ବ୍ରହ୍ମପୁର: ଆଜି ଅପରାହ୍‌ଣରେ ଆମ୍ବପୁଆ ଅଂଚଳର ପ୍ରଶାନ୍ତ ସେଠୀ ଏସ୍‌ପିଙ୍କ କାର୍ଯ୍ୟାଳୟ ମୁଖ୍ୟ ଫାଟକ ନିକଟରେ ଦେହରେ କିରାସିନି ଢାଳି ଆତ୍ମାହୁତି ଉଦ୍ୟମ କରିଛନ୍ତି। ତେବେ ସେଠାରେ ‌ନିୟୋଜିତ ଥିବା ପୁଲିସ କର୍ମଚାରୀ ପ୍ରଶାନ୍ତ ଦେହରେ ନିଆଁ ଲଗାଇବା ପୂର୍ବରୁ ତାକୁ କାବୁ କରି ବୈଦ୍ୟନାଥପୁର ଥାନା ପୁଲିସର ଜିମା ଦେଇଥିଲେ। ଆତ୍ମହତ୍ୟା ଉଦ୍ୟମ କରିଥିବା ନେଇ ତାଙ୍କ ବିରୋଧରେ ଥାନାରେ ଏକ ମାମଲା ରୁଜୁ ହୋଇଛି। ପୂର୍ବରୁ ପ୍ରଶାନ୍ତ ନାଁରେ ବିଭିନ୍ନ ଥାନାରେ ୯ଟି ଅପରାଧ ମାମଲା ଥିବା ମଧ୍ୟ ସୂଚନା ମିଳିଛି।

Advertisment

ଏ ସମ୍ପର୍କରେ ଏସ୍‌.ପି ଡା. ଶରବଣା ବିବେକ ଏମ୍.ଙ୍କ ପ୍ରତିକ୍ରିୟା ମୁତାବକ, ୨୦୨୧ ମସିହାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପ୍ରଶାନ୍ତ ଏବଂ ତାଙ୍କ ବାପା କୋରା ସେଠୀଙ୍କୁ ଧାରୁଆ ଅସ୍ତ୍ରରେ ସଂଘବଦ୍ଧ ଆକ୍ରମଣ ହୋଇଥିଲା। ସେଥିରେ କୋରା ସେଠୀଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରଶାନ୍ତ ଗୁରୁତର ହୋଇଥିଲା। ଉକ୍ତ ମାମଲାରେ ପୁଲିସ ୫ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଏହି ମାମଲାରେ ପୁଲିସ କୋର୍ଟରେ ଚାର୍ଜସିଟ୍ ଦାଖଲ କରି ସାରିଥିବା ବେଳେ ଏହାର ବିଚାରଣା ଚାଲିଛି। ଇତି ମଧ୍ୟରେ ୨ଜଣ ଅଭିଯୁକ୍ତଙ୍କୁ ଉଚ୍ଚନ୍ୟାୟାଳୟରୁ ସର୍ତ୍ତମୂଳକ ଜାମିନ୍ ମିଳିଛି। ତେବେ ସେମାନଙ୍କ ଜାମିନ୍ ବାତିଲ୍ କରିବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ କରିବା ଏବଂ ତାଙ୍କ ବାପାଙ୍କ ହତ୍ୟା ମାମଲାରେ ଅନ୍ୟ ଦୁଇ ଜଣ ସମ୍ପୃକ୍ତ ଥିବା ନେଇ ପ୍ରଶାନ୍ତ ଏସ୍‌ପିଙ୍କୁ ଅଭିଯୋଗ କରିଥିଲା। ସେ ଦୁହିଁଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଥିଲା। କିନ୍ତୁ ଯେହେତୁ ମାମଲାର ବିଚାରଣା କୋର୍ଟରେ ଆରମ୍ଭ ହୋଇସାରିଛି, ତେଣୁ ଉପଯୁକ୍ତ ଫୋରମ୍‌ରେ ଯାଇ ଆବେଦନ କରିବାକୁ ତାକୁ ଏସ୍‌ପି ପରାମର୍ଶ ଦେଇଥିଲେ।

କୋର୍ଟ ନିର୍ଦ୍ଦେଶ ପ୍ରକାରେ ପୁଲିସ ଆବଶ୍ୟକ ପଦକ୍ଷେପ ନେଇପାରିବ ବୋଲି ତାଙ୍କୁ ବୁଝାଯିବା ସହ ବିଶେଷଜ୍ଞଙ୍କ ଦ୍ବାରା କାଉନ୍‌ସେଲିଂ ମଧ୍ୟ କରାଯାଇଥିଲା। କିନ୍ତୁ ସେ ଏହାକୁ ଗ୍ରହଣ ନକରି ଆଜି ଏଭଳି ଆତ୍ମହତ୍ୟା ଉଦ୍ୟମ କରିଥିଲା। ଏବେ ତାର ସ୍ବାସ୍ଥ୍ୟାବସ୍ଥା ଭଲ ଅଛି। ତଥାପି ତାର ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହ ବିଶେଷଜ୍ଞଙ୍କ ଦ୍ବାରା ପୁଣି କାଉନସେଲିଂ କରାଯିବ ବୋଲି ଏସ୍‌ପି କହିଛନ୍ତି।