ବେଲପଡ଼ା/ବଲାଙ୍ଗୀର : ଅସାବଧାନତା ଯୋଗୁଁ ବଲାଙ୍ଗୀର ଜିଲ୍ଲା ବେଲପଡ଼ା ବ୍ଲକ୍ ସରମୁହାଣ ପଞ୍ଚାୟତ ଅଏଁଲାଭଟା ଗାଁରେ ଏକ ଅଘଟଣ ଘଣିଛି। ପେଟରେ ବର୍ଚ୍ଛା ପଶିଯିବାରୁ ରାଜୁ ଥନାପତି (୧୫ବର୍ଷ) ନାମକ ଜଣେ ବାଳକ ଗୁରୁତର ଆହତ ହୋଇଛନ୍ତି। ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ଅସ୍ତ୍ରୋପଚାର କରାଯାଇ ତାଙ୍କ ପେଟରୁ ବର୍ଚ୍ଛା କଢ଼ାଯାଇଛି। ଏବେ ସେ ବିପଦମୁକ୍ତ ଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ରବିବାର ସକାଳେ ଅଏଁଲାଭଟା ଗାଁର ରାଜୁ କିଛି କାମ ପାଇଁ ବର୍ଚ୍ଛା ଧରି କ୍ଷେତ ପଟେ ଯାଇଥିଲେ। କୌଣସି କାରଣରୁ ସେ ଦୌଡ଼ୁଥିବା ସମୟରେ ପଡ଼ିଯାଇଥିଲେ ଏବଂ ବର୍ଚ୍ଛାଟି ତାଙ୍କ ପେଟରେ ଭୁସି ହୋଇଯାଇଥିଲା। ଗାଁଲୋକେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ବେଲପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ପରେ ତାଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡ଼ିକାଲ କଲେଜ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତରୀ ଦଳ ଦୁଇଘଣ୍ଟାର ଅସ୍ତ୍ରୋପଚାର ପରେ ରାଜୁଙ୍କ ପେଟରୁ ବର୍ଚ୍ଛା ବାହାର କରିବାରେ ସଫଳ ହୋଇଥିଲେ। ବର୍ତ୍ତାମାନ ରାଜୁଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି। ଆଇସିୟୁ ଭିତରେ ରଖାଯାଇ ଅଧିକ ଚିକିତ୍ସା କରାଯାଉଛି। ଘଟଣା ବାବଦରେ ଅବଗତ ହେବା ପରେ ବେଲପଡ଼ା ତହସିଲଦାର ପ୍ରଶାନ୍ତି ପ୍ରଧାନ ରାଜୁଙ୍କ ଘରକୁ ଯାଇଥିଲେ। ରେଡ୍କ୍ରସ୍ ପାଣ୍ଠିରୁ ୧୫ ହଜାର ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।