ରାଉରକେଲା: କେନ୍ଦ୍ର ସରକାରଙ୍କ ବିଜ୍ଞାନ ଜ୍ୟୋତି କାର୍ଯ୍ୟକ୍ରମ ଅଧିନରେ ଆଜି ଜିଙ୍କ୍‌ନଗର ଜବାହର ନବୋଦୟ ବିଦ୍ୟାଳୟ ଓ ସୁନ୍ଦରଗଡ଼ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରୀ ରାଉରକେଲାସ୍ଥ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍‌ଆଇଟି) ପରିଦର୍ଶନ କରିଛନ୍ତି। ଉଭୟ ଅନୁଷ୍ଠାନରେ ନବମରୁ ଦ୍ବାଦଶ ଶ୍ରେଣୀରେ ପଢ଼ୁଥିବା ମୋଟ୍‌ ୫୫ ଜଣ ଛାତ୍ରୀ ଏଥିରେ ସାମିଲ ହୋଇଥିଲେ। ଛାତ୍ରୀମାନେ ଅନୁଷ୍ଠାନର ବିଭିନ୍ନ ବିଭାଗର ଲାବୋରେଟୋରୀ ସମେତ କେନ୍ଦ୍ରୀୟ ଅନୁସନ୍ଧାନ ସୁବିଧା(ସିଆର୍‌ଏଫ୍‌), ଛାତ୍ର କାର୍ଯ୍ୟକଳାପ କେନ୍ଦ୍ର(ସାକ୍‌), ଇନୋଭେସନ୍ ସେଲ୍ ଆଦି ପରିଦର୍ଶନ କରିଥିଲେ।

Advertisment

ଏହି ଉପଲକ୍ଷେ ଅନୁଷ୍ଠାନ ପରିସରରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ମୁଖ୍ୟଅତିଥି ଅନୁଷ୍ଠାନର ନିର୍ଦ୍ଦେଶକ କେ. ଉମାମହେଶ୍ବର ରାଓ କହିଲେ, ସଂପ୍ରତି ଏଭଳି କୌଣସି କ୍ଷେତ୍ର ନାହିଁ; ଯେଉଁଠାରେ ମହିଳା ପ୍ରତିନିଧି ନାହାନ୍ତି। ଚନ୍ଦ୍ରୟାନ-୩ର ସଫଳ ଅବତରଣ ପଛରେ ଥିବା ବୈଜ୍ଞାନିକ ମଣ୍ଡଳୀଙ୍କ ମଧ୍ୟରେ ୮ ଜଣ ମହିଳା ବୈଜ୍ଞାନିକ ଅଛନ୍ତି। ବାସ୍ତବରେ ଛାତ୍ରୀମାନେ ଭବିଷ୍ୟତରେ କ’ଣ ହେବାକୁ ଲକ୍ଷ୍ୟ ରଖିଛନ୍ତି, ତାହା ଏବେଠାରୁ ସ୍ଥିର କରନ୍ତୁ। ଟେକ୍ନୋଲୋଜି ଓ କଠିନ ପରିଶ୍ରମ ବଳରେ ଯେ କୌଣସି ପ୍ରତିକୂଳ ପରିସ୍ଥିତିର ସଫଳ ମୁକାବିଲା କରିହେବ। ସ୍ବତନ୍ତ୍ର ଅତିଥି କୁଳସଚିବ ପ୍ରଫେସର ରୋହନ ଧୀମାନ ଡିଏସ୍‌ଟି ବିଭାଗ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।

ଛାତ୍ରୀମାନେ କେବଳ ଲୋକପ୍ରିୟ ଇଞ୍ଜିନିୟରିଂ, ବିଜ୍ଞାନ ବିଷୟରେ ପଢ଼ିବା ବ୍ୟତିତ ଅନ୍ୟାନ୍ୟ ପାଠ୍ୟକ୍ରମକୁ ଆପଣେଇ ନେବାକୁ ଆହ୍ବାନ କରିଥିଲେ। ନୋଡାଲ ଅଫିସର ଫିଜିକ୍ସ ଓ ଆଷ୍ଟ୍ରୋନମି ବିଭାଗର ପ୍ରଫେସର ଏସ.ଏନ. ଦାଶ ସ୍ବାଗତ ଭାଷଣରେ କହିଲେ, ସାଇନ୍ସ, ଟେକ୍ନୋଲୋଜି, ଇଞ୍ଜିନିଅରିଂ, ଗଣିତ ଆଦିରେ ମହିଳା ପ୍ରତିନିଧିତ୍ବକୁ ସୁନିଶ୍ଚିତ କରିବା ପାଇଁ ଭାରତ ସରକାରଙ୍କ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା(ଡିଏସ୍‌ଟି) ବିଭାଗ ପକ୍ଷରୁ ବିଜ୍ଞାନ ଜ୍ୟୋତି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏନ୍‌ଆଇଟି ଜ୍ଞାନ ସହଭାଗୀ ଭାବେ ନିୟମିତଭାବେ ବିଜ୍ଞାନ କର୍ମଶାଳା, ସ୍ବତନ୍ତ୍ର ବକ୍ତୃତା କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରୀମାନଙ୍କୁ ବିଜ୍ଞାନର ବିଭିନ୍ନ ଆକର୍ଷଣୀୟ ଶାଖା ବିଷୟରେ ଅବଗତ କରୁଛି। ଏଥିରେ ସାମିଲ ହୋଇ ଏ ଦିଗରେ ଜ୍ଞାନ ଆହରଣ କରିବାକୁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମରେ ଜେଏନ୍‌ଭି ସଂଯୋଜକ ଭୁପେନ୍ଦ୍ର କୁମାର ଓ ସହ ସଂଯୋଜକ ଚିରଞ୍ଜିତ ଦତ୍ତ ସାମିଲ ଥିଲେ।