କଳାବାଡ଼ିଆ: ବାଙ୍ଗିରିପୋଷି ଥାନା ଶ୍ୟାମସୁନ୍ଦରପୁର ପଞ୍ଚାୟତ ଉପର ଭାର୍ଦାଶୋଳ ଅଙ୍ଗନବାଡ଼ି କେନ୍ଦ୍ରରେ ଅଣ୍ଡାସିଝା ଗରମ ପାଣି ପଡ଼ି ଜଣେ ଛାତ୍ରୀ ଗୁରୁତର ହୋଇଛନ୍ତି। ସୂଚନା ଅନୁଯାୟୀ; ପାଚିକା ନିନମଣି ଗିରି ଅଣ୍ଡା ସିଝାଇବା ପରେ ଗରମ ପାଣିକୁ ଝରକା ପଟେ ଫିଙ୍ଗୁଥିବା ବେଳେ ସେହି ଅଙ୍ଗନବାଡ଼ିରେ ପଢୁଥିବା ଛାତ୍ରୀ ପାୟଲ ସିଂ(୫) ହଠାତ୍ ସେହିପଟେ ଯାଉଥିଲେ। ଫଳରେ ଛାତ୍ରୀଙ୍କ ମୁହଁରେ ଗରମ ପାଣିତକ ପଡ଼ି ଯାଇଥିଲା। ସେ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ତାଙ୍କ ମୁହଁ ଓ ପିଠିରେ ଫୋଟକା ହୋଇ ଭଗୀର କ୍ଷତ ସୃଷ୍ଟି ହୋଇଛି।
ତାଙ୍କୁ ଗୁରୁତର ଅବସ୍ଥାରେ ବାରିପଦା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତେବେ ଖବର ଲେଖାହେଲା ଯାଏ ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନାହିଁ ବୋଲି ଥାନା ଅଧିକାରୀ କମଳାକାନ୍ତ ଦାସ କହିଛନ୍ତି। ସିଡିପିଓ ମିନତି ଦାଶ କହିଛନ୍ତି, ଏହା ଏକ ଦୁର୍ଘଟଣା। କେହି ଜାଣିଶୁଣି ଏମିତି କରିନାହାନ୍ତି। ତଥାପି ଅଭିଯୋଗ ହେଲେ ତଦନ୍ତ ହେବ।