ରଥଯାତ୍ରା ଦିନ ପ୍ରତୀକାତ୍ମକ ରଥଟଣା: ଦ୍ବିତୀୟ ଦିନ ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଞ୍ଚିବ ରଥ

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରଥମ ତଥା ମୂଳ ସେବକ ହେଉଛନ୍ତି ଆଦିବାସୀ। ଆମ ଓଡ଼ିଶାର ସଂସ୍କୃତି ଓ ଇତିହାସର ଗୌରବମୟ ଗାଥାକୁ ଆଜି ବି କୋଟି କୋଟି ଭକ୍ତ ଶ୍ରଦ୍ଧା ଓ ସମ୍ମାନର ସହ ନିଜ ହୃଦୟରେ ସାଇତି ରଖିଛନ୍ତି। ଏହା ଆମ ଅସ୍ମିତା ଓ ଦାୟିତ୍ବବୋଧ ମଧ୍ୟ। ମହାପ୍ରଭୁଙ୍କ ମୂଳ ସେବକ ତଥା ‌ଜଣେ ଆଦିବାସୀ ଭାବେ ମୁଁ ନିଜକୁ ସେହି ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ନିକଟରେ ସମ୍ପୂର୍ଣ୍ଣ ସମର୍ପଣ କରି ଦେଇଛି। ଏଣୁ ସେହି ବିଶ୍ବ ଦେବତାଙ୍କ ପବିତ୍ର ଘୋଷଯାତ୍ରାରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପ୍ରତ୍ୟେକ ବିଧି, ନିର୍ଘଣ୍ଟ ନୀତିକାନ୍ତି ଓ ଯାନିଯାତ୍ରା ଜନିତ ବିଧିବ୍ୟବସ୍ଥା ଯେପରି ତ୍ରୁଟିଶୂ୍ନ୍ୟ ଓ ସଫଳ ରୂପେ ଶେଷ ହେବ, ସେ ନେଇ ମୁଁ ସମସ୍ତଙ୍କଠାରୁ ଆନ୍ତରିକ ସହଯୋଗ କାମନା କରୁଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ।

ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ମୋର ବିଶ୍ବାସ, ଆମେ ଏହାକୁ ସଫଳ କରିବାରେ ସମର୍ଥ ହେବା। ସମସ୍ତ ସରକାରୀ ପଦାଧିକାରୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏହି ମହାନ ପର୍ବକୁ ନିଜ ଜୀବନର ବ୍ରତ ଭାବେ ପାଳନ କରି ନିଜ ନିଜ ଦାୟିତ୍ବକୁ ସୂଚାରୁରୂପେ ପାଳନ କରି ଶ୍ରୀକ୍ଷେତ୍ର ତଥା ଓଡ଼ିଶାର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବେ। ରଥଯାତ୍ରା ସ୍ବତନ୍ତ୍ର ସମୀକ୍ଷା ବୈଠକରେ ଆଜି ମହାପ୍ରଭୁଙ୍କ ପ୍ରତି ମୁଖ୍ୟମନ୍ତ୍ରୀଙ୍କ ଏଭଳି ସମର୍ପଣ ଭାବ ଓ ଭାବବିହ୍ବଳପୂର୍ଣ୍ଣ ଭାଷଣରେ କରତାଳିରେ ଭରି ଯାଇଥିଲା ପୂରା ପରିବେଶ। ଜୁଲାଇ ୭ ତାରିଖରେ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା। ଏଥିପାଇଁ ଆଜି ପୁରୀ ଟାଉନ୍‌ ହଲ୍‌ଠାରେ ସ୍ବତନ୍ତ୍ର ତଥା ଶେଷ ରଥଯାତ୍ରା ସମୀକ୍ଷା ଓ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସେବାୟତ, ପୁଲିସ, ପ୍ରଶାସନିକ ଅଧିକାରୀ, ସ୍ବେଚ୍ଛାସେବୀଙ୍କ ଉଦ୍ଦେଶ୍ୟରେ କହିଥିଲେ, ଆପଣମାନଙ୍କ ସକ୍ରିୟ ସମ୍ପୃକ୍ତି ଓ ସହଯୋଗ, ଏ ମହାନ ପର୍ବକୁ ସଫଳ କରି ପାରିବ। ଆଜି କେବଳ ଓଡ଼ିଶା ନୁହେଁ, ବିଶ୍ବର କୋଣ ଅନୁକୋଣରେ ଶ୍ରୀଜଗନ୍ନାଥ ସଂସ୍କୃତି କୋଟିକୋଟି ଲୋକଙ୍କ ହୃଦୟ‌ରେ ବସା ବାନ୍ଧି ସାରିଛି। ଦେଶ ବିଦେଶରେ ରଥଯାତ୍ରା ମହାସମାରୋହରେ ଭକ୍ତିଭାବ ଓ ଉତ୍ସାହ ସହ ପାଳିତ ହେବା ଆମ ପାଇଁ ଅତ୍ୟନ୍ତ ଗର୍ବ ଓ ଗୌରବର ବିଷୟ। ଏହା ପ୍ରକୃତରେ ପ୍ରମାଣ କରେ ‘ବସୁ‌‌ଧୈବ କୁଟୁମ୍ବକମ୍’’।

