ଜାଲ୍ ସାର୍ଟିଫିକେଟ୍ ଦେଇ ଚାକିରି କରିଥିବା ଶିକ୍ଷକ ଗିରଫ

ସମ୍ବଲପୁର: ମହଙ୍ଗା ପଡ଼ିଲା ଜାଲ୍‌ ସାର୍ଟିଫିକେଟ୍‌ ଦେଇ ଚାକିରି କରିବା। ଶେଷରେ ଠକ ଶିକ୍ଷକ ଦୈତାରୀ ମହାପାତ୍ରଙ୍କୁ ପୁଲିସ ଗିରଫ କରିଛି। ଶାସନ ଥାନା ପରମାଣପୁରର ଦୈତାରୀ ମହାପାତ୍ର ଜାଲ୍‌ ସିଟି ସାର୍ଟିଫିକେଟ୍‌ ଦେଇ ଜାମପାଲି ପ୍ରାଥମିକ ବିଦ୍ୟାଳୟ ପରମାଣପୁରରେ ୨୦୦୫ରୁ ଚାକିରି କରୁଥିଲେ। ଠକ ଶିକ୍ଷକ ଦୈତାରୀଙ୍କର ୨୦୧୧ରେ ରେଗୁଲାର୍‌ ମଧ୍ୟ ହୋଇଥିଲା। ଅଭିଯୋଗ ହେବା ପରେ ତାଙ୍କର ସିଟି ସାର୍ଟିଫିକେଟ ଭେରିଫିକେସନ ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ କଟକକୁ ପଠାଯାଇଥିଲା। ତାପରେ ଦୈତାରୀ ମହାପାତ୍ର ଜାଲ୍‌ ସାର୍ଟିଫିକେଟ ଦେଇ ଚାକିରି କରୁଥିବା ଜଣାପଡ଼ିଥିଲା।

ମାନେଶ୍ବର ବିଇଓଙ୍କ ନିର୍ଦ୍ଦେଶକ୍ରମେ ୨୦୨୦ର ତାଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଥିଲା। ଜାଲ୍‌ ସାର୍ଟିଫିକେଟ୍‌ ଦେଇ ପାଖାପାଖି ୧୫ ବର୍ଷ ସେ ଚାକିରି କରିବା ସହ ସରକାରୀଙ୍କ ଠାରୁ ଦରମା ମଧ୍ୟ ନେଇଛନ୍ତି। ତେଣୁ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଭବାନୀଫିଲ୍ଡର ନିରଞ୍ଜନ ବଡ଼ପଣ୍ଡା ଟାଉନ୍‌ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଅଭିଯୁକ୍ତ ଦୈତାରୀ ମହାପାତ୍ରକୁ ପୁଲିସ ଗିରଫ କରି ଗୁରୁବାର କୋର୍ଟଚାଲାଣ କରିଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ଓଡ଼ିଶା ସରକାରଙ୍କ ଓପିଏସ୍‌ସି, ଓଏସ୍‌ଏସ୍‌ସି ଆଦିର କୌଣସି ପଦବୀ ପାଇଁ ଫର୍ମ ପୂରଣ ବେଳେ ଆଶାୟୀମାନେ ନାକେଦମ୍‌ ହୋଇଯାଉଥିବା ବେଳେ, ବିନା ଯାଞ୍ଚରେ ଶିକ୍ଷକ ଭଳି ଗୁରୁତ୍ବପୂର୍ଣ୍ଣ ପଦବୀ ପାଇଁ ନିଯୁକ୍ତି ଦିଆଯାଉଛି। ଯଦି ଭେରିଫିକେସନ୍‌ ସମୟରେ ଫେକ୍‌ ବୋଲି ଜଣାପଡ଼ିଯାଉଛି, ତେବେ ପ୍ରଥମେ ଚାକିରି ଆରମ୍ଭ ସମୟରେ କାହିଁକି ତାହା ଜଣାପଡ଼ିଲା ନାହିଁ, ତାକୁ ନେଇ ପ୍ରଶ୍ନ ମଧ୍ୟ ଉଠୁଛି।

ସମ୍ବନ୍ଧିତ ଖବର