ବରଗଡ଼: ରାଜ୍ୟରେ ବିସ୍ଥାପନକୁ ନେଇ ସବୁବେଳେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। କିନ୍ତୁ ବରଗଡ଼ ଜିଲ୍ଲାରେ ରହିଛି ଏକ ସଫଳ ବିସ୍ଥାପନ କାହାଣୀ। ବିସ୍ଥାପିତମାନେ କ୍ଷତିପୂରଣ ରାଶିକୁ ନେଇ ଖୁସି ଅଛନ୍ତି। ସରକାର ଏବଂ ବନ ବିଭାଗ ପକ୍ଷରୁ ଯାହା ବ୍ୟବସ୍ଥା କରାଯାଇଛି, ସେଥିରେ ସଭିଏଁ ସନ୍ତୁଷ୍ଟ ରହି ହସଖୁସିରେ ଜୀବନଯାପନ କରୁଛନ୍ତି। ଜିଲ୍ଲାର ସୀମାନ୍ତ ବ୍ଲକ୍ ଅମ୍ବାଭୋନାର ଦୁର୍ଗମ ଡେବ୍ରିଗଡ଼ ଅଭୟାରଣ୍ୟ ଭିତରେ ରହିଯାଇଥିଲା ତିନିଟି ଗାଁ। କୁରୁମକେଲ୍, ଭୁତୁଲି ଏବଂ ରେଂଗାଲି। କୁରୁମକେଲ୍ର ୩୧୩, ଭୁତୁଲିର ୯୧ ଏବଂ ରେଂଗାଲି ଗାଁର ୫୫ଟି ପରିବାରକୁ ସଫଳତାର ସହିତ ଏବଂ ବିନା କୌଣସି ବିବାଦରେ ଚକ୍ରାମାଲ ପାଖ କ୍ୟାମ୍ପ କଲୋନିକୁ ସ୍ଥାନାନ୍ତର କରାଯାଇଛି। ଗତବର୍ଷ ଏହି ପ୍ରକ୍ରିୟା ଶେଷ ହୋଇଥିଲା। ବିସ୍ଥାପିତଙ୍କ ସ୍ଥିତି ପରଖିବାକୁ ଏହି କଲୋନିରେ ପହଞ୍ଚିଥିଲା ‘ସମ୍ବାଦ ଟିମ୍’।
ବିସ୍ଥାପିତ ହୋଇଥିବା ସମସ୍ତ ୩୫୯ଟି ପରିବାର ଗୋଟିଏ କଲୋନିରେ ରହୁଛନ୍ତି। ଗାଁ ନାମ ଅଲଗା ଥିଲେ ସମସ୍ତେ ଗୋଟିଏ ଗ୍ରାମର ବାସିନ୍ଦା ଭାବେ ବସବାସ କରୁଛନ୍ତି। ପ୍ରତି ପରିବାରର ୧୮ବର୍ଷରୁ ଅଧିକ ବୟସର ସଦସ୍ୟଙ୍କୁ ମୁଣ୍ଡପିଛା ୧୫ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ମିଳିଛି। ଏହାବାଦ୍ ୧୦ ଡିସ୍ମିଲ୍ ଲେଖାଏଁ ଜମି ବି ମିଳିଛି। ବ୍ୟାଙ୍କ୍ ଖାତାରେ ଜମା ଥିବା ଏହି ଟଙ୍କାରୁ ପରିବାର ପୋଷିବାକୁ ଭଲ ସୁଧ ରାଶି ମିଳୁଛି। ପରିବାର ଚଳାଇବାକୁ ମାସିକ ମିଳୁଥିବା ସୁଧରାଶି ପର୍ଯ୍ୟାପ୍ତ ବୋଲି ଅଧିକାଂଶ ବିସ୍ଥାପିତଙ୍କ ମତ। ଏହି କଲୋନିରେ ଭାଇଚାରା ବଜାୟ ରହିଛି। ସମସ୍ତେ ସାମାଜିକ ବନ୍ଧନରେ ବାନ୍ଧି ହୋଇ ପର୍ବପର୍ବାଣି ପାଳନ କରୁଛନ୍ତି। ବିସ୍ଥାପନକୁ ନେଇ କେହି ଅସନ୍ତୁଷ୍ଟ ନଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/08/465j465gjdjgjgjggjdgj.jpg)