ଦ୍ବିତୀୟ ଦିନ ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଞ୍ଚିବ ରଥ
ଜଣେ ଆଦିବାସୀ ଭାବେ ମୁଁ ନିଜକୁ ମହାପ୍ରଭୁଙ୍କଠାରେ ସମର୍ପି ଦେଇଛି: ମୁଖ୍ୟମନ୍ତ୍ରୀ
ତ୍ରୁଟିଶୂନ୍ୟ ରଥଯାତ୍ରା ପାଇଁ ଆନ୍ତରିକ ସହଯୋଗ ଲୋଡ଼ିଲେ
ଭକ୍ତଙ୍କ ସହ ରାଷ୍ଟ୍ରପତି ମଧ୍ୟ ମହାପ୍ରଭୁଙ୍କ ରଥ ଟାଣିବେ

ମୁଖ୍ୟମନ୍ତ୍ରୀ କହିଥିଲେ, ରାଷ୍ଟ୍ରପତି ବି ଶ୍ରୀଗୁଣ୍ଡିଚା ଯାତ୍ରା ଦେଖିବାକୁ ଆସୁଛନ୍ତି। ୬ ତାରିଖରେ ଶ୍ରୀକ୍ଷେତ୍ରରେ ଆସି ପହଞ୍ଚିବେ ରାଷ୍ଟ୍ରପତି। ୭ ତାରିଖ ଅପରାହ୍ଣରେ ସେ ରଥଟଣା ଉତ୍ସବ ସମୟରେ ସାମିଲ୍‌ ହେବେ। ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସମସ୍ତଙ୍କ ସହଯୋଗକ୍ରମେ ଭବ୍ୟ ରଥଯାତ୍ରା ପାଳନ କରିବାକୁ ନିବେଦନ କରିଥିଲେ। ସେ କହିଥିଲେ, ଭକ୍ତ ଯେଭଳି ଭଲରେ ଦର୍ଶନ କରି ଫେରିବେ, ସେ ଦିଗରେ ଆମେ ସମସ୍ତ ବ୍ୟବସ୍ଥା କରିଛୁ। ସେବାୟତଙ୍କ ସଂପୃକ୍ତି ଓ ସହଯୋଗରେ ନିଶ୍ଚିତ ଶୃଙ୍ଖଳିତ ଭାବେ ଚଳିତ ରଥଯାତ୍ରା ଶେଷ ହେବ। ସାରା ବିଶ୍ବ ଚଳିତବର୍ଷର ଶୃଙ୍ଖଳିତ ରଥଯାତ୍ରା ଦେଖିବ ବୋଲି ଆଇନମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଥିଲେ।

ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କହିଥିଲେ, ଭକ୍ତ ଯେଭଳି ସୁଖଦ ଦର୍ଶନ କରି ଫେରିବେ, ସେ ବ୍ୟବସ୍ଥା କରାଯାଇଛି। ଗୋଟିଏ ଦିନରେ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା ପଡ଼ୁଥିବାରୁ ଏହା ଆମ ପାଇଁ ବଡ଼ ଆହ୍ବାନ। ଚଳିତବର୍ଷ ଦୁଇଦିନ ରଥଯାତ୍ରା ହେବ। ପ୍ରଥମ ଦିନ ପ୍ରତୀକାତ୍ମକ ଭାବେ ରଥ ଟଣାଯିବ। ପରଦିନ ରଥ ତ୍ରୟ ଶ୍ରୀଗୁଣ୍ଡିଚା ମନ୍ଦିରଠାରେ ପହଞ୍ଚିବେ। ଚଳିତବର୍ଷ ରଥଯାତ୍ରାରେ ରାଷ୍ଟ୍ରପତି ଆସୁଛନ୍ତି। ଏଥିପାଇଁ ସମସ୍ତ ସରକାରୀ ଅଧିକାରୀ ପ୍ରସ୍ତୁତ ଅଛନ୍ତି ବୋଲି ଶ୍ରୀ ଆହୁଜା କହିଥିଲେ। ବୈଠକରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ, ପରିବହନ ମନ୍ତ୍ରୀ, ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସମେତ ଜିଲ୍ଲାର ବିଧାୟକ, ବରିଷ୍ଠ ପୁଲିସ ଅଧିକାରୀ, ପ୍ରଶାସନିକ ଅଧିକାରୀ, ସେବାୟତମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର