ସ୍ୱାମୀ ମୁକୁନ୍ଦାନନ୍ଦଙ୍କ ମନ୍ତବ୍ୟକୁ ନେଇ ତୀବ୍ର ପ୍ରତିକ୍ରିୟା: ‘ତୋ ଝିଅ ବାହା ହୋଇଥିଲେ ଘରେ ରହିଥାନ୍ତା କି ?’

ସ୍ବାମୀ ମୁକୁନ୍ଦାନନ୍ଦଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ

ବ୍ରହ୍ମପୁର : ସ୍ବାମୀ ମୁକୁନ୍ଦାନନ୍ଦଙ୍କ ବିରୋଧରେ ଏକ ସଙ୍ଗିନ ଅଭିଯୋଗ ଆସିଛି। ଗତବର୍ଷଠାରୁ ବ୍ରହ୍ମପୁର ଅଞ୍ଚଳର ଜଣେ ଝିଅ ତାଙ୍କ ଆଶ୍ରମରେ ଅଟକି ରହିଛି। ସେ ଝିଅ ଫେରୁନାହାନ୍ତି କି ପରିବାର ଲୋକଙ୍କ ସହ‌ ଯୋଗାଯୋଗ ହୋଇପାରୁନି। ଏପରିସ୍ଥଳେ, ସବୁଠୁ ଚର୍ଚ୍ଚାର ବିଷୟ ପାଲଟିଛି ସ୍ବାମୀ ମୁକୁନ୍ଦାନନ୍ଦଙ୍କ ମନ୍ତବ୍ୟ। ‘ତୋ ଝିଅ ବାହା ହୋଇଥିଲେ ଘରେ ରହିଥା’ନ୍ତା କି?’ ଝିଅକୁ ଫେରାଇ ଦେବାକୁ ବାରମ୍ବାର ଫୋନ୍‌ କରୁଥିବା ପରିବାର ଲୋକଙ୍କୁ ସେ କହିଛନ୍ତି। ଆଜି ଝିଅ କେ. ସୁଧାଙ୍କ ମା’ କେ. ପୁଷ୍ପାବତୀ ବ୍ରହ୍ମପୁର ଏସ୍‌ପିଙ୍କ ନିକଟରେ ଫେରାଦ ହେବାସହ ଉଦ୍ଧାର କରିବା ପାଇଁ ନିବେଦନ କରିବା ପରେ ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ବ୍ରହ୍ମପୁର ସହରରେ ବି ଆଲୋଡ଼ନ ସୃଷ୍ଟି କରିଛି।

ପୁଷ୍ପାବତୀଙ୍କ କହିବା ଅନୁସ‌ାରେ, ତାଙ୍କ ଝିଅ କେ. ସୁଧା ଚାର୍ଟାର୍ଡ ଆକାଉଣ୍ଟିଂରେ ଉତ୍ତୀର୍ଣ୍ଣ ହୋଇଛନ୍ତି। କିଛିବର୍ଷ ତଳେ ତାଙ୍କର ମସ୍ତିଷ୍କରେ ଅପରେସନ୍‌ ହୋଇଥିଲା। ଅପରେସନ୍‌ ପରେ ବି ମୁଣ୍ଡ ବିନ୍ଧା ନକମିବାରୁ ସ୍ବାମୀ ମୁକୁନ୍ଦାନନ୍ଦଙ୍କ ପାଖରେ ଛାଡ଼ିଦେଲେ ତାହା କମିଯିବ ବୋଲି ବ୍ରହ୍ମପୁର ବଡ଼ଖେମୁଣ୍ଡି ବଙ୍ଗଳା ନିକଟ ଆଶ୍ରମର ମହନ୍ତ ତାଙ୍କ ପରିବାର ଲୋକଙ୍କୁ ପରାମର୍ଶ ଦେଇଥିଲେ। ୨୦୨୧ ମସିହା ଜାନୁଆରି ୫ରେ ମୁକୁନ୍ଦାନନ୍ଦ ନିଜେ ଫୋନ୍‌ କରି ଝିଅକୁ ବାଙ୍କିସ୍ଥିତ ବାନାରା ଆଶ୍ରମରେ ଛାଡ଼ିବାକୁ କହିଥିଲେ। ମନରେ ବିଶ୍ବାସ ରଖି ଝିଅକୁ ନେଇ ଆଶ୍ରମରେ ଛାଡ଼ିଥିଲେ ପରିବାର ଲୋକେ। ୧୦ରୁ ୧୫ ଦିନରେ ଝିଅ ଭଲ ହୋଇଯିବ ବୋଲି ସ୍ବାମୀ ମୁକୁନ୍ଦାନନ୍ଦ ଆଶ୍ବାସନା ଦେବାସହିତ ଏଠାରେ ଛାଡ଼ି ଘରକୁ ଫେରିଯିବାକୁ କହିଥିଲେ। ଝିଅକୁ ଆଶ୍ରମରେ ଛାଡ଼ିବା ପରଠାରୁ ଆଉ ଯୋଗାଯୋଗ ସମ୍ଭବପର ହୋଇନଥିଲା। ଝିଅକୁ ଫେରାଇ ଦେବାକୁ ବାରମ୍ବାର ଫୋନ୍‌ କରିବା ପରେ ‘ ତୋ ଝିଅ ବାହା ହୋଇଥିଲେ ଘରେ ରହିଥାନ୍ତା କି ?’ ବୋଲି ଓଲଟି ସ୍ବାମୀ ମୁକୁନ୍ଦାନନ୍ଦ କହିଥିବା ନେଇ ସେ ଅଭି‌ଯୋଗ କରିଛନ୍ତି।

