ଭୁବନେଶ୍ବର : ଦେଶରେ କରୋନା ସଂକ୍ରମଣର ଦ୍ବିତୀୟ ଲହର କ୍ରମଶଃ ହ୍ରାସ ପାଉଥିବା ବେଳେ ଓଡ଼ିଶା ସମେତ ୬ଟି ରାଜ୍ୟରେ ସଂକ୍ରମଣ କମୁନାହିଁ। ଓଡିଶାର ୪ ଜିଲ୍ଲାରେ ଏବେ ବି ପଜିଟିଭିଟି ହାର ୧୦ ପ୍ରତିଶତ ଉପରେ ରହିଛି। ଏହାକୁ ନଜରରେ ରଖି କେନ୍ଦ୍ର ସରକାର ଓଡ଼ିଶା ସହିତ କେରଳ, ଅରୁଣାଚଳ ପ୍ରଦେଶ, ତ୍ରିପୁରା, ଛତିଶଗଡ଼ ଓ ମଣିପୁରକୁ କେନ୍ଦ୍ରୀୟ ଟିମ୍ ପଠାଇଛି। ଓଡ଼ିଶା ଆସୁଥିବା ବିଶେଷଜ୍ଞ ଦଳର ନେତୃତ୍ବ ନେଉଛନ୍ତି ଏଆଇଆଇଏଚ୍ ଏଣ୍ଡ ପିଏଚ୍ର ବିଶେଷଜ୍ଞ ଡା. ଏ.ଡାନ୍। କରୋନାର ମୁକାବିଲା ଓ ପରିଚାଳନା ନେଇ କେନ୍ଦ୍ରୀୟ ଟିମ୍ଗୁଡ଼ିକ ଏଥିପାଇଁ ସହଯୋଗ ଯୋଗାଇଦେବେ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି।
ଏହି ଦୁଇଜଣିଆ ବିଶେଷଜ୍ଞ ଦଳରେ ଜଣେ ଚିକିତ୍ସକ ଓ ଜନସେବା ବିଶେଷଜ୍ଞ ରହିଛନ୍ତି। କରୋନା ଟେଷ୍ଟିଂ, ନିରୀକ୍ଷଣ, ନିୟନ୍ତ୍ରଣ ଓ ପରିଚାଳନା ଆଦିର ସାମଗ୍ରିକ କାର୍ଯ୍ୟକାରିତାର ଟିମ୍ ତଦାରଖ କରିବ। ଏହାସହ ଠିକ୍ ଭାବେ କୋଭିଡ୍ ନିୟମର ପାଳନ ହେଉଛି କି ନାହିଁ, ହସ୍ପିଟାଲରେ ଶଯ୍ୟା ଉପଲବ୍ଧତା, ଆମ୍ବୁଲାନ୍ସ, ଭେଣ୍ଟିଲେଟର୍, ମେଡିକାଲ ଅକ୍ସିଜେନ୍ ଓ କରୋନା ଟିକାକରଣର ଅନୁଧ୍ୟାନ କରିବେ। କୋଭିଡ୍ ସ୍ଥିତିର ତଦାରଖ ସହିତ ପ୍ରତିକାର ବାବଦରେ କେନ୍ଦ୍ରୀୟ ଟିମ୍ ପରାମର୍ଶ ପ୍ରଦାନ କରିପାରିବେ। ରାଜ୍ୟରେ କୋଭିଡ୍ ସ୍ଥିତି କିଭଳି ରହିଛି, ତାହାର ଆକଳନ କରିବା ସହିତ କେନ୍ଦ୍ର ସରକାରଙ୍କୁ ଏ ସଂପର୍କିତ ରିପୋର୍ଟ ପ୍ରଦାନ କରିବେ ବୋଲି ଜଣାପଡ଼ିଛି।
କରୋନା ବିରୋଧରେ ଚାଲିଥିବା ଲଢ଼େଇ ପାଇଁ କେନ୍ଦ୍ର ସରକାର ସମୟ ସମୟରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ କେନ୍ଦ୍ରୀୟ ଟିମ୍ ପଠାଉଛନ୍ତି। କେନ୍ଦ୍ରୀୟ ଟିମ୍ ରାଜ୍ୟ/କେନ୍ଦ୍ର ଶାସିତ ଅଞ୍ଚଳର ଅଧିକାରୀଙ୍କ ସହିତ ଆଲୋଚନା କରିବା ସହିତ ପରାମର୍ଶ ଦେଉଛନ୍ତି। ଓଡ଼ିଶାରେ ଗତ ମେ' ୫ ତାରିଖରୁ ଲକ୍ଡାଉନ୍ ଜାରି ରହିଛି। ଯଦିଓ କିଛି ଜିଲ୍ଲାରେ କଟକଣା କୋହଳ କରାଯାଇଛି, ତଥାପି ଉପକୂଳ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ବଳବତ୍ତର ରହିଛି। ଏବେ ବି ରାଜ୍ୟରେ ଦୈନିକ ୩ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ରାଜ୍ୟମାନଙ୍କରେ କରୋନା ସ୍ଥିତି ଉପରେ କେନ୍ଦ୍ର ସରକାର ନିୟମିତ ଭାବେ ମନିଟରିଂ କରୁଛନ୍ତି। ଏଥିସହିତ ରାଜ୍ୟମାନଙ୍କୁ ନିୟମିତ ବ୍ୟବଧାନରେ ଆଡଭାଇଜରି ଜାରି କରିବା ସହିତ ଅଧିକ ସଂକ୍ରମିତ ରାଜ୍ୟକୁ କେନ୍ଦ୍ରୀୟ ଟିମ୍ ପଠାଇଥା'ନ୍ତି।