ଭୁବନେଶ୍ବର : ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ନିଯୁକ୍ତି ନ ହେଲା ଯାଏ ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ(ଓଇଆର୍‌ସି) ବିଦ୍ୟୁତ୍ ଦର ଧାର୍ଯ୍ୟ ସଂକ୍ରାନ୍ତ ଜନଶୁଣାଣି ସ୍ଥଗିତ ରଖନ୍ତୁ ଅଥବା ବାତିଲ୍ କରନ୍ତୁ। ସେଯାଏ ୨୦୨୨-୨୩ ବର୍ଷ ଲାଗି ଘୋଷିତ ବିଦ୍ୟୁତ୍ ଦର କାର୍ଯ୍ୟକାରୀ ହେଉ।

Advertisment

୨୦୨୩-୨୪ ବର୍ଷ ଲାଗି ବିଦ୍ୟୁତ୍ ଦର ଧାର୍ଯ୍ୟ ସଂକ୍ରାନ୍ତ ଜନଶୁଣାଣି ଆରମ୍ଭରେ ଆଜି ଆୟୋଗଙ୍କ ସାମ୍ନାରେ ଏଭଳି ଅସନ୍ତୋଷ ଝାଡ଼ିଛନ୍ତି ଆପତ୍ତିକର୍ତ୍ତା (ଅବ୍‌ଜେକ୍ଟର)। ବର୍ଷାଧିକ ଧରି ଏହି ଗୁରୁତ୍ବପୂର୍ଣ୍ଣ ପଦବିଟି ଖାଲି ପଡ଼ିଥିବା କାରଣରୁ ଏହାକୁ ନେଇ ଅସନ୍ତୋଷ ମୁଣ୍ଡ ଟେକିଥିଲା। ଗଣମାଧ୍ୟମରେ ମଧ୍ୟ ଏକାଧିକ ରିପୋର୍ଟ ପ୍ରକାଶ ପାଇଥିଲା। ତଥାପି ରାଜ୍ୟ ସରକାର ସତର୍କ ହୋଇନଥିଲେ କିମ୍ବା ଅଧ୍ୟକ୍ଷ ନିଯୁକ୍ତି ଦେଇନଥିଲେ। ପରିଣାମ ହେଲା, ଆଜି ଶୁଣାଣିର ପ୍ରଥମ ଦିନରେ ଏହି ପ୍ରସଙ୍ଗ ଆୟୋଗଙ୍କ ପାଇଁ ଅକଳ ପରିସ୍ଥିତି ସୃଷ୍ଟି କରିଥିଲା। ଆୟୋଗର କାର୍ଯ୍ୟକାରୀ ଅଧ୍ୟକ୍ଷ ଗଜେନ୍ଦ୍ର ମହାପାତ୍ର ଏହାକୁ ଅନୁଧ୍ୟାନ କରିବା ସହିତ ତାଙ୍କ ନିର୍ଦେଶନାମାରେ ସ୍ଥାନ ଦେବେ ବୋଲି ମତ ସ୍ପଷ୍ଟ କରିଥିଲେ ହେଁ, ଆପତ୍ତିକର୍ତ୍ତାଙ୍କୁ ଏହା ସନ୍ତୁଷ୍ଟ କରିନଥିଲା। ପୂର୍ବାହ୍ନରେ ଓଏଚ୍‌ପିସି ଶୁଣାଣି ସମୟରେ ଏହି ପ୍ରସଙ୍ଗ ଉଠିଥିଲା ଓ ଅପରାହ୍ନରେ ଓପିଜିସି ଶୁଣାଣି ବେଳେ ଆପତ୍ତିକର୍ତ୍ତା ଏହାକୁ ଦୋହରାଇଥିଲେ। ଏଥିସହିତ କାହିଁକି ଓ କେଉଁ ପରିସ୍ଥିତିରେ ଅଥବା କାହାକୁ ଆଖି ଆଗରେ ରଖି ରାଜ୍ୟ ସରକାର ଓଡ଼ିଶା ବିଦ୍ୟୁତ୍ ନିୟାମକ ଆଯୋଗର ଅଧ୍ୟକ୍ଷ ପଦବି ପୂରଣ କରୁନାହାନ୍ତି, ତାହା ଏବେ ରାଜ୍ୟର ବିଦ୍ୟୁତ୍
ଉପଭୋକ୍ତାଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ହୋଇଛି।

