ସମ୍ବଲପୁର: ଆଜି ସମ୍ବଲପୁରରେ ଗସ୍ତରେ ଆସିଥିବା ଆସାମର ଅଧିକାରୀ ଦଳ କଚେରୀ ଛକରେ ଥିବା ସାହିତ୍ୟରଥୀ ଲଷ୍ମୀନାଥ ବେଜବାରୁଆଙ୍କର ସାଧାନ ପୀଠ ଓ ବାସଭବନ ବୁଲି ଦେଖିଛନ୍ତି। ଆସାମ ସରକାରଙ୍କର ସଂସ୍କୃତି ବିଭାଗର ଅତିରିକ୍ତ ସଚିବ ମନିଦୀପା ବର୍କୋଟୋକି ଓ  ନିର୍ଦେଶକ ମିନାକ୍ଷୀ ଦାସ ନାଥ ଗତକାଲି ଭୁବନେଶ୍ୱରଠାରେ ଓଡିଶା ସରକାରଙ୍କର ବିଭାଗୀୟ ଅଧିକାରୀଙ୍କ ଆଲୋଚନା କରିବା ପରେ ଆଜି ସମ୍ବଲପୁର ଆସିଥିଲେ। ଆଜି ଅପରା୍‌ହଣରେ ଆସାମର ଆଧୁନିକ ସାହିତ୍ୟର ଜନକ କହାଯାଉଥିବା ଲଷ୍ମୀନାଥ ବେଜ୍‌ବରୁଆଙ୍କର ପୁନଃରୁଦ୍ଧାର ହୋଇଥିବା ସାଧନା ପୀଠ ଦେଖି ସେମାନେ ଖୁସିବ୍ୟକ୍ତ କରିଥିଲେ। ସେହିପରି ବାସଭବନର ପୁନରୁଦ୍ଧାର କାର୍ଯ୍ୟର ଅଗ୍ରଗତି ଦେଖିଥିଲେ। ପରେ ଜିଲ୍ଲାପାଳ ଅନନ୍ୟା ଦାସଙ୍କୁ ଭେଟି ସାଧନା ପୀଠର ଲୋକାର୍ପଣ, ବାସଭବନର ପୁନରୁଦ୍ଧାର ଏବଂ ସେଠାରେ ହେବାକୁ ଥିବା ପାଠାଗାର ଓ ଅନ୍ୟାନ୍ୟ କାର୍ଯ୍ୟ ସଂପର୍କରେ ଆଲୋଚନା କରିଥିଲେ।

Advertisment

ବିଶେଷକରି ଏହାର ପରିଚାଳନା ସଂପର୍କରେ ମଧ୍ୟ ବ୍ୟାପକ ଆଲୋଚନା ହୋଇଥିବା ଜଣାପଡ଼ିଛି। ପରେ ପୁନଃରୁଦ୍ଧାର କାର୍ଯ୍ୟ ତୁଳାଉଥିବା ଇନ୍‌ଟାକ୍‌ର ସଦସ୍ୟମାନଙ୍କ ସହିତ ମଧ୍ୟ  ସର୍କିଟ ହାଉସ୍‌ରେ ଆଲୋଚନା କରିଥିଲେ। ବିନିଯୋଗ ପ୍ରମାଣପତ୍ର ପ୍ରଦାନ କରାଯିବା ପରେ ଆବଶ୍ୟକ ଅଧିକ ଅର୍ଥ ବି ପ୍ରଦାନ ଉପରେ ଗୁରୁତ୍ବାରୋପ କରିଥିଲେ। ପ୍ରତିନିଧି ଦଳକୁ ସମ୍ବଲପୁର ରେଳଷ୍ଟେସନରେ ଓର୍‌ମାସର ଡେପୁଟି ସିଇଓ ଶ୍ରୀମନ୍ତ ହୋତା, ଜିଲ୍ଲା ସଂସ୍କୃତି ଅଧିକାରୀ ଦୀପକ କୁଲୁ, ଇଣ୍ଟାକ୍‌, ସମ୍ବଲପୁରର ତାରିଣୀ ପଣ୍ଡା, ଡ.ବିଭୁଦତ୍ତ ମିଶ୍ର, ବେଜବୋରୁଆ ସ୍ମୃତି କମିଟିର ସୂର୍ଯ୍ୟ ପାଣିଗ୍ରାହୀ ପ୍ରମୁଖ ସ୍ବାଗତ କରିଥିଲେ। ପରିଦର୍ଶନ ସମୟରେ ସଦର ଉପଜିଲ୍ଲାପାଳ ପ୍ରଭାସ ଡନସନା, ସଦର ଅତିରିକ୍ତ ତହସିଲଦାର ସରୋଜା ବେହେରା, ବେଜବୋରୁଆ ସ୍ମୃତି କମିଟିର ସଦସ୍ୟ ଡାକ୍ତର ରାଜାରାମ ଷଡ଼ଙ୍ଗୀଙ୍କ ସହିତ ବହୁ ବେଜବୋରୁଆ ପ୍ରେମୀ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ ଯେ, ୧୯୧୭ ମସିହାରେ ଲକ୍ଷ୍ମୀନାଥ ବେଜ୍‌ବରୁଆ କାଠ ବ୍ୟବସାୟ ସହ ସଂପୃକ୍ତ ଏକ ସଂସ୍ଥାର ଅଧିକାରୀ ଭାବେ ସମ୍ୱଲପୁର ଆସିଥିଲେ। ଦୀର୍ଘ ୨୦ ବର୍ଷର ରହଣି ମଧ୍ୟରେ ଏଠାରେ ସେ ୨୫ଟି କାଳଜୟୀ ସାହିତ୍ୟ କୃତି ସୃଷ୍ଟି କରିଥିବା ବେଳେ ଏଥିରେ ସମ୍ୱଲପୁର ଅଂଚଳର ଜନଜୀବନ ଓ ଚରିତ୍ର ସବୁ ସ୍ଥାନ ପାଇଛି।

ଦୀର୍ଘ ୧୦ ବର୍ଷ ପର୍ଯ୍ୟନ୍ତ ସେ ସମ୍ବଲପୁର ମ୍ୟୁନିସିପାଲଟିର କାଉନସିଲର ମଧ୍ୟ ଥିଲେ। ୨୦୧୦ ମସିହାରେ ଆସାମର ତତ୍କାଳୀନ ରାଜ୍ୟପାଳ ଜାନକୀବଲ୍ଲଭ ପଟ୍ଟନାୟକ ତାଙ୍କ ସମ୍ୱଲପୁର ଗସ୍ତ ସମୟରେ ବେଜ୍‌ବରୁଆଙ୍କ ସ୍ମୃତିରକ୍ଷା ପାଇଁ ସାଧନାପୀଠକୁ ଏକ ଐତିହ୍ୟପୀଠରେ ବିକଶିତ କରିବାକୁ ଗୁରୁତ୍ୱାରୋପ କରିଥିଲେ। ଏହା ପରେ ବେଜ୍‌ବରୁଆ ସ୍ମୃତିରକ୍ଷା କମିଟି ଏ ଦିଗରେ ପ୍ରୟାସ ଆରମ୍ଭ କରିଥିଲା। ୨୦୧୮ ମସିହାରେ ଆସାମ ସରକାର ୫୦ ଲକ୍ଷ ଟଙ୍କା ଓ ଓଡ଼ିଶା ସରକାର ୫୫ ଲକ୍ଷ ଟଙ୍କା ଦେଇଥିଲେ। ୨୦୧୯ ମସିହାରେ ସାଧନା ପୀଠ ନବୀକରଣ କାର୍ଯ୍ୟ ଇନ୍‌ଟାକ୍‌, ଓଡ଼ିଶା ଶାଖା ଆରମ୍ଭ କରିଥିଲା। ବିଳମ୍ବରେ ହେଲେ ମଧ୍ୟ କିଛି ମାସ ତଳେ ପୁନରୁଦ୍ଧାର କାର୍ଯ୍ୟ ସଂପୂର୍ଣ୍ଣ ହୋଇଥିଲେହେଁ ପରିଚାଳନାଗତ ସମସ୍ୟା ଯୋଗୁ ଏହାର ଲୋକାର୍ପଣ ହୋଇପାରି ନାହିଁ।