ସମ୍ବଲପୁର: ବାଲେଶ୍ବର ଏଫ୍‌ଏମ୍‌ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ସାରା ଓଡ଼ିଶା ଉଠୁଥିବା ପଡ଼ୁଥିବାବେଳେ ସମ୍ବଲପୁରର ପ୍ରତିଷ୍ଠିତ ଜିଏମ୍‌ ବିଶ୍ବବିଦ୍ୟାଳୟ ଉପରେ ବି ଲାଗିଛି କଳଙ୍କର ଛିଟା। ନିଜ ଛାତ୍ରୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖି ପ୍ରତାରଣା କରିବା ମାମଲାରେ ବିଶ୍ବବିଦ୍ୟାଳୟ ଶିକ୍ଷା ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଗୋପିକାନ୍ତ ସୁନା (୩୨)ଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ସମ୍ବଲପୁର ମହିଳା ଥାନା ପୁଲିସ। ପୀଡ଼ିତା ଛାତ୍ରୀ (୨୦)ଙ୍କ ଅଭିଯୋଗ ଆଧାରରେ ଗୋପିକାନ୍ତଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତାର ଧାରା ୬୯ରେ ମାମଲା ରୁଜୁ ହୋଇଛି। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଅତିରିକ୍ତ ଏସ୍‌ପି ଶଶାଙ୍କ ଶେଖର ସୂଚନା ଦେଇଛନ୍ତି। ଗିରଫ ହେବା ପରେ ଅଭିଯୁକ୍ତ ଅଧ୍ୟାପକଙ୍କୁ ନିଲମ୍ବିତ କରିଛନ୍ତି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ।

Advertisment

ମହିଳା ଥାନାରେ ଦିଆଯାଇଥିବା ଏତଲା ଅନୁଯାୟୀ, ୨୦୨୩ରେ ଜିଏମ୍‌ୟୁରେ ନାମ ଲେଖାଇବା ପରେ ପୀଡ଼ିତା ଅଭିଯୁକ୍ତ ଆସିଷ୍ଟାଣ୍ଟ ପ୍ରଫେସର ଗୋପିକାନ୍ତଙ୍କ ସମ୍ପର୍କରେ ଆସିଥିଲେ। ସେ ତାଙ୍କୁ ନିୟମିତ ପାଠପଢ଼ାରେ ସହଯୋଗ ମଧ୍ୟ କରୁଥିଲେ। ଏହି ସମୟରେ ଉଭୟଙ୍କ ମଧ୍ୟରେ ଘନିଷ୍ଠତା ବଢ଼ିଥିଲା। ଏହାର ସୁଯୋଗ ନେଇ ବିବାହ ପ୍ରତିଶ୍ରୁତି ଦେଇ ଅଧ୍ୟାପକ ଜଣକ ଛାତ୍ରୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ଏଥିପାଇଁ ସେ ଛାତ୍ରୀଙ୍କୁ ନିଜ ପ୍ରଫେସର କଲୋନିସ୍ଥିତ ସରକାରୀ କ୍ବାର୍ଟର୍ସକୁ ନିୟମିତ ଡାକୁଥିଲେ। ପରବର୍ତ୍ତୀ ସମୟରେ ପୀଡ଼ିତା ଜାଣିବାକୁ ପାଇଲେ ଯେ କେବଳ ସେ ନୁହନ୍ତି, ଗୋପିକାନ୍ତ ଆହୁରି କିଛି ଝିଅଙ୍କୁ ଏହିଭଳି ମିଥ୍ୟା ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖୁଛନ୍ତି। ଯାହା ତାଙ୍କୁ ଭୟଙ୍କର ମାନସିକ ଆଘାତ ଦେଇଥିଲା। ବ୍ୟକ୍ତିଗତ ଉଦ୍ଦେଶ୍ୟ ଚରିତାର୍ଥ କରିବା ପାଇଁ ଝିଅମାନଙ୍କ ସରଳତାର ସୁଯୋଗ ଉଠାଉଥିବାରୁ ଅଧ୍ୟାପକଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ପୀଡ଼ିତା ନିଜ ଏତଲାରେ ଦର୍ଶାଇଛନ୍ତି। 

ଛାତ୍ରୀଜଣକ ୧୬ ତାରିଖ ବୁଧବାର ଦିନ ୨ଟାରେ ମହିଳା ଥାନାରେ ଲିଖିତ ଅଭିଯୋଗ କରିବା ପରେ ସେହି ବୁଧବାର ସନ୍ଧ୍ୟାରେ ହିଁ ପୁଲିସ ଆସିଷ୍ଟାଣ୍ଟ ପ୍ରଫେସର୍‌  ଗୋପିକାନ୍ତଙ୍କୁ ଗିରଫ କରିଥିଲା। ଆଜି ତାଙ୍କୁ କୋର୍ଟଚାଲାଣ କରାଯାଇଛି। ଏ ସଂପର୍କରେ ନିଜ ପ୍ରତିକ୍ରିୟାରେ ଜିଏମ୍‌ୟୁର ଭାରପ୍ରାପ୍ତ କୁଳପତି ପ୍ରଫେସର ସୁଶାନ୍ତ ଦାସ କହିଛନ୍ତି, ଏ ଘଟଣା ସମ୍ପର୍କରେ ସେ ଅବଗତ ନଥିଲେ। ଛାତ୍ରୀ ମଧ୍ୟ ତାଙ୍କୁ ଏ ସଂକ୍ରାନ୍ତରେ ଲିଖିତ ଭାବରେ ଜଣାଇନଥିବା କହିଛନ୍ତି। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଓ ପ୍ରୋଗ୍ରେସିଭ୍‌ ସମ୍ବଲପୁର ଛାତ୍ର ସଂଗଠନ ଆଜି ବିଶ୍ବବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ବିକ୍ଷୋଭ ଏବଂ ବିରୋଧ ପ୍ରଦର୍ଶନ କରିଛନ୍ତି।