ପୁରୀ: ବ୍ୟବସ୍ଥିତ ହେବ ଶ୍ରୀବିଗ୍ରହଙ୍କ ପହଣ୍ଡି। ପ୍ରତ୍ୟେକ ରଥରେ ଠାକୁରଙ୍କ ପହଣ୍ଡି ପାଇଁ କେତେ ସଂଖ୍ୟାରେ ସେବକ ରହିବେ, ତାହା ନିରୂପଣ କରାଯିବ। ପ୍ରତି ରଥ ପାଇଁ ଏକ ସ୍ବତନ୍ତ୍ର ପହଣ୍ଡି ଦଳ ଗଠନ କରାଯିବ। ଅଭିଜ୍ଞତାକୁ ଗୁରୁତ୍ବ ଦିଆଯିବ। ବୈଷୟିକ ଦିଗକୁ ମଧ୍ୟ ଗୁରୁତ୍ବ ଦିଆଯିବ। ଗତବର୍ଷ ଆଡ଼ପମଣ୍ଡପକୁ ବିଜେ ବେଳେ ମହାପ୍ରଭୁ ଶ୍ରୀବଳଭଦ୍ର ପଡ଼ିଯିବା ଘଟଣା ପରେ ଏଥର ପହଣ୍ଡି ଶୃଙ୍ଖଳାକୁ ବିଶେଷ ଗୁରୁତ୍ବ ଦେଇଛି ପ୍ରଶାସନ। ଆଜି ଏ ସଂକ୍ରାନ୍ତରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ହୋଇଥିବା ଉଚ୍ଚସ୍ତରୀୟ (ଅଧିକାରୀ ତଥା ଏକ୍ସ ଅଫିସିଓ) ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ.ଅରବିନ୍ଦ ପାଢ଼ୀ କହିଛନ୍ତି, ଗତବର୍ଷ ଆଡ଼ପ ପହଣ୍ଡି ଅଘଟଣର ଯେପରି ପୁନରାବୃତ୍ତି ନହୁଏ ସେନେଇ ଯଥେଷ୍ଟ ଗୁରୁତ୍ବ ଦିଆଯାଉଛି। ପ୍ରତ୍ୟେକ ରଥ ପାଇଁ ପହଣ୍ଡି ଦଳ ସହ ପହଣ୍ଡି ବେଳେ କେତେ ସେବକ ରହିବେ ତା’ର ସଂଖ୍ୟା ନିରୂପଣ କରାଯିବ। ଶ୍ରୀମନ୍ଦିର ପ୍ରଶାସନକୁ ଏହି ଦାୟିତ୍ବ ଦିଆଯାଇଛି। ଜିଲ୍ଲାପାଳ ତଥା ଉପମୁଖ୍ୟ ପ୍ରଶାସକ, ସମ୍ପୃକ୍ତ ସେବାୟତ ନିଯୋଗର ପ୍ରତିନିଧିଙ୍କ ସହିତ ବାଡ଼ଗ୍ରାହୀ, ଅନ୍ୟ ସେବା ସମ୍ପୃକ୍ତ ନିଯୋଗ ସହ ଏ ସମ୍ପର୍କରେ ଆଲୋଚନା କରାଯିବ।

Advertisment

ଅନଧିକୃତ ବ୍ୟକ୍ତି ରଥରେ ଚଢ଼ିଲେ ଫୌଜଦାରୀ ମକଦ୍ଦମା
ଏଣିକି ରଥ ଉପରେ ଅଣ ସେବାୟତ ଚଢ଼ିଲେ କିମ୍ବା ଅନଧିକୃତ ଭାବେ କାର୍ଯ୍ୟ କଲେ ଏଥର ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଗତ ବର୍ଷ ବାହୁଡ଼ା ଯାତ୍ରାରେ ଜଣେ ଅଣସେବକ ରଥରେ ଚଢ଼ିଥିବାରୁ ତାଙ୍କୁ ରଥରୁ ଓହ୍ଲାଇଦେବା ସହ ତାଙ୍କ ମୋବାଇଲ୍‌ ଜବତ ହୋଇଥିଲା। ଏଥର କିନ୍ତୁ ଆଉ ମାଫ୍‌ ଦିଆଯିବ ନାହିଁ। ଯେକୌଣସି ଅନଧିକୃତ ବ୍ୟକ୍ତି ରଥରେ ଚଢ଼ିବେ ସେମାନଙ୍କ ବିରୋଧରେ ଥାନାରେ ଅଭିଯୋଗ ସହ ଫୌଜଦାରୀ ମକଦ୍ଦମା ଦାୟର ହେବ। ତେଣୁ କେହି ବି ଅନଧିକୃତ ଭାବେ ରଥରେ ନଚଢ଼ିବାକୁ ମୁଖ୍ୟ ପ୍ରଶାସକ ଡ. ପାଢ଼ୀ ନିବେଦନ କରିଛନ୍ତି।

