ଭୁବନେଶ୍ୱର : ବରିଷ୍ଠ ନାଗରିକଙ୍କ ସ୍ବାସ୍ଥ୍ୟସେବା ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବା ସହିତ ବାର୍ଦ୍ଧକ୍ୟ ରୋଗ ଜନିତ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରର ମେଡିସିନ୍(ଭେଷଜ) ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଜେରିଆଟିକ୍ କେୟାର କ୍ଲିନିକ୍ ସେବା ଆରମ୍ଭ ହୋଇଛି। ପ୍ରତି ମଙ୍ଗଳବାର ଅପରାହ୍ନ ୨ ଟାରୁ ୫ ଟା ପର୍ଯ୍ୟନ୍ତ ଏହା କାର୍ଯ୍ୟ କରିବ। ମେଡିସିନ୍ ବିଭାଗର ଅତିରିକ୍ତ ପ୍ରଫେସର ଡ. ରଶ୍ମି ରଂଜନ ମହାନ୍ତି ଏହାର ମୁଖ୍ୟ ଭାବେ କାର୍ଯ୍ୟ ତୁଲାଉଛନ୍ତି। ଏହି କ୍ଲିନିକ୍ ମାଧ୍ୟମରେ ବରିଷ୍ଠ ନାଗରିକଙ୍କର ମଧୁମେହ, ଉଚ୍ଚ ରକ୍ତଚାପ, ମୋଟାପଣ, କୋଷ୍ଠକାଠିନ୍ୟ, ସିଓପିଡି, ବିଭିନ୍ନ ହୃଦ୍, ବୃକକ୍ ଏବଂ ମାନସିକ ରୋଗ ଭଳି ବିଭିନ୍ନ ସମସ୍ୟାର ସମାଧାନ କରାଯାଇ ପାରିବ ବୋଲି ଡ. ମହାନ୍ତି ସୂଚନା ଦେଇଛନ୍ତି।
ବରିଷ୍ଠ ନାଗରିକଙ୍କ ସ୍ବାସ୍ଥ୍ୟସେବାକୁ ଆଦୌ ଅଣଦେଖା କରିବା ଉଚିତ୍ ନୁହେଁ ବୋଲି କୋଭିଡ୍ ମହାମାରୀ ସମୟରେ ଏହା ସ୍ପଷ୍ଟ ହୋଇଛି। ଆସନ୍ତା ୨୦୩୧ ସୁଦ୍ଧା ଭାରତର ମୋଟ ଜନସଂଖ୍ୟାର ପ୍ରାୟ ୧୩.୧ ପ୍ରତିଶତ ବରିଷ୍ଠ ନାଗରିକଙ୍କ ଦ୍ବାରା ପୂର୍ଣ୍ଣ ହେବ। ତେଣୁ ସେମାନଙ୍କର ଚିକିତ୍ସା ତଥା ସ୍ବାସ୍ଥ୍ୟସେବାକୁ ଏମ୍ସ ଭୁବନେଶ୍ୱର ଗୁରୁତର ସହ ନେଇ ଏପରି ସେବା ଆରମ୍ଭ କରିଥିବା ଏହାର ମୁଖ୍ୟ ଡ. ମହାନ୍ତି କହିଛନ୍ତି। ସହରୀକରଣ ଏବଂ ଜୀବନଶୈଳୀରେ ବ୍ୟାପକ ପରିବର୍ତ୍ତନ ବାର୍ଦ୍ଧକ୍ୟଜନିତ ରୋଗର ଚିକିତ୍ସା କ୍ଷେତ୍ରରେ ଏକ ପ୍ରମୁଖ ଆହ୍ବାନ ପାଲଟିଛି। ଏମ୍ସ ଭୁବନେଶ୍ୱରରେ ଏହି ସ୍ୱତନ୍ତ୍ର କ୍ଲିନିକର ଲାଭ ଉଠାଇବାକୁ ପରାମର୍ଶ ଦିଆଯାଇଛି।