ବୁର୍ଲା: ବୁର୍ଲା ଭିମସାର୍‌ର ଅନେକ ବିଭାଗରେ ଡାକ୍ତର ସଂକଟ ଦେଖାଦେଇଛି। ବିଶେଷ କରି ସୁପର୍‌ ସ୍ପେସାଲିଟି ବିଭାଗରେ ଏହି ସମସ୍ୟା ଉଦ୍‌ବେଗଜନକ। ଜଣେ ଲେଖାଏଁ ଠିକାଭିତ୍ତିକ ଡାକ୍ତରଙ୍କ ଦ୍ବାରା ନାଫ୍ରୋଲୋଜି, ପ୍ଲାଷ୍ଟିକ୍ ସର୍ଜରି, ନ୍ୟୁରୋଲୋଜି ଏବଂ ୟୁରୋଲୋଜି ବିଭାଗ ଚାଲିଛି।

Advertisment

ନିୟମ ଅନୁଯାୟୀ କୌଣସି ବିଭାଗର ସୁପରିଚାଳନା ପାଇଁ ସଂପୃକ୍ତ ବିଭାଗରେ ଅତିକମ୍‌ରେ ଜଣେ ପ୍ରଫେସର , ଜଣେ ଆସୋସିଏଟ୍ ପ୍ରଫେସର, ଜଣେ ଆସିଷ୍ଟାଣ୍ଟ ପ୍ରଫେସର ଓ ୨ ଜଣ ଏସ୍‌ଆର୍ ରହିବା ଆବଶ୍ୟକ। ମାତ୍ର ଏଠାରେ ଜଣେ ଡାକ୍ତର ଉଭୟ ବହିର୍ବିଭାଗ ଓ ଅନ୍ତର୍ବିଭାଗ ସହିତ ଅସ୍ତ୍ରୋପଚାର ରୋଗୀଙ୍କୁ ପରିଚାଳନା କରିବାରେ ଭାରାକ୍ରାନ୍ତ ହେଉଛନ୍ତି। ଅପରପକ୍ଷରେ ଅଭିଜ୍ଞ ଡାକ୍ତରମାନେ ଏଠାରେ ଚୁକ୍ତିଭିତ୍ତିକ କାର୍ଯ୍ୟ କରୁଥିବାରୁ ଭଲ ସୁଯୋଗ ମିଳିଲେ ଭିମସାର୍ ଛାଡି ଅନ୍ୟତ୍ର ଯୋଗ ଦେବା ପାଇଁ ଇଚ୍ଛାପ୍ରକାଶ କରୁଛନ୍ତି। ଭିମ୍‌ସାର କର୍ତ୍ତୃପକ୍ଷ ତଥା ରାଜ୍ୟ ସରକାର ଏହି ଚୁକ୍ତିଭିତ୍ତିକ ଡାକ୍ତରଙ୍କୁ ସ୍ଥାୟୀ କରାଯିବା ଦିଗରେ କୌଣସି ପଦକ୍ଷେପ ନେଉନାହାନ୍ତି।

୨୦୧୭ ମସିହାରୁ ଆରମ୍ଭ ହୋଇଥିବା ସୁପର ସ୍ପେସାଲିଟି ବିଭାଗର ନୂତନ କୋଠା ଅଳ୍ପ ଦିନ ମଧ୍ୟରେ ଶେଷ ହୋଇ କାର୍ଯ୍ୟକ୍ଷମ ହେବ ବୋଲି ଆଶା କରାଯାଉଥିବାବେଳେ ଡାକ୍ତର ସଂକଟ ଚିନ୍ତାର କାରଣ ପାଲଟିଛି। ଏ ସଂପର୍କରେ ଭିମସାର୍‌ ଅଧୀକ୍ଷକ ପ୍ରଫେସର ଲାଲ ମୋହନ ନାୟକଙ୍କୁ ପଚାରିବାରୁ ଭିମ୍‌ସାରରେ ଅସ୍ଥାୟୀ ତଥା ଚୁକ୍ତିଭିତ୍ତିକ ନିଯୁକ୍ତି କରାନଯାଇ ଯଦି ନିୟମିତ ପ୍ରକ୍ରିୟାରେ ନିଯୁକ୍ତି ଦିଆଯାଏ ତେ‌ବେ କେବଳ ସୁପର ସ୍ପେସାଲିଟି ବିଭାଗ କାହିଁକି ଅନ୍ୟ କୌଣସି ବିଭାଗରେ ଡାକ୍ତର ସଂକଟ ରହିବ ନାହିଁ।