ଭୁବନେଶ୍ବର: ଆପୋସ ଆଲୋଚନା ମାଧ୍ୟମରେ ମହାନଦୀ ବିବାଦର ସମାଧାନ ପାଇଁ ଓଡ଼ିଶା-ଛତିଶଗଡ଼ ରାଜି ହେବା ପରେ ଓଡ଼ିଶା ସରକାର ପ୍ରକ୍ରିୟାକୁ ଜୋର୍‌ଦାର କରିଛନ୍ତି। ନୂଆଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସି ଆର୍‌ ପାଟିଲଙ୍କୁ ଭେଟି ଏ ସମ୍ପର୍କରେ ଆଲୋଚନା କରିଛନ୍ତି। ଦୀର୍ଘ ବର୍ଷ ଧରି ଟ୍ରିବ୍ୟୁନାଲରେ ପଡ଼ି ରହିଥିବା ଏହି ମାମଲାର ତ୍ବରିତ ସମାଧାନ ପାଇଁ ହସ୍ତକ୍ଷେପ ଲୋଡ଼ିଛନ୍ତି। କେନ୍ଦ୍ର ମନ୍ତ୍ରଣାଳୟ ମଧ୍ୟସ୍ଥତା କଲେ ଏହି ବିବାଦର ଶୀଘ୍ର ସମାଧାନ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ଜଣାଇଛନ୍ତି। ମହାନଦୀ ବିବାଦ ପ୍ରସଙ୍ଗକୁ ନେଇ ୨୦୧୮ ମସିହାରୁ ଟ୍ରିବ୍ୟୁନାଲରେ ମାମଲା ଚାଲିଛି। ଗତ ସପ୍ତାହରେ ଟ୍ରିବ୍ୟୁନାଲଙ୍କ ନିକଟରେ ଓଡ଼ିଶାର ଆଡଭୋକେଟ୍‌ ଜେନେରାଲ ଉଭୟ ରାଜ୍ୟ ମଧ୍ୟରେ ଆପୋସ ସମାଧାନ ମାଧ୍ୟମରେ ବିବାଦର ସମାଧାନ ହେବ ବୋଲି ଅବଗତ କରିଥିଲେ। ଗତ ଜୁଲାଇ ୨୫ରେ ମୁଖ୍ୟମନ୍ତ୍ରୀ ନିଜ ଆଡ଼ୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏଙ୍କୁ ଏ ସଂକ୍ରାନ୍ତରେ ଚିଠି ଲେଖିଥିଲେ। କେନ୍ଦ୍ରୀୟ ଜଳ କମିସନଙ୍କ ନେତୃତ୍ବରେ ଏକ ଯୁଗ୍ମ କମିଟି ଗଠନ କରିବାକୁ ଓଡ଼ିଶା ପ୍ରସ୍ତାବ ଦେଇଥିଲା। ଉଭୟ ରାଜ୍ୟର ଜଳସମ୍ପଦ ବିଭାଗର ଅଧିକାରୀ ଓ ବୈଷୟିକ ଅଧିକାରୀ ଥରେ ଏକାଠି ବସିଲେ ମହାନଦୀ ମହାବିବାଦର ଆପୋସ ସମାଧାନ ହୋଇପାରିବ ବୋଲି କୁହାଯାଇଥିଲା। ଓଡ଼ିଶାର ପ୍ରସ୍ତାବକୁ ବିଜେପି ନେତୃତ୍ବାଧୀନ ଛତିଶଗଡ଼ ସରକାର ଗ୍ରହଣ କରିଛନ୍ତି। ଓଡ଼ିଶା ସରକାରଙ୍କ ପ୍ରସ୍ତାବକୁ ଅନୁଧ୍ୟାନ କରାଯାଉଛି ବୋଲି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଗତ ୧ ତାରିଖରେ ଚିଠି ଲେଖି ଜଣାଇଛନ୍ତି।
Advertisment
ନୂଆଦିଲ୍ଲୀରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀଙ୍କ ସହ ଆଲୋଚନା
ଅମିତ ଶାହଙ୍କୁ ବି ସାକ୍ଷାତ କଲେ
୪ କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟି ଓଡ଼ିଶାର ପ୍ରସ୍ତାବ, ଦାବି ଜଣାଇଲେ
ଓଡ଼ିଶାର ଚିଠି ଓ ଛତିଶଗଡ଼ ସରକାରଙ୍କ ପ୍ରତ୍ୟୁତ୍ତରକୁ ଆଧାର କରି ଆଜି ମୁଖ୍ୟମନ୍ତ୍ରୀ କେନ୍ଦ୍ର ମନ୍ତ୍ରୀଙ୍କୁ ଅବଗତ କରିଛନ୍ତି ଯେ ଏହି ପ୍ରସଙ୍ଗର ସମୟଭିତ୍ତିକ ସମାଧାନ ଆମେ ଚାହୁ। ଏହା ଦ୍ବାରା ଉଭୟ ରାଜ୍ୟ ମଧ୍ୟରେ ସମ୍ପର୍କ ସୁଦୃଢ଼ ହେବ, ବିଶ୍ବାସ ବୃଦ୍ଧି ପାଇବ ଓ ଭବିଷ୍ୟତ ପାଇଁ ନୂଆ ବିବାଦର ଆଶଙ୍କା କମିବ। ଆଲୋଚନା ପରେ ସାମାଜିକ ଗଣମାଧ୍ୟମ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ନୂଆଦିଲ୍ଲୀଠାରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସିଆର୍‌ ପାଟିଲଙ୍କ ସହ ମହାନଦୀ ଜଳ ସମସ୍ୟା ଏବଂ ଏହାର ନିରପେକ୍ଷ ଓ ନ୍ୟାୟସଙ୍ଗତ ସମାଧାନ ବିଷୟରେ ଆଲୋଚନା ହୋଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଜି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ମଧ୍ୟ ସାକ୍ଷାତ କରିଛନ୍ତି। ଓଡ଼ିଶାର ଭିଜନ୍‌ ରିପୋର୍ଟ ଅଗ୍ରଗତି ସମ୍ପର୍କରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀଙ୍କୁ ଜଣାଇବା ସହ କହିଛନ୍ତି ଯେ ନକ୍ସଲ ଦମନରେ ଓଡ଼ିଶା ପଛରେ ନାହିଁ। ଏ ସଂକ୍ରାନ୍ତରେ କେନ୍ଦ୍ର-ରାଜ୍ୟ ମଧ୍ୟରେ ଅଧିକ ସମନ୍ବୟ ମାଓବାଦୀଙ୍କୁ ମୂଳପୋଛ କ୍ଷେତ୍ରରେ ଅଧିକ ପ୍ରଭାବୀ ହେବ। ଅଧିକ କମ୍ପାନି ସିଆର୍‌ପିଏଫ୍‌ ଯୋଗାଣ ଓ ମାଓ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ଅଧିକ ଆର୍ଥିକ ସହାୟତା ମାଗିଛନ୍ତି। ୨୦୨୬ ସୁଦ୍ଧା ମାଓବାଦୀଙ୍କୁ ନିପାତ କରାଯିବ ବୋଲି ଶ୍ରୀ ଶାହ ଟାର୍ଗେଟ୍‌ ଦେଇଛନ୍ତି। 
କେନ୍ଦ୍ର ଖାଉଟି କଲ୍ୟାଣ, ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ମୁଖ୍ୟମନ୍ତ୍ରୀ ଭେଟିଛନ୍ତି। ଧାନକିଣା ଟାର୍ଗେଟ୍‌ ଠାରୁ ଆରମ୍ଭ କରି ଚାଉଳ ଉଠାଣ, ଇ-କେୱାଇସି ପର୍ଯ୍ୟନ୍ତ ଏକାଧିକ ପ୍ରସଙ୍ଗ ଆଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀ ଅବଗତ କରାଇଥିଲେ, ୨୦୨୪-୨୫ ବର୍ଷ ଲାଗି କେନ୍ଦ୍ର ସରକାର ଖରିଫରେ ୪୦ ଲକ୍ଷ ମେଟ୍ରିକ୍‌ ଟନ୍‌ ଓ ରବିରେ ୧୦ ଲକ୍ଷ ମେଟ୍ରିକ୍‌ ଟନ୍‌, ଏହିପରି ମୋଟ ୫୦ ଲକ୍ଷ ମେଟ୍ରିକ୍‌ ଟନ୍‌ ଚାଉଳ କିଣିବାକୁ ଅନୁମତି ଦେଇଥିଲେ। କିନ୍ତୁ ରାଜ୍ୟ ସରକାରଙ୍କ ବର୍ଦ୍ଧିତ ଏମ୍‌ଏସ୍‌ପି କାରଣରୁ ଅଧିକ ୧୨.୬୨ ଲକ୍ଷ ମେଟ୍ରିକ୍‌ ଟନ୍‌ ଚାଉଳ ସଂଗ୍ରହ ହୋଇଛି। କେନ୍ଦ୍ର ସରକାର ଏହି ବର୍ଦ୍ଧିତ ଚାଉଳ କିଣିବା ପାଇଁ ସମ୍ମତି ପ୍ରଦାନ କରିବା ଏବେ ଅପରିହାର୍ଯ୍ୟ। ସମ୍ପ୍ରତି ଭାରତୀୟ ଖାଦ୍ୟ ନିଗମ ମାସିକ ୨.୧୫ ଲକ୍ଷ ମେଟ୍ରିକ୍‌ ଟନ୍‌ ଚାଉଳ ଉଠାଣ କରୁଛି। ଏହି ଉଠାଣ ପରିମାଣକୁ ଅଗଷ୍ଟ ମାସରୁ ୪ ଲକ୍ଷ ମେଟ୍ରିକ୍‌ ଟନ୍‌କୁ ବୃଦ୍ଧି କରାଯିବା ଜରୁରୀ ହୋଇପଡ଼ିଛି। ଅନ୍ୟଥା ମିଲିଂ ପ୍ରକ୍ରିୟା ପ୍ରଭାବିତ ହେବ। କେନ୍ଦ୍ର ମନ୍ତ୍ରୀ ଭାରତୀୟ ଖାଦ୍ୟ ନିଗମକୁ ଏ ସଂକ୍ରାନ୍ତ ନିର୍ଦ୍ଦେଶନାମା ଜାରି କରିବାକୁ ସେ ଅନୁରୋଧ କରିଥିଲେ। କେନ୍ଦ୍ର ଭାରୀ ଶିଳ୍ପ ଓ ସାର୍ବଜନୀନ ଉଦ୍ୟୋଗ ଏବଂ ଇସ୍ପାତ ମନ୍ତ୍ରୀ ଏଚ୍‌ଡି କୁମାର ସ୍ବାମୀଙ୍କ ସହ ମଧ୍ୟ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି। ମୋଦୀଙ୍କ ଲୋକାଲ ଫର୍‌ ଭୋକାଲ୍‌କୁ ବଳ ଦେବା ପାଇଁ ସରକାର ଅଣ୍ଟା ଭିଡ଼ିଛନ୍ତି। ଏ ଦିଗରେ ସରକାର ଆବଶ୍ୟକ ପଦକ୍ଷେପ ନେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।