ଦିବ୍ୟାଙ୍ଗଙ୍କୁ ସଚେତନ କରିବ ‘ସଶକ୍ତ ରଥ’

ଭୁବନେଶ୍ୱର : ଦିବ୍ୟାଙ୍ଗଙ୍କ ଅଧିକାର, ସୁରକ୍ଷା ଓ ଆଇନ୍‌ର ପ୍ରଚାର କରିବ ‘ସଶକ୍ତ ରଥ’। ସମଗ୍ର ଓଡ଼ିଶାର ୩୦ ଜିଲ୍ଲାର ୫ହଜାର ୩୦୦ କିଲୋମିଟର ପଥ ଅତିକ୍ରମ କରି ଦିବ୍ୟାଙ୍ଗଙ୍କୁ ସଶକ୍ତ ହେବାର ବାର୍ତା ଦେବ ଏହି ସଶକ୍ତ ରଥ। ସାରା ଓଡ଼ିଶାରେ ଏନେଇ ବ୍ୟାପକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ରାଜ୍ୟର ୧୦୦ ସ୍ଥାନରେ ସଚେତନତା ଧର୍ମୀ ପଥପ୍ରାନ୍ତ ନାଟକ, ଆଲୋଚନାଚକ୍ର, ପ୍ରତିଭା ପ୍ରତିଯୋଗିତା, ଓ୍ଵାଲ୍‌ପେଣ୍ଟିଂ, ବାଲୁକା କଳା ଭଳି ବ୍ୟାପକ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ରାଜ୍ୟର ପ୍ରାୟ ୧୦ ଲକ୍ଷ ଲୋକ ଏହି ଅଭିଯାନରୁ ନିଜର ଅଧିକାର ସମ୍ବନ୍ଧରେ ସଚେତନ ହେବେ। ଓଡ଼ିଶା ଷ୍ଟେଟ୍‌ ଡିସ୍‌ଏବିଲିଟି ନେଟ୍‌ଓ୍ଵର୍କ (ଓଏସ୍‌ଡିଏନ୍‌) ପକ୍ଷରୁ ଏହିଭଳି ଏକ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।

ଏହି ଅଭିଯାନ ମାଧ୍ୟମରେ ପ୍ରାୟ ୫ଲକ୍ଷ ଦିବ୍ୟାଙ୍ଗ ଏଥିରେ ଅଂଶୀଦାର ହୋଇ ନିଜକୁ ସଶକ୍ତ କରିବାରେ ସକ୍ଷମ ହୋଇପାରିବେ। ପୁରୀରୁ ଆସନ୍ତା ୯ ତାରିଖରୁ ଏହି ଅଭିଯାନର ଶୁଭାରମ୍ଭ ହୋଇ ଜୁନ୍‌ ୧୩ ତାରିଖରେ ଭୁବନେଶ୍ୱରରେ ଶେଷ ହେବ। ଏହିଭଳି ଏକ ବ୍ୟାପକ ଅଭିଯାନରେ ଓଡ଼ିଶାର ପ୍ରାୟ ୧୫୦ଶହ ସ୍ୱେଚ୍ଛାସେବୀ ସଂଗଠନ ଏବଂ ଅନ୍ୟାନ୍ୟ ସଂଗଠନ ସାମିଲ୍‌ ହୋଇଛନ୍ତି। ୨୦୧୬ ପରେ ଦିବ୍ୟାଙ୍ଗଙ୍କ ସକାଶେ ଉଦ୍ଦିଷ୍ଟ ପରିବର୍ତିତ ଆଇନ୍‌ ଓ ଅଧିକାର ସମ୍ବନ୍ଧରେ ବାର୍ତା ପ୍ରଚାର ସହ ସେମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ୍‌ କରିବା ପାଇଁ ଏହି ଅଭିଯାନ ସହାୟକ ହେବ ବୋଲି ଏହି ଅଭିଯାନର ଅଧ୍ୟକ୍ଷ ତଥା ସ୍ୱାଭିମାନର ମୁଖ୍ୟ କାର୍ଯ୍ୟନିର୍ବାହୀ ଡ.ଶ୍ରୁତି ମହାପାତ୍ର କହିଛନ୍ତି। ଭାରତୀୟ ବିଦ୍ୟାଭବନ, ରୋଟାରି ଇଣ୍ଟରନ୍ୟାସ୍‌ନାଲ୍‌ ଡିଷ୍ଟ୍‍ ୩୨୬୨, ଏନ୍‌ଓ୍ଵାଇପି, ଏନ୍‌ଏସ୍‌ଏସ୍‌, ୟୁଥ୍‌ ରେଡ୍‌କ୍ରସ୍‌, ବିଜିଭିଏସ୍‌, ଏନ୍‌ଏବି, ଓଏଡି, ଲେପ୍ରସି ନେଟ୍‌ଓ୍ଵର୍କ, ଲେପ୍ରା ସୋସାଇଟି, ପ୍ରଜାପିତା ବ୍ରହ୍ମାକୁମାରୀ, ପ୍ରଜ୍ଞା ମିସନ୍‌ ଭଳି ଅନେକ ସଂଗଠନ ଏହି ଅଭିଯାନରେ ନିଜକୁ ସାମିଲ୍‌ କରିଛନ୍ତି। ଶ୍ରୁତି ମହାପାତ୍ରଙ୍କ ସମେତ, ଭାରତୀୟ ବିଦ୍ୟାଭବନର ଅଧ୍ୟକ୍ଷ ମେଜର ଜେନେରାଲ୍‌ ବସନ୍ତ କୁମାର ମହାପାତ୍ର, ଏନ୍‌ଓ୍ଵାଇପିର ରାଜ୍ୟ ଆବାହକ ମଧୁସୂଦନ ଦାସ, ୟୁଥ୍‌ ରେଡ୍‌କ୍ରସ୍‌ର କଳ୍ପନା ମିଶ୍ର, ରୋଟାରିଆନ୍‌ ଅଜୟ ଅଗ୍ରଓ୍ଵାଲ୍‌, ବିଜୟନ୍ତ ଦାଶ ପ୍ରମୁଖ ଏହି ଅଭିଯାନରେ ସାମିଲ୍‌ ହେବା ସହ ବହୁ ସଂଗଠନ ସାମିଲ୍‌ ହୋଇ ଦିବ୍ୟାଙ୍ଗକୁ ମୁଖ୍ୟ ସ୍ରୋତାରେ ସାମିଲ୍‌ ହେବା ପାଇଁ ରାହା ଦେଖାଇବେ।

ସମ୍ବନ୍ଧିତ ଖବର