ସୁନ୍ଦରଗଡ଼: ନିଷ୍କପଟ, ସରଳ ଚେହେରାକୁ ନେଇ ଜିଲ୍ଲାରେ ବେଶ୍‌ ଜନପ୍ରିୟ ଥିବା ବରିଷ୍ଠ ଆଦିବାସୀ ନେତା ମଙ୍ଗଳା କିଷାନ ୨୦୨୪‌ରେ ପୁଣିଥରେ ରାଜଗାଙ୍ଗପୁର ବିଧାନସଭା ଆସନରୁ ଲଢ଼ିବାକୁ ମନ ବଳାଇଛନ୍ତି। ଅଧିକ ବୟସ୍କ ନେତାଙ୍କୁ ଆଉ ପ୍ରାର୍ଥୀ ନ କରିବାକୁ ଦଳରେ ମତପ୍ରକାଶ ପାଉଥିଲାବେଳେ ୭୭ ବର୍ଷୀୟ ମଙ୍ଗଳାଙ୍କ ରାଜନୀତି ପାଇଁ ବୟସ ଏକ ମାପକାଠି ନୁହେଁ, ସେ ଏବେ ବି ନିର୍ବାଚନ ଲଢ଼ିବାକୁ ପୂରା ଫିଟ୍‌ ଅଛନ୍ତି ବୋଲି ମତ ଦିଅନ୍ତି। କିନ୍ତୁ ରୋଚକ କଥା ହେଲା, ମଙ୍ଗଳାଙ୍କ ପଥ ଓଗାଳିଛନ୍ତି ତାଙ୍କ ସାନପୁଅ ସୁନୀଲ ବରୁୱା।

Advertisment

ମିଳିଥିବା ସୂଚନା ଅନୁସାରେ, ଭୁବନେଶ୍ବର ଲୋକସେବା ଭବନରେ ଚାକିରି କରୁଥିବା ସୁନୀଲ ଏଥର ବାପାଙ୍କ ବଦଳରେ ଲଢ଼ିବେ ବୋଲି ମନସ୍ଥକରି ଲବି ଲଗାଇଛନ୍ତି। ଏଥିପାଇଁ ସେ ଜିଲ୍ଲା ବିଜେଡିର ଏକ ଗୋଷ୍ଠୀ ମାଧ୍ୟମରେ ନିକଟରେ ୫-ଟି ତଥା ନୂଆ ଓଡ଼ିଶା, ଯୁବ ଓଡ଼ିଶା ଅଧ୍ୟକ୍ଷ ଭି‌.କେ. ପାଣ୍ଡିଆନଙ୍କୁ ଭେଟି ନିଜ ଇଚ୍ଛା ପ୍ରକାଶ କରିଥିଲେ। ସମ୍ପୃକ୍ତ ଗୋଷ୍ଠୀ ମଧ୍ୟ ସୁନୀଲଙ୍କ ସପକ୍ଷରେ ଶ୍ରୀ ପାଣ୍ଡିଆନଙ୍କୁ କହିଥିବା ଏବଂ ଶ୍ରୀ ପାଣ୍ଡିଆନ ତାଙ୍କୁ ଅଞ୍ଚଳକୁ ଯାଇ ଜନସମ୍ପର୍କ ବଢ଼ାଇବାକୁ ପରାମର୍ଶ ଦେଇଥିବା ଶୁଣିବାକୁ ମିଳିଛି। ଏଭଳି ସ୍ଥିତିରେ ମଙ୍ଗଳାଙ୍କ ପୁଣିଥରେ ନିର୍ବାଚନ ଲଢ଼ିବା ଆଶାରେ ସାନପୁଅ ପାଣି ପକାଇଦେବେ ବୋଲି ଚର୍ଚ୍ଚା ଜୋର୍ ଧରିଛି।

ଅନ୍ୟପକ୍ଷରେ, ଗତ ଫେବ୍ରୁଆରି ୧୬ ତାରିଖରେ ମଙ୍ଗଳାଙ୍କୁ ଭୁବନେଶ୍ବରରୁ ଡାକରା ଆସିଥିଲା। ସେ ମଧ୍ୟ ୫-ଟି ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନଙ୍କୁ ‌ଭେଟିଥିଲେ। ଆଲୋଚନା ସମୟରେ ସେ ଲଢ଼ିବାକୁ ଚାହୁଥିବା ପ୍ରକାଶ କରିଥିଲେ। ତେବେ, ବିକଳ୍ପ ଭାବେ ସାନପୁଅ ସୁନୀଲଙ୍କୁ ବାଦ୍‌ଦେଇ ଏଲ୍‌ ଆଣ୍ଡ ଟି କାଂସବାହାଲରେ ଚାକିରି କରୁଥିବା ତାଙ୍କ ବଡ଼ପୁଅ ଅନୀଲ ଓ ଝିଅ ସୁନିତା କିଷାନଙ୍କ ନାମ ଉପସ୍ଥାପିତ ହୋଇଥିଲା ବୋଲି କୁହାଯାଉଛି। ଦଳ ପୁଣିଥରେ ପୁରୁଖାନେତା ମଙ୍ଗଳାଙ୍କୁ ପ୍ରାର୍ଥୀ କରିବ ନା ତାଙ୍କ ଉତ୍ତରାଧିକାରୀ ଭାବେ ପୁଅ ହାତରେ ଟିକଟ ଦେଇ ନିର୍ବାଚନୀ ମୈଦାନକୁ ପଠାଇବ, ତାହା ଅସ୍ପଷ୍ଟ ରହିଛି।