ଯାଜପୁରସଦର : ସମୟ ବଦଳିବା ସହ ବଦଳୁଛି ଚଳଣି ଓ ରୁଚି। ଏହାରି ଭିତରେ ଲୋକଙ୍କ ଜୀବନଶୈଳୀ ମଧ୍ୟ ପରିବର୍ତ୍ତନ ହୋଇଛି। ହେଲେ ବଦଳି ନାହାନ୍ତି ୧୦୨ ବର୍ଷରେ ପଦାର୍ପଣ କରିଥିବା ଶଶିଭୂଷଣ ତ୍ରିପାଠୀ। ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ୍ ଦୁଦୁରାଅନ୍ତା ପଞ୍ଚାୟତ ପରମାନନ୍ଦପୁରଶାସନ-ଅର୍ଦ୍ଦାଉଳିଆ ଗ୍ରାମର ଏକ ଜମିଦାର ପରିବାରରେ ୧୯୨୧ ମସିହାରେ ଏହି ବର୍ଷୀୟାନ ଗାନ୍ଧୀବାଦୀ ନେତାଙ୍କ ଜନ୍ମ। ଏ ବୟସରେ ସେ ସ୍ବାଭାବିକ ଭାବେ ନିଜ କାମ ନିଜେ କରିପାରୁଛନ୍ତି। ସ୍ପଷ୍ଟ ଭାବେ କଥା କହିପାରୁଛନ୍ତି। ବିନା ଚଷମାରେ ଖବରକାଗଜ ପଢ଼ୁଛନ୍ତି। ଯିଏ ଯାହା କହୁଛନ୍ତି, ତାହା ଶୁଣି ବୁଝିପାରୁଛନ୍ତି। ବାଇକରେ ବସି ଯାତାୟାତ କରିପାରୁଛନ୍ତି। ସକାଳୁ ସକାଳୁ ଗାଁରେ ବୁଲି ଲୋକଙ୍କ ପାଖରେ ବସି ଖୁସିଗପ କରୁଛନ୍ତି। ବୟସର ବୋଝ ତାଙ୍କ ପାଖରେ ହାର୍ ମାନିଛି। ସ୍ବାଭାବିକ ଜୀବନ ସେ ଜିଇଚାଲିଛନ୍ତି। ସେ ନିଜକୁ ସଂପୂର୍ଣ୍ଣ ସୁସ୍ଥ ମନେକରୁଛନ୍ତି।
/sambad/media/post_attachments/wp-content/uploads/2023/03/95-Year-Raj-Logo-300x71.jpg)
ତାଙ୍କ ଖାଦ୍ୟରେ କୌଣସି ସ୍ବତନ୍ତ୍ରତା ନଥାଏ। ଭାତ, ରୁଟି ଆଦି ତାଙ୍କ ନିତିଦିନିଆ ଖାଦ୍ୟ। ପ୍ରତିଦିନ ଘର ଲୋକ ଯାହା ଖାଆନ୍ତି ସେ ମଧ୍ୟ ତାହା ଗ୍ରହଣ କରନ୍ତି। ତେବେ ସକାଳୁ ଉଠି ଗାଁରେ ବୁଲିବା ସହ ମନରେ କୌଣସି ଚାପ ନରଖିବା ହିଁ ତାଙ୍କ ସୁସ୍ଥ ଓ ଦୀର୍ଘ ଜୀବନର ରହସ୍ୟ ବୋଲି ସେ କହନ୍ତି। ଶଶିଭୂଷଣଙ୍କ ମତରେ ଜଣେ କିପରି ସୁସ୍ଥ ରହିବ, ତାହା ତାଙ୍କର କାର୍ଯ୍ୟ ଓ ଜୀବନଶୈଳୀ ଉପରେ ନିର୍ଭର କରେ। ଇଚ୍ଛାଶକ୍ତି ଓ ଉଦ୍ୟମ ଥିଲେ ବୟସ ବଢ଼ିଲେ ମଧ୍ୟ ନିଜକୁ ଫିଟ୍ ରଖିହେବ। ଗତ ମାର୍ଚ୍ଚ ୨୨ ତାରିଖରେ ଶ୍ରୀ ତ୍ରିପାଠୀଙ୍କ ୧୦୨ତମ ଜନ୍ମଦିନକୁ ଦୁଦୁରାଅନ୍ତା-ଦତ୍ତପୁର ନାଗରିକ କମିଟି ପକ୍ଷରୁ ବିକ୍ରମ ରାଉତ, ଦୁର୍ଗାଚରଣ ବାରିକଙ୍କ ନେତୃତ୍ବରେ ମହାସମାରୋହରେ ପାଳନ କରାଯାଇଥିଲା। ତାଙ୍କର ୩ ପୁଅ ଓ ଜଣେ ଝିଅ। ସମ​ସ୍ତଙ୍କ ବୟସ ୬୦ ପାର୍ ହୋଇସାରିଛି ଏବଂ ବୃଦ୍ଧ ଅବସ୍ଥାକୁ ଆସି ଯାଇଛନ୍ତି। ବାପାଙ୍କ ସୁସ୍ଥ ଓ ନିରାମୟ ଜୀବନ କେବଳ ସେମାନଙ୍କୁ ନୁହେଁ, ଗାଁ ଲୋକଙ୍କୁ ମଧ୍ୟ ସକାରାତ୍ମକ ସନ୍ଦେଶ ଦେଉଛି ବୋଲି କହିଛନ୍ତି।
ଶଶିଭୂଷଣଙ୍କ ପିଲାଦିନ ବେଶ୍ ହସଖୁସିରେ କଟିଥିଲା। ଗାଁ ଚାଟଶାଳୀରେ ପଞ୍ଚମ ପାଠପଢ଼ା ପରେ ସମାଜସେବା କ୍ଷେତ୍ରରେ ସେ ପାଦ ଦେଇଥିଲେ। ୧୯୩୨ ମସିହାରେ ସ୍ବାଧୀନତା ସଂଗ୍ରାମରେ ସାମିଲ ହୋଇ ଜେଲ ଯାଇଥିଲେ। ବାଳକ ହୋଇଥିବାରୁ ପରେ ଜେଲରୁ ମୁକ୍ତି ପାଇଥିଲେ। ୧୯୪୨ ମସିହା ଭାରତ ଛାଡ଼ ଆନ୍ଦୋଳନରେ ସେ ସାମିଲ ହୋଇଥିଲେ। ପଞ୍ଚାୟତିରାଜ ବ୍ୟବସ୍ଥାରେ ୧୯୭୦ ମସିହାରେ ସେ ମଲ୍ଲିକାପୁର ପଞ୍ଚାୟତର ସରପଞ୍ଚ ​ହୋଇଥିଲେ। ମୋଟ ୬ ଥର ସରପଞ୍ଚ ଭାବେ ନିର୍ବାଚିତ ହୋଇ ୩୦ ବର୍ଷ ଧରି ଲୋକଙ୍କ ସୁଖଦୁଃଖର ସାଥୀ ହୋଇଥିଲେ। ଆଜି ପର୍ଯ୍ୟନ୍ତ କଂଗ୍ରେସକୁ ଭଲପାଉଥିବା ଶଶିଭୂଷଣ ଶିକ୍ଷାର ବିକାଶ ପାଇଁ ନିଜେ ଜମି ଓ ଅର୍ଥ ବ୍ୟୟ କରି ଅନେକ ଶିକ୍ଷାନୁଷ୍ଠାନ ଗଢ଼ିଛନ୍ତି। ୧୯୫୨ ରେ କୁଅଁରସାହି ପ୍ରାଥମିକ ବିଦ୍ୟାଳୟ, ୧୯୬୫ ରେ ଗରିବବନ୍ଧୁ ହାଇସ୍କୁଲ, ୧୯୮୫ରେ ଭାଗ୍ୟେଶ୍ବର ବାଳିକା ଉଚ୍ଚବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ। ନଦୀବନ୍ଧ ସୁଦୃଢ଼ୀକରଣ, ଚାଷୀଙ୍କ ଉନ୍ନତି ପାଇଁ ଜଳସେଚନ, ଗାଁକୁ ଯୋଗାଯୋଗ ପାଇଁ ରାସ୍ତା ନିର୍ମାଣ କରି ପଞ୍ଚାୟତବାସୀଙ୍କ ପ୍ରିୟ ହୋଇପାରିଥିଲେ।
ଅନିଲ କୁମାର ପଣ୍ଡା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/376f42d5-2bad-4e97-b874-d721f8e5e4f4.jpg)