ଚିରଞ୍ଜୀବୀ କର
କଟକ: ରାଜ୍ୟର ଦୁର୍ନୀତିଖୋର ସରକାରୀ ବାବୁଙ୍କ ଠାରୁ ଭିଜିଲାନ୍ସ ଗଲା ୮ ବର୍ଷ ଭିତରେ ୧୨୨୦୦୫. ୩୪୭ ଗ୍ରାମର (୧୨୨. ୦୦୫୩୪୭ କିଲୋ) ସୁନା ଅଳଙ୍କାର ଜବତ କରିଛି। ଏସବୁକୁ ବ୍ୟାଙ୍କରେ ଜମା କରାଯାଇଥିବା ବେଳେ ଏ ସବୁର ଆନୁମାନିକ ବଜାର ମୂଲ୍ୟ ୧୦୯ କୋଟି ୮୦ ଲକ୍ଷ ୪୮ ହଜାର ୧୨୩ ଟଙ୍କା ହେବ ବୋଲି ଆକଳନ କରାଯାଉଛି। ଏହା ବ୍ୟତୀତ ଗଲା ୮ ବର୍ଷରେ ୨୭ କୋଟି ୨୨ ଲକ୍ଷ ୬୬ ହଜାର ୬୨୬ ଟଙ୍କା ଜବତ କରି ବ୍ୟାଙ୍କରେ ଜମା କରାଯାଇଛି। ଏହି ଜବତ ଟଙ୍କା ଓ ସୁନା ରାଜ୍ୟରେ ସରକାରୀ ବାବୁ ମାନଙ୍କର ଆଖିବୁଜା ଦୁର୍ନୀତିର ପ୍ରମାଣ ଦେଉଛି।
ରାଜ୍ୟରେ ଓଡ଼ିଶା ଭିଜିଲାନ୍ସର ୭ଟି ଡିଭିଜନ୍ ଥିବାବେଳେ ଏହି ଡିଭିଜନ୍ ଅଧୀନରେ ୨୪ଟି ୟୁନିଟ୍ କାର୍ଯ୍ୟ କରୁଛି। ବିଭିନ୍ନ ସମୟରେ ଭିଜିଲାନ୍ସ ପକ୍ଷରୁ ଆୟବର୍ହିଭୂତ ସମ୍ପତ୍ତି ଠୁଳ ଓ ଲାଞ୍ଚ କାରବାର ମାମଲାରେ ଚଢ଼ଉ କରାଯାଇ ସରକାରୀ ବାବୁଙ୍କ ଠାରୁ ଏହି ବିପୁଳ ପରିମାଣର ଟଙ୍କା ଓ ସୁନା ଜବତ କରାଯାଇଛି। ଏସବୁ ସମ୍ପତ୍ତି ସମ୍ପୃକ୍ତ ଡିଭିଜନ୍ ଏସପିଙ୍କ ନାଁରେ ଖୋଲିଥିବା ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇ ରହୁଛି। ଭିଜିଲାନ୍ସର ଡିଭିଜନ୍ ଵାରି ବ୍ୟାଙ୍କ୍ ଆକାଉଣ୍ଟରେ ୨୦୧୬ ଜାନୁଆରି ୧ରୁ ୨୦୨୪ ଡିସେମ୍ବର ୩୧ ଯାଏଁ ଯେଉଁ ସୁନା ଅଳଙ୍କାର ଓ ଟଙ୍କା ଗଚ୍ଛିତ ରହିଛି, ତାହାର ପରିମାଣ ୧୩୭ କୋଟି ଟପି ଯାଉଥିବା ବେଳେ ଏହା ପୂର୍ବ ଓ ପର ସମୟ ମିଶିଲେ ଦୁର୍ନୀତିର ଆହୁରି ଅଧିକ ସାଂଘାତିକ ଚିତ୍ର ସାମନାକୁ ଆସିବ ବୋଲି ଆକଳନ କରାଯାଉଛି।
ତଥ୍ୟ ମୁତାବକ, କୋରାପୁଟ ଡିଭିଜନ୍ରେ ୨୦୧୬ରୁ ୨୦୨୪ ଭିତରେ ମୋଟ ୧୫୦୪୬.୮୯୩ ଗ୍ରାମ ସୁନା ଓ ୬ କୋଟି ୩୬ ଲକ୍ଷ ୯୭ ହଜାର ୦୦୨ ନଗଦ ଟଙ୍କା ଜବତ ହୋଇଥିବା ବେଳେ ବାଲେଶ୍ବର ଡିଭିଜନ୍ରେ ୧୨,୫୦୨. ୭୦୭ ଗ୍ରାମ ସୁନା ଓ ନଗଦ ୧ କୋଟି ୮୨ ଲକ୍ଷ ୭୬ ହଜାର ୪୨୧ ଟଙ୍କା, ବ୍ରହ୍ମପୁର ଡିଭିଜନ୍ରେ ୧୬, ୩୩୭. ୭୦ ଗ୍ରାମ ସୁନା ଓ ନଗଦ ୨ କୋଟି ୮୬ ଲକ୍ଷ ୪୫ ହଜାର ୩୪ ଟଙ୍କା, ରାଉରକେଲା ଡିଭିଜନ୍ରେ ୮,୮୩୦. ୫୩୬ ଗ୍ରାମ ସୁନା ଓ ୩ କୋଟି ୯୫ ଲକ୍ଷ ୪୮ହଜାର ୫୨ ଟଙ୍କା, ସମ୍ବଲପୁର ଡିଭିଜନ୍ରେ ୧୨,୬୧୬. ୨୪ ଗ୍ରାମ ସୁନା ଓ ୧ କୋଟି ୩୩ ଲକ୍ଷ ୫ ହଜାର ୭୯୭ ଟଙ୍କା, କଟକ ଡିଭିଜନ୍ରେ ୨୫୦୨୪.୧୭ ଗ୍ରାମ ସୁନା ଓ ୨ କୋଟି ୪୫ ଲକ୍ଷ ୧୦ ହଜାର ୨୩ ଟଙ୍କା, କଟକ ସେଲ୍ ଡିଭିଜନ୍ରେ ୨୩,୦୬୧.୯୩୪ ଗ୍ରାମ ସୁନା ଓ ୪ କୋଟି ୪୯ ଲକ୍ଷ ୭୨ ହଜାର ୫୭୨ ଟଙ୍କା, ଭୁବନେଶ୍ବର ଡିଭିଜନ୍ରେ ୨୩,୬୩୨. ୦୬ ଗ୍ରାମ ସୁନା ଓ ୩ କୋଟି ୯୩ ଲକ୍ଷ ୧୧ ହଜାର ୭୨୫ ଟଙ୍କା ଜବତ ହୋଇଛି। ୨୦୧୬ ଜାନୁଆରି ପହିଲାରୁ ୨୦୨୪ ଡିସେମ୍ବର ଶେଷ ଯାଏଁ ଭିଜିଲାନ୍ସ ରୁଜୁ କରିଥିବା ଏହି ମାମଲାଗୁଡ଼ିକରେ କିନ୍ତୁ ଏଯାଏଁ ପୂର୍ଣ୍ଣାଙ୍ଗ ଚାର୍ଜସିଟ୍ କୋର୍ଟରେ ଦାଖଲ କରାଯାଇନାହିଁ। ନିୟମ ଅନୁଯାୟୀ, କୋର୍ଟରେ କୌଣସି ମାମଲାରେ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହେଲେ, ବ୍ୟାଙ୍କରେ ଥିବା ସମ୍ପୃକ୍ତ ଅଭିଯୁକ୍ତଙ୍କ ଟଙ୍କା ବିନା ସୁଧରେ ଫେରସ୍ତ କରାଯିବ। ତେବେ ଆୟ ବହିର୍ଭୂତ ସମ୍ପତ୍ତି ମାମଲାରେ ଦୋଷୀ ସାବ୍ୟସ୍ତ ହାର ୮୦ ପ୍ରତିଶତ ରହି ଆସିଥିବାରୁ ଉପରୋକ୍ତ ଜବତ ସମ୍ପତ୍ତିର ୮୦ ପ୍ରତିଶତ ରାଜ୍ୟ ସରକାରଙ୍କ ତହବିଲକୁ ଯିବା ସମ୍ଭାବନା ଯଥେଷ୍ଟ ଅଧିକ।