ଶୁଣାଣି ସ୍ଥଗିତ କରିବାକୁ ଦାବି ଉଠିଲା
ଖୋଲା ଅସନ୍ତୋଷ ଝାଡ଼ିଲେ ଆପତ୍ତିକର୍ତ୍ତା
ତିନିଜଣିଆ ବେଞ୍ଚ ଦୁଇଜଣିଆ ହୋଇଗଲା କି?
ସରକାରଙ୍କୁ ଜବାବ ମାଗନ୍ତୁ କହିଲେ ରାମପ୍ରସାଦ

publive-image Ommcom News

ସୋମବାର ଦିନ ଓଡ଼ିଶା ଜଳ ବିଦ୍ୟୁତ୍ ନିଗମ (ଓଏଚ୍‌ପିସି) ବିଦ୍ୟୁତ ଦର ଧାର୍ଯ୍ୟ ସଂକ୍ରାନ୍ତ ଶୁଣାଣି ସମୟରେ ଶକ୍ତି ବିଶେଷଜ୍ଞ ରାମ ପ୍ରସାଦ ମହାପାତ୍ର କମିସନଙ୍କୁ ସିଧା ସିଧା ଶୁଣାଇଥିଲେ ଯେ ଅସମ୍ପୂର୍ଣ୍ଣ ଆୟୋଗଙ୍କୁ ନେଇ ବିଦ୍ୟୁତ୍ ଦର ଧାର୍ଯ୍ୟ ସଂକ୍ରାନ୍ତ ଜନଶୁଣାଣି ଆଦୌ ଗ୍ରହଣୀୟ ନୁହେଁ। ବିଦ୍ୟୁତ୍ ଆଇନରେ ସ୍ପଷ୍ଟ ଭାବେ କୁହାଯାଇଛି, ଅଧ୍ୟକ୍ଷଙ୍କ କାର୍ଯ୍ୟକାଳ ସରିବାର ୬ମାସ ପୂର୍ବରୁ କିମ୍ବା ଅପ୍ରତ୍ୟାଶିତ ପରିସ୍ଥିତିରେ ଖାଲିପଡ଼ିଲେ, ଏକମାସ ମଧ୍ୟରେ ଏହି ପଦବି ପୂରଣ ହେବା କଥା। ଓଇଆର୍‌ସିର ପୂର୍ବତନ ଅଧ୍ୟକ୍ଷ ଉପେନ୍ଦ୍ର ନାଥ ବେହେରା ୨୦୧୭ରୁ ୨୦୨୨ ଯାଏ ଏହି ପଦବିରେ ଅଧିଷ୍ଠିତ ଥିଲେ। ୨୦୨୨ ଜାନୁଆରି ୧୫ରୁ ସେ ଏହି ପଦ ଛାଡ଼ିଲେଣି। ରାଜ୍ୟ ସରକାର ବହୁ ପୂର୍ବରୁ ନିଯୁକ୍ତି ସଂକ୍ରାନ୍ତ ତର୍ଜମା ଆରମ୍ଭ କରିଥିଲେ ମଧ୍ୟ କେଉଁ ରହସ୍ୟଜନକ କାରଣ ଲାଗି ନିଯୁକ୍ତି ଦିଆଯାଉନାହିଁ, ତାହାକୁ ନେଇ ସନ୍ଦେହ ସୃଷ୍ଟି ହେଉଛି। ରାଜ୍ୟ ସରକାର ଜାଣିଶୁଣି ଏଭଳି ଚକ୍ରାନ୍ତ କରୁଛନ୍ତି। ଏତେ ଦିନ ପରେ ବି ଗୋଟିଏ ଗୁରୁତ୍ବପୂର୍ଣ୍ଣ ସଂସ୍ଥାର ଅଧ୍ୟକ୍ଷ ପଦବି ପୂରଣ ହୋଇପାରୁନାହିଁ, ତାହା ଆଶ୍ଚର୍ଯ୍ୟ ଲାଗୁଛି।

ସେ ଆହୁରି କହିଥିଲେ ଯେ ରାଜ୍ୟବାସୀଙ୍କ ପାଇଁ ବିଦ୍ୟୁତ୍ ଦର ସଂକ୍ରାନ୍ତ ଜନଶୁଣାଣିର ପ୍ରାସଙ୍ଗିକତା ଢେର୍ ଅଧିକ। ଏଣୁ ଅଧ୍ୟକ୍ଷ ନିଯୁକ୍ତି ପ୍ରସଙ୍ଗକୁ ଗୁରୁତ୍ବ ଦିଆଯାଉଛି। ମାତ୍ର ଅଧ୍ୟକ୍ଷ ନିଯୁକ୍ତି କ୍ଷେତ୍ରରେ ରାଜ୍ୟ ସରକାର ନିଜକୁ ସର୍ବେସର୍ବା ଭାବିବା କଥା ନୁହେଁ। କାରଣ ଆମେ ଗଣତନ୍ତ୍ରରେ ବାସ କରୁଛେ। ସରକାର ଯାହା ଚାହିଁବେ ତାହା କରିପାରିବେ ନାହିଁ।

ଆମ ବ୍ୟବସ୍ଥା ଅନୁସାରେ ତିନିଜଣ ସଦସ୍ୟଙ୍କ ଉପସ୍ଥିତିରେ ହିଁ ଜନଶୁଣାଣି ହେବା କଥା। ଗତବର୍ଷ ମଧ୍ୟ ଦୁଇଜଣଙ୍କୁ ନେଇ ଗଠିତ ବେଞ୍ଚ ବିଦ୍ୟୁତ୍ ଦର ଶୁଣାଣି କଲେ। ରାଜ୍ୟ ସରକାର ତିନିଜଣିଆ ବେଞ୍ଚକୁ ଦୁଇଜଣିଆ ବେଞ୍ଚରେ ପରିଣତ କରିଦେଲେ କି? ବୋଲି ଶ୍ରୀ ମହାପାତ୍ର ଆୟୋଗଙ୍କୁ ପ୍ରଶ୍ନ କରିଥିଲେ। ଏଥିସହିତ ସେ ଏକଥା ବି ଦାବି କରିଥିଲେ ଯେ ଆମକୁ ପୂର୍ଣ୍ଣାଙ୍ଗ କମିସନ ଆବଶ୍ୟକ। ଯେ ପର୍ଯ୍ୟନ୍ତ ପୂର୍ଣ୍ଣାଙ୍ଗ କମିସନ ନିଯୁକ୍ତ ହୋଇ ନାହାନ୍ତି ସେପର୍ଯ୍ୟନ୍ତ ଶୁଣାଣିକୁ ସ୍ଥଗିତ ରଖାଯାଉ। ଆୟୋଗଙ୍କ ପୂର୍ଣ୍ଣ ବେଞ୍ଚ ବିନା ଏହି ଶୁଣାଣି ଆଦୌ ଗ୍ରହଣ କରାଯାଇପାରିବ ନାହିଁ। କେବଳ ସେତିକି ନୁହେଁ, କେଉଁ ପରିସ୍ଥିତିରେ ଏହି ଗୁରୁତ୍ବପୂର୍ଣ୍ଣ ପଦବି ପୂରଣ କରାଯାଇନାହିଁ, ସେ ନେଇ ରାଜ୍ୟ ସରକାରଙ୍କ ଠାରୁ ଆୟୋଗ ଜବାବ ମାଗନ୍ତୁ ବୋଲି ସେ କହିଥିଲେ।

publive-image

ଶୁଣାଣି ପ୍ରକ୍ରିୟାରେ ଭାଗ ନେଇ ଅନ୍ୟତମ ଆପତ୍ତିକର୍ତ୍ତା ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ମଧ୍ୟ ଶ୍ରୀ ମହାପାତ୍ରଙ୍କୁ ସମର୍ଥନ କରିଥିଲେ। ଶ୍ରୀ ପଟ୍ଟନାୟକ କହିଥିଲେ, ପୂର୍ଣ୍ଣ କମିସନ ଗଠିତ ନ ହେବା ପର୍ଯ୍ୟନ୍ତ ଏହି ଶୁଣାଣି ସ୍ଥଗିତ ରଖାଯାଉ ଏବଂ ବର୍ତ୍ତମାନ ଯେଉଁ ବିଦ୍ୟୁତ୍ ଦର ଆୟୋଗ ଧାର୍ଯ୍ୟ କରିଛନ୍ତି, ତାହା ପରବର୍ତ୍ତୀ ଶୁଣାଣି ଯାଏ ବଳବତ୍ତର ରହୁ। ଅଧ୍ୟକ୍ଷଙ୍କ ବିନା ବର୍ଷ ବର୍ଷ ପରେ ଶୁଣାଣି ଆଦୌ ଗ୍ରହଣ କରିହେଉନାହିଁ। ଆୟୋଗଙ୍କୁ ଶକ୍ତିଶାଳୀ କରିବା ପରିବର୍ତ୍ତେ ଏଭଳି ପ୍ରକ୍ରିୟା ଦୁର୍ବଳ କରିଦେଉଛି ବୋଲି ଶ୍ରୀ ପଟ୍ଟନାୟକ ଅଭିଯୋଗ କରିଥିଲେ।

ଅନ୍ୟତମ ଆପତ୍ତିକର୍ତ୍ତା ତଥା ଉପଭୋକ୍ତା ମହାସଂଘ ନେତା ରମେଶ ଶତପଥୀ ମଧ୍ୟ ଏହାକୁ ସମର୍ଥନ କରିଥିଲେ। ଶ୍ରୀ ଶତପଥୀ କହିଥିଲେ, ତିନିଜଣିଆ କମିସନ ଶୁଣାଣି ପାଇଁ ଆମ ବ୍ୟବସ୍ଥା ରହିଛି। ମାତ୍ର ତାହା କରାଯାଉ ନାହିଁ। ପୂର୍ଣ୍ଣାଙ୍ଗ କମିସନ ଗଠନ କରିବା ବଦଳରେ ମାତ୍ର ଦୁଇଜଣଙ୍କୁ ନେଇ ଶୁଣାଣି କରାଯାଉଛି। ରାଜ୍ୟ ସରକାର ଏଥିରେ ତୁରନ୍ତ ହସ୍ତକ୍ଷେପ କରି ପଦକ୍ଷେପ ନିଅନ୍ତୁ। ନ ହେ‌ଲେ ଶୁଣାଣି ବନ୍ଦ କରନ୍ତୁ।

ଆୟୋଗର କାର୍ଯ୍ୟକାରୀ ଅଧ୍ୟକ୍ଷ ଗଜେନ୍ଦ୍ର ମହାପାତ୍ର କହିଥିଲେ ଯେ ଶୁଣାଣି ପାଇଁ ଆବଶ୍ୟକ କୋରମ୍ ରହିଛି। ଆମେ ଆଜି ଏ ସଂକ୍ରାନ୍ତରେ ଆବଶ୍ୟକ ନିର୍ଦ୍ଦେଶନାମା ପ୍ରକାଶ କରିବୁ।

ଏଠାରେ ଉଲ୍ଲେଖଥାଉକି, ୨୦୨୨ ଜାନୁଆରି ୧୫ ତାରିଖରୁ ଶ୍ରୀ ବେହେରାଙ୍କ କାର୍ଯ୍ୟକାଳ ଶେଷ ହେଲାଣି। ସେବେଠାରୁ ଏହି ପଦବି ଖାଲି ପଡ଼ିଛି। ଇତିମଧ୍ୟରେ କାର୍ଯ୍ୟକାରୀ ଅଧ୍ୟକ୍ଷଙ୍କୁ ନେଇ ଆୟୋଗ ବିଭିନ୍ନ ପଦବିରେ ଅଧିକାରୀମାନଙ୍କୁ ନିଯୁକ୍ତି ଦେଇଛନ୍ତି; ବିଦ୍ୟୁତ୍ ଦର ସଂକ୍ରାନ୍ତ ଜନଶୁଣାଣି ବ୍ୟତୀତ ଅନେକ ଗୁରୁତ୍ବପୂର୍ଣ୍ଣ ମାମଲାର ଶୁଣାଣି ବି ହୋଇଛି।