ୟୁକ୍ରେନ୍‌‌ରେ ଫସିଛନ୍ତି ବରଗଡ଼ର ଛାତ୍ର

ବରଗଡ଼: ୟୁକ୍ରେନ୍‌ ଉପରେ ଋଷ ଆକ୍ରମଣ ଜାରି ରଖିଥିବାବେଳେ ସେଠାରେ ବରଗଡ଼ ସହରର ଛାତ୍ର କିସନଚନ୍ଦ୍ର ପଣ୍ଡା(୨୪) ଫସି ରହିଛନ୍ତି। କିସନ ସ୍ଥାନୀୟ ସରସ୍ବତୀ ଶିଶୁମନ୍ଦିରରେ ଦଶମ ଶ୍ରେଣୀ ପଢ଼ିବା ପରେ ଭୁବନେଶ୍ବରସ୍ଥିତ ଗୋଟିଏ ଘରୋଇ ଶିକ୍ଷାନୁଷ୍ଠାନରେ ‌ଯୁକ୍ତ ୨ (ବିଜ୍ଞାନ) ପଢ଼ୁଥିଲେ। ସେଠାରେ ମେଡିକାଲ୍‌ ପ୍ରବେଶିକା ପ୍ରସ୍ତୁତି କରୁଥିଲେ।

ସେଠାରୁ  ସେ ୟୁକ୍ରେନ୍‌ ଯାଇ ମେଡିକାଲ୍‌ ପାଠ ପଢ଼ୁଥିଲେ। ବର୍ତ୍ତମାନ ସେ ମେଡିକାଲ୍‌ ତୃତୀୟ ବର୍ଷ ଛାତ୍ର। ଯୁଦ୍ଧ ପରେ କିସନ ଏବଂ ତାଙ୍କ ସହପାଠୀମାନଙ୍କୁ କଲେଜ୍‌ କର୍ତୃପକ୍ଷ  ଗୋଟିଏ ଅଡିଟୋରିୟମ୍‌ରେ ଲୁଚାଇ ରଖିଛନ୍ତି। ବିସ୍କୁଟ ଏବଂ ଶୁଖିଲା ଖାଦ୍ୟ ଖାଇ ରହୁଥିବା ସେ ପରିବାରବର୍ଗଙ୍କୁ ଫୋନ୍‌ କରି ଜଣାଇଛନ୍ତି।

ତାଙ୍କ ପିତା ସନ୍ନ୍ୟାସୀ ପଣ୍ଡା ଏବଂ ମା’ ମୀତା ମହାପାତ୍ରଙ୍କ ସମେତ ଅନ୍ୟ ପରିବାରବର୍ଗ କିସନଙ୍କ ସୁରକ୍ଷିତ ପ୍ରତ୍ୟାବର୍ତନ ପାଇଁ ଆଶାବାଦୀ ଅଛନ୍ତି। ଗତ ଜାନୁଆରି ମାସରେ କିସନ ଶେଷ ଥର ପାଇଁ ବରଗଡ଼କୁ ତାଙ୍କ ଜଣେ ସଂପର୍କୀୟ ଭଉଣୀଙ୍କ ବାହାଘରକୁ ଆସିଥିଲେ। ଏଠାରେ ୧୫ ଦିନ ରହିବା ପରେ ସେ ୟୁକ୍ରେନ୍‌ ପ୍ରତ୍ୟାବର୍ତନ କରିଥିଲେ। କିସନଙ୍କ ସମେତ ଓଡ଼ିଶାର ଗୁଡ଼ାଏ ଛାତ୍ରଛାତ୍ରୀ ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର