ବ୍ରଜରାଜନଗର : ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଓପିଏମ୍‌ ସରକାରୀ ହାଇସ୍କୁଲର ସଂସ୍କୃତ ଶିକ୍ଷୟିତ୍ରୀ ସସ୍ମିତା ଜେନା ନିଜର ଏକ ବର୍ଷର ଶିଶୁ କନ୍ୟାକୁ କୋଳରେ ଧରି ଛାଡ଼ିଥିବା କୋହଭରା ଭିଡିଓ ସାମାଜିକ ଗଣମାଧ୍ୟମରେ ଏବେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ଜରିଆରେ ସେ ମୁଖ୍ୟମନ୍ତ୍ରୀ ଓ ଗଣଶିକ୍ଷା ମନ୍ତ୍ରୀଙ୍କୁ ନିଜର ବଦଳି ପାଇଁ ଗୁହାରି କରିଛନ୍ତି।

Advertisment

ସେ ଭିଡିଓରେ କହିଛନ୍ତି ଯେ, କରୋନା ସମୟରେ କଟକରେ ଶିକ୍ଷକ ଥିବା ତାଙ୍କ ସ୍ୱାମୀଙ୍କର ମୃତ୍ୟୁ ହୋଇଗଲା। ସ୍ୱାମୀଙ୍କ ମୃତ୍ୟୁ ବେଳକୁ ସେ ୪ ମାସର ଗର୍ଭବତୀ ଥିଲେ। ସ୍ୱାମୀଙ୍କ ଶୁଦ୍ଧିକ୍ରିୟା ପରେ ବ୍ରଜରାଜନଗର ଫେରିଥିଲେ। ୮ ମାସ ଗର୍ଭବତୀ ବେଳକୁ ସେ ପ୍ରସୂତିକାଳୀନ ଛୁଟିନେଇ ଶାଶୂଘରକୁ ଯାଇଥିଲେ। କିନ୍ତୁ ସେମାନେ ଘରେ ପୂୂରାଇ ଦେଇନଥିଲେ।  ବିବାହ ସମୟର ଯାହା ଜିନିଷ ନେଇଥିଲେ ତାକୁ ମଧ୍ୟ ଫେରାଇଲେ ନାହିଁ। ସେ ୨୦୧୫ ମସିହାରୁ ସଂସ୍କୃତ ଶିକ୍ଷକ ଭାବେ (ଠିକାନିଯୁକ୍ତି) ବ୍ରଜରାଜନଗରରେ କାମ କରୁଥିଲେ। ୨୦୨୨ ମସିହା ଜାନୁଆରିରୁ ରେଗୁଲାର ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଅର୍ଡର ବାହାରି ନଥିବାରୁ ସେ ବଦଳି ହୋଇ ପାରିନାହାନ୍ତି। ସେ ଗତବର୍ଷ ବଦଳି ପାଇଁ ପ୍ରୟାସ କରିଥିଲେ। କିନ୍ତୁ ଠିକାନିଯୁକ୍ତି ଥିବାରୁ ବଦଳି ଆବେଦନ ଅନ୍‌ଲାଇନରେ କରିବା ସମ୍ଭବ ହେଲା ନାହିଁ।

ସେ ବଦଳି ହୋଇ ନିଜ ବାପ ଘର ନିକଟକୁ ଯିବାକୁ ଚାହୁଁଛନ୍ତି। ଝିଅ ଜନ୍ମ ପରେ ସସ୍ମିତା ନିଜ ସାନ ଭଉଣୀକୁ ପାଖରେ ରଖିଥିଲେ। ସସ୍ମିତା ସ୍କୁଲ ଗଲେ ସେ ଝିଅର ଯତ୍ନ ନେଉଥିଲେ। ଏବେ ତାର ମଧ୍ୟ ବିବାହ ଠିକ ହୋଇଛି। ତେଣୁ  ଝିଅଟିକୁ ରଖିବା ପାଇଁ ତାଙ୍କର କେହି ନାହାନ୍ତି। ତେଣୁ ଖୋର୍ଦ୍ଧା ବଦଳି ହେଲେ ସେ ଝିଅଟିକୁ ନିଜ ବାପଘରେ ଛାଡ଼ି ସ୍କୁଲ ଯାଇପାରିବ। ଏନେଇ ଶିକ୍ଷୟିତ୍ରୀ ଶ୍ରୀମତୀ ଜେନାଙ୍କୁ ପଚାରିବାରୁ, ମୁଖ୍ୟମନ୍ତ୍ରୀ ଓ ଗଣ ଶିକ୍ଷାମନ୍ତ୍ରୀ ହିଁ ତାଙ୍କ ସାହାଭରସା। ଜଣେ ବିଧବା ଶିକ୍ଷୟିତ୍ରୀଙ୍କ ୧ବର୍ଷର ଝିଅ ପାଇଁ ସରକାର ନିଶ୍ଚୟ ଆବଶ୍ୟକ ପଦକ୍ଷେପ ନେବେ ବୋଲି ସେ ଆଶା କରିଛନ୍ତି।