସୂଚନା ଦେଇଛନ୍ତି। ପାହାଡ଼ ଉପରେ ରଥଯାତ୍ରା ଯାଜପୁର ଜିଲ୍ଲାର କେବଳ ବଳରାମପୁର ଗଡ଼ରେ ହିଁ ହୋଇଥାଏ। ସେଥିପାଇଁ ପ୍ରତିବର୍ଷ ବିଭିନ୍ନ ଅଞ୍ଚଳରୁ ଶତାଧିକ ଜଗନ୍ନାଥ ପ୍ରେମୀ ଏହି ରଥଯାତ୍ରା ଦେଖିବାକୁ ଏଠାକୁ ଆସିଥାନ୍ତି। ବିନା ସରକାରୀ ସହାୟତାରେ ଗ୍ରାମବାସୀ ଏହି ଆୟୋଜନ କରିଆସୁଛନ୍ତି। ଦେବୋତ୍ତର ବିଭାଗ ସହଯୋଗ କଲେ ଏହି ରଥଯାତ୍ରା ଆହୁରି ଆକର୍ଷଣୀୟ ହୋଇପାରନ୍ତା ବୋଲି ଗ୍ରାମବାସୀ ମତ ଦେଇଛନ୍ତି।