କେନ୍ଦୁଝର : ଫୁଲ ଚାଷ ପାଇଁ ପ୍ରୋତ୍ସାହନ ନାହିଁ। କିନ୍ତୁ ଏହାସତ୍ତ୍ବେ ବି ଜଣେ ଫୁଲ ଚାଷୀ ଫୁଲ ଚାଷ କରି ସଫଳ ହୋଇଛନ୍ତି। ଗୁଣ୍ଠେ କି ଦୁଇ ଗୁଣ୍ଠ ଜମି ନୁହେଁ, ବରଂ ଦୁଇଏକର ଜମିରେ ଭଳି କି ଭଳି ଫୁଲ ଚାଷ କରି ସେ ସଫଳ ଫୁଲ ଚାଷୀର ଗୌରବ ଅର୍ଜନ କରିଛନ୍ତି।

Advertisment

କେନ୍ଦୁଝର ସଦର ବ୍ଲକର ବାଉରୀପଦା ପଞ୍ଚାୟତର ମନୋହରପୁର ଗାଁ। ଏହି ଗାଁରେ ମଳୟ ନାୟକ ପ୍ରାୟ ୧୦ ବର୍ଷ ପୂର୍ବେ ଫୁଲ ଚାଷ କରିଥିଲେ। ପ୍ରଥମେ ଅଳ୍ପ କିଛି ଗୁଣ୍ଠ ଜମିରେ ଫୁଲ ଚାଷ କରିଥିବା ବେଳେ ଏବେ ୨ ଏକର ଜମିରେ ଫୁଲ ଚାଷ ହୋଇଛି। ସବୁଦିନିଆ ଫୁଲ ଚମ୍ପୁଆ, ଟଗର, ମନ୍ଦାରଠୁ ଆରମ୍ଭ କରି ଋତୁକାଳୀନ ଫୁଲ ଗେଣ୍ଡୁ, ଗୋଲାପ ପର୍ଯ୍ୟନ୍ତ ସବୁ ଲଗାଇଛନ୍ତି।

ସାଧାରଣତଃ ଗ୍ରାମାଞ୍ଚଳରେ ଫୁଲ ଚାଷ କଲେ  ବିକ୍ରି କରିବା ସମସ୍ୟା ଥାଏ। କିନ୍ତୁ ଏହି ବିକ୍ରି କରିବ ସମସ୍ୟାକୁ ଅତି ଚତୁରତାର ସହିତ ଏଡ଼ାଇବାରେ ସଫଳ ହୋଇଛନ୍ତି ଫୁଲ ଚାଷୀ ମଳୟ କୁମାର ନାୟକ। ସେ ସାଧାରଣତ ଗେଣ୍ଡୁ ଫୁଲ ଋତୁରେ ଅଧିକ ଅମଳ ହେଉଥିବାରୁ କେନ୍ଦୁଝର ସହରର ଥାନା ଛକରେ ସେ ନିୟମିତ ସବୁଦିନ ସକାଳେ ଏହାକୁ ବିକ୍ରି କରି ଦେଇଥାନ୍ତି। କିନ୍ତୁ ଯେଉଁ ସମୟରେ ଗେଣ୍ଡୁ ଫୁଲ ନ ଥାଏ ସେ ସମୟରେ ମନ୍ଦାର, ଟଗର, ଅପରାଜିତା ଓ ଚମ୍ପା ଭଳି ଫୁଲକୁ ସହରରେ ୧୦ ଟଙ୍କା ଏବଂ ୨୦ ଟଙ୍କା ପ୍ୟାକେଟ କରି ବିକ୍ରି କରିଥାନ୍ତି। ଯେଉଁଥିପାଇଁ ବର୍ଷା ସାରା ତାଙ୍କର ଫୁଲ ବିକ୍ରି କରିବାର ସମସ୍ୟା ରୁହେ ନାହିଁ। ତେବେ ଏଭଳିଖୁଚରା ଭବେ ଫୁଲକୁ ବିକ୍ରି କରିବା ପରେ ସେ ମଧ୍ୟ ବିଭିନ୍ନ ବାହାଘର, ବ୍ରତଘର ସମୟରେ ଫୁଲ ଗାଡ଼ି କିମ୍ବା ବେଦୀ ସଜାଇଥାନ୍ତି।

ମଳୟଙ୍କ କହିବା କଥା ହେଉଛି, ପୂର୍ବରୁ ତାଙ୍କ ବାପା ଧାନ ଚାଷ କରୁଥିଲେ। ମାତ୍ର ବିଶେଷ ରୋଜଗାର ନ ହେବାରୁ ତାଙ୍କ ବଡ଼ବାପା ଶରତ ଚନ୍ଦ୍ର ନାୟକଙ୍କ ଫୁଲ ଚାଷ ଆରମ୍ଭ କରିଥିଲେ। ତାଙ୍କ ବଡ଼ବାପା ଗାର୍ଡେନର ଭାବେ ସରକାରୀ ନିଯୁକ୍ତି ପାଇଥିବାରୁ ତାଙ୍କ ପରାମର୍ଶରେ ଏହି ଫୁଲ ଚାଷ ଆରମ୍ଭ କରାଯାଇଥିଲା। ଯାହା ଆଜି ତାଙ୍କୁ ସଫଳତା ଦେଇଛି। ଫୁଲ ଚାଷ ପାଇଁ ସବୁବେଳେ ଗଛ ସହିତ ଲାଗିବାକୁ ପଡ଼ିଥାଏ। କୌଣସି ସରକାରୀ ସୁବିଧା ପାଉ ନଥିବା ମଳୟ  ନିୟମିତ ଭାବେ କଲିକତାରୁ ଫୁଲ ଚାରା ମଗାଇଥାନ୍ତି। ସେଠାରୁ ପ୍ରଥମେ ପ୍ରଥମେ ଆଣିଥିବା ଫୁଲ ଚାରାରେ ଟିକେ ସମସ୍ୟା ଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଅଭିଜ୍ଞତା ଅନୁସାରେ, ଏହା ଭଲ ଅମଳ ହେଉଛି ବୋଲି କୁହନ୍ତି ମଳୟ।

ଏବେ ତାଙ୍କ ଜମି‌ରେ ୬୫୦ଟି ଗୋଲାପ ଗଛ ଥିବା ବେଳେ ଅବଶିଷ୍ଟ ସବୁ ଗେଣ୍ଡୁ ଗଛ ଅଛି। ଏହାବାଦ୍‌ ପ୍ରତ୍ୟେକଙ୍କ ଜମିର ହିଡରେ ମନ୍ଦାର, ଟଗର, ଅପରାଜିତା ଭଳି ଗଛ ଲାଗିଛି। ଏହି ଫୁଲ ଚାଷରୁ ମାସିକ ପ୍ରାୟ ୬୦ ହଜାର ଟଙ୍କା ସେ ରୋଜଗାର କରନ୍ତି। ସରକାର ସୁବିଧା ସୁଯୋଗ ଏବଂ ପ୍ରୋତ୍ସାହନ ମିଳିଲେ କେନ୍ଦୁଝର ଜିଲ୍ଲାର ଫୁଲ ଚାଷୀ ବି ଆଗକୁ ବଢ଼ିପାରିବେ ବୋଲି କୁହନ୍ତି ମଳୟ।