ସ୍ଥାନୀୟ ଲୋଚାପଡ଼ା ରେଡ଼ିଓଷ୍ଟେସନ୍‌ ନିକଟ ବ୍ୟାଙ୍କ କଲୋନି ଅଞ୍ଚଳର ମହିଳା କେ. ପୁଷ୍ପାବତୀ ଆଜି ନିଜ ଝିଅକୁ ଉଦ୍ଧାର କରିବା ପାଇଁ ଏସ୍‌ପିଙ୍କ କାର୍ଯ୍ୟାଳୟରେ ଫେରାଦ ହୋଇଛନ୍ତି। ସମାଜସେବୀ ପ୍ରମିଳା ତ୍ରିପାଠୀଙ୍କ ସହ ସେ ଏସ୍‌ପି କାର୍ଯ୍ୟାଳୟକୁ ଯିବା ସହିତ ଝିଅକୁ ଉଦ୍ଧାର କରିବା ପାଇଁ କେବଳ ନିବେଦନ କରିନାହାନ୍ତି, ସ୍ବାମୀ ମୁକୁନ୍ଦାନନ୍ଦଙ୍କ ସହ ତାଙ୍କ ଝିଅର ଫଟୋ ଗୁଡ଼ିକୁ ବି ଦେଖାଇଛନ୍ତି। ଏସ୍‌ପିଙ୍କ ଅନୁପସ୍ଥିତିରେ ଏଏସ୍‌ପି ଅସୀମ ପଣ୍ଡାଙ୍କ ସହ ଆଲୋଚନା କରି ଉଦ୍ଧାର କରିବାକୁ ନିବେଦନ କରିଛନ୍ତି ପୁଷ୍ପାବତୀ। ଏ ସମ୍ପର୍କରେ ପୁଷ୍ପାବତୀ କହିଛନ୍ତି, ‘ ୨୦୨୧ ଫେବ୍ରୁଆରିରେ ସ୍ବାମୀ ମୁକୁନ୍ଦାନନ୍ଦ ବ୍ରହ୍ମପୁରସ୍ଥିତ ଆଶ୍ରମକୁ ଆସିଥିବା ବେଳେ ଝିଅକୁ ଫେରାଇଦେବା ପାଇଁ ସେ ଅନୁରୋଧ କରିଥିଲେ। ବର୍ତ୍ତମାନ ଚିକିତ୍ସା ଚାଲିଛି, ଚିକିତ୍ସା ସରିଲେ ଆସିବ ସେ ବୋଲି ପ୍ରତିଶ୍ରୁତି ବି ଦେଇଥିଲେ। ’ ତେବେ, ଝିଅ ନଫେରିବାରୁ ପୁଷ୍ପାବତୀ ବାରମ୍ବାର ଫୋନ୍‌ କରିବାପରେ ତାଙ୍କ ଫୋନ୍‌କୁ କାଟି ଦେଉଥିବା ସହ ତାଙ୍କ ନମ୍ବରକୁ ବ୍ଲକ୍‌ କରି ଦେଇଥିବା ବି ପୁଷ୍ପବତୀ ଅଭିଯୋଗ କରିଛନ୍ତି। ବାନାରା ଆଶ୍ରମରୁ ଝିଅକୁ ଆଣିବା ପାଇଁ ଯାଇଥିବାବ‌େଳେ ସୁରକ୍ଷାକର୍ମୀମାନେ ତାଙ୍କୁ ଛାଡ଼ି ନଥିଲେ।

ପୁଷ୍ପାବତୀଙ୍କଠାରୁ ସବୁକଥା ଶୁଣିବାପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏଏସ୍‌ପି ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର