ବୁର୍ଲା: ଗତ ବୁଧବାର ରାତିରେ ଗୋଲଡେନ୍ ଜୁବ୍‌ଲି ଛାତ୍ରାବାସରେ ରାଗିଂ ଘଟଣାରେ ସମ୍ବଲପୁର ବିଶ୍ବବିଦ୍ୟାଳୟ କଠୋର ଅଭିମୁଖ୍ୟ ଗ୍ରହଣ କରିଛି। ତଦନ୍ତ ରିପୋର୍ଟ ମିଳିବା ପରେ ଏହି ରାଗିଂ ଘଟଣାରେ ସଂପୃକ୍ତ ଏମ୍‌ବିଏ ବିଭାଗର ଜଣେ ବରିଷ୍ଠ ଛାତ୍ରଙ୍କୁ ୧୫ ଦିନ ପର୍ଯ୍ୟନ୍ତ ଗୋଲଡେନ୍ ଜୁବ୍ଲି ଛାତ୍ରାବାସରୁ ବହିଷ୍କାର କରାଯାଇଛି ବୋଲି ଭାରପ୍ରାପ୍ତ କୁଳପତି ପ୍ରଫେସର ସଂଯୁକ୍ତା ଦାସ ସୂଚନା ଦେଇଛନ୍ତି।

Advertisment

ପ୍ରାପ୍ତ ସୂଚନା ଅନୁସାରେ, ସମ୍ବଲପୁର ବିଶ୍ବବିଦ୍ୟାଳୟ ଏମ୍‌ବିଏ ବିଭାଗର ବରିଷ୍ଠ ଛାତ୍ରଙ୍କ ଦ୍ଵାରା ଗଣିତ ବିଭାଗର ପ୍ରଥମ ବର୍ଷର ଛାତ୍ରଙ୍କୁ ହୋଇଥିବା ରାଗିଂ ହୋଇଥିବା ଅଭିଯୋଗ ହୋଇଥିଲା। ଏହାର ତଦନ୍ତ ପାଇଁ ଏକ କମିଟି ଗଠନ କରାଯାଇଥିଲା। ଏହି ତଦନ୍ତ କମିଟି ଆଜି ତଦନ୍ତ ରିପୋର୍ଟ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିଥିବା ସୂଚନା ମିଳିଛି। ତଦନ୍ତ ରିପୋର୍ଟ ଅନୁଯାୟୀ ଏହି ରାଗିଂ ଘଟଣାରେ ଏମ୍‌ବିଏ ବିଭାଗର ଜଣେ ବରିଷ୍ଠ ଛାତ୍ରର ସଂପୃକ୍ତି ଥିବାରୁ ତାଙ୍କୁ ଆଗାମୀ ୧୫ ଦିନ ପର୍ଯ୍ୟନ୍ତ ଗୋଲଡେନ୍ ଜୁବ୍‌ଲି ଛାତ୍ରାବାସରୁ ବହିଷ୍କାର କରାଯାଇଛି। ଏହି ସମ୍ବନ୍ଧରେ ସଂପୃକ୍ତ ଛାତ୍ରର ଅବିଭାବକଙ୍କୁ ମଧ୍ୟ ଜଣାଇ ଦିଆଯାଇଛି। ଆଗକୁ ଯେମିତି ଏଭଳି ପରିସ୍ଥିତି ସୃଷ୍ଟି ନହୁଏ ସେଥିପାଇଁ ଛାତ୍ରାବାସର ଅଧୀକ୍ଷକ, ୱାଡେନଙ୍କ ମୋବାଇଲ୍ ନମ୍ବର ରଖି କୌଣସି ଅସୁବିଧା ହେଲେ ତୁରନ୍ତ ଜଣାଇବାକୁ ଛାତ୍ରଛାତ୍ରୀମାନଙ୍କୁ କୁଳପତି ପ୍ରଫେସର ଦାସ ପରାମର୍ଶ ଦେଇଛନ୍ତି।