କଳାବାଡ଼ିଆ: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଜ୍ୟୋତି ଶିଳ୍ପ ତାଲିମ୍ କେନ୍ଦ୍ର ପଛପଟ ଦେଇଥିବା ଯାଇଥିବା ରେଳଧାରଣାରୁ ଜଣେ ଛାତ୍ରଙ୍କର ମୃତଦେହ ମିଳିଥିବା ବେଳେ ଆଜି ତାଙ୍କ ପରିଚୟ ସ୍ପଷ୍ଟ କରିଛି ପୁଲିସ। ମୃତକ ହେଲେ ଝାରପୋଖରିଆ ଥାନା ବାଉଁଶଦା ଗ୍ରାମର ସୁଦର୍ଶନ ମହାନ୍ତଙ୍କ ପୁଅ ବାପୁନ (୧୭)। ସେ ଉକ୍ତ ଆଇଟିଆଇରେ ଇଲେକ୍ଟ୍ରିସିଆନ୍ ବିଭାଗରେ ପଢ଼ିବାସହ ନିକଟସ୍ଥ ମେସ୍ରେ ରହୁଥିଲେ। ପୁଲିସ ସୂଚନା ମୁତାବକ, ଗତକାଲି ସନ୍ଧ୍ୟା ପ୍ରାୟ ୫.୧୫ ମିନିଟ୍ରେ ବାପୁନ ନିଜ ମୋବାଇଲ୍ରେ ରିଲ୍ସ ସୁଟିଂ କରି ରେଳଧାରଣାରେ ଚାଲୁଥିବା ବେଳେ ପଛରୁ ଆସୁଥିଲା ରୂପ୍ସା-ବାଙ୍ଗିରିପୋଷି ଡିଏମ୍ୟୁ ଟ୍ରେନ୍। ଏହାଦେଖି ସ୍ଥାନୀୟ କିଛି ଯୁବକ ଚିତ୍କାର କରି ବାପୁନଙ୍କୁ ଡାକିଥିଲେ ବି କାନରେ ଇୟରଫୋନ୍ ଲଗାଇଥିବାରୁ ସେ କିଛି ଜାଣି ପାରିନଥିଲେ। ଆଉ ଟ୍ରେନ୍ ଧକ୍କାରେ ସେଇଠି ବାପୁନଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ଦୁର୍ଘଟଣା ସତ୍ତ୍ବେ ଲୋକୋ ପାଇଲଟ୍ ଗାଡ଼ି ନ ରଖି ୧ କିମି ଦୂର ବାଙ୍ଗିରିପୋଷି ଷ୍ଟେସନ୍ ଯାଏ ଟ୍ରେନ୍ ନେଇ ଯାଇଥିଲେ। ସବୁଦିନ ଭଳି ୧୫ ମିନିଟ୍ ପରେ ପୁଣି ବାଙ୍ଗିରିପୋଷି ଷ୍ଟେସନ୍ଠାରୁ ଉକ୍ତ ଟ୍ରାକ୍ରେ ରୂପ୍ସା ଫେରିଥିଲା ଡିଏମ୍ୟୁ। ହେଲେ ସେତେବେଳ ଯାଏ ବାପୁନଙ୍କର ମୃତଦେହ ରେଳଧାରଣାରେ ସେମିତି ପଡ଼ି ରହିଥିଲା।
ସ୍ଥାନୀୟ ଯୁବକ ଏ ସଂକ୍ରାନ୍ତରେ ବାଙ୍ଗିରିପୋଷି ଥାନା ଓ ରେଳବାଇ ପୁଲିସକୁ ଖବର ଦେଇ ସେଠାରେ ଜଗି ରହିଥିଲେ। ତେବେ ପୁଲିସ ପହଞ୍ଚିବା ପୂର୍ବରୁ ଟ୍ରେନ୍ଟି ପୁଣି ଉକ୍ତ ଟ୍ରାକ୍ରେ ଫେରୁଥିବା ଦେଖି ଯୁବକମାନେ ନାଲି କପଡ଼ା ଦେଖାଇ ଟ୍ରେନ୍ ଅଟକାଇବାକୁ ଚେଷ୍ଟା କରିଥିଲେ। ଟ୍ରେନ୍ର ବେଗ କମ୍ ଥିଲେ ବି କୌଣସି କାରଣରୁ ଲୋକୋ ପାଇଲଟ୍ ନାଲି କପଡ଼ା ଦେଖି ମଧ୍ୟ ଗାଡ଼ି ଅଟକାଇ ନଥିଲେ। ଫଳରେ ବାପୁନଙ୍କ ଶବ ଉପରେ ଦ୍ବିତୀୟବାର ଟ୍ରେନ୍ ଚଢ଼ିଯାଇଥିଲା ଓ ତାଙ୍କର ଗୋଟିଏ ଗୋଡ଼ କଟି ଯାଇଥିଲା। ଏହାକୁ ନେଇ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। କିଛି ସମୟ ପରେ ରେଳବାଇ ପୁଲିସ ଓ ବାଙ୍ଗରିପୋଷି ଥାନା ପୁଲିସ ପହଞ୍ଚି ବୁଝାସୁଝା କରିବା ସହ ମୃତଦେହ ଜବତ କରିଥିଲା। ଆଜି ବ୍ୟବଚ୍ଛେଦ ପରେ ବାପୁନଙ୍କ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଛି ପୁଲିସ। ତାଙ୍କ ବିୟୋଗରେ ଜ୍ୟୋତି ଆଇଟିଆଇ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରାଯିବା ସହ ଦିବଂଗତ ଆତ୍ମାର ସଦ୍ଗତି କାମନା କରାଯାଇଛି।