ଗତବର୍ଷ ବଡ଼ଠାକୁର ରଥରୁ ଖସିପଡ଼ିବା ଘଟଣା ପରେ ପହଣ୍ଡି ଦକ୍ଷତାକୁ ନେଇ ପ୍ରଶ୍ନ ଉଠିଥିଲା। ଯେଉଁ ସେବକମାନେ ପହଣ୍ଡିରେ ନିୟୋଜିତ ହେଉଛନ୍ତି, ସେମାନେ ଅଭିଜ୍ଞ ତ? ସେମାନେ ପହଣ୍ଡି କରିବା ନେଇ ପୂର୍ବରୁ ଅଭ୍ୟାସ କରନ୍ତି କି? ଏନେଇ ପ୍ରଶାସନ ପକ୍ଷରୁ ସେପରି କୌଣସି ବ୍ୟବସ୍ଥା କରାଯାଉଛି କି? ଏଭଳି ତମାମ ପ୍ରଶ୍ନ ଉତ୍‌ଥାପନ କରାଯାଇଥିଲା। ଏ ସଂକ୍ରାନ୍ତରେ ଉତ୍ତର ରଖି ଗଜପତି ମହାରାଜ ଦିବ୍ୟସିଂହ ଦେବ କହିଛନ୍ତି, ଆଡ଼ପମଣ୍ଡପ ପହଣ୍ଡିରେ ଘଟିଥିବା ଦୁର୍ଘଟଣାର ତଦନ୍ତ ପାଇଁ ଗଠିତ ହୋଇଥିବା ୩ ଜଣିଆ କମିଟି ତାଙ୍କ ରିପୋର୍ଟ ପ୍ରଶାସନକୁ ଦେଇଛନ୍ତି। ଏହାକୁ ବୈଠକରେ ଉପସ୍ଥାପନ କରାଯାଇଥିଲା। ତେଣୁ ଆଗକୁ ଯେପରି ଏହି ଘଟଣାର ପୁନରାବୃତ୍ତି ନହୁଏ ସେଥିପାଇଁ ଏକ ମାର୍ଗଦର୍ଶିକା ତଥା ଏସ୍‌ଓପି ପ୍ରସ୍ତୁତ କରାଯାଇଛି। କେତେ ସେବକ ରହିବେ ଓ କେଉଁ ସେବକ କେତେ ସଂଖ୍ୟାରେ ରହିବେ ସେନେଇ ବରିଷ୍ଠ ଦଇତାପତି ଓ ଅନ୍ୟ ନିଯୋଗର ସହାୟତା ନେଇ ସ୍ଥିର ହୋଇଛି। ଏହାବ୍ୟତୀତ ପହଣ୍ଡି ବେଳେ ବୈଷୟିକ ଦିଗକୁ ଏଥର ଗୁରୁତ୍ବ ଦିଆଯିବ। ଚାରମାଳ ଲମ୍ବ ଏଥର ବଢ଼ିବ। ସ୍ଲୋପ ଅଞ୍ଚଳ ବୃଦ୍ଧି ହେଲେ ଗତବର୍ଷ ଭଳି ଦୁର୍ଘଟଣା ଘଟିବାର ସମ୍ଭାବନା ରହିବ ନାହିଁ। ଏଥିପାଇଁ ମଧ୍ୟ ଭୋଇ ସେବକ, ମହାରଣା ସେବକ ଓ ଅନ୍ୟ ଅଭିଜ୍ଞ ବ୍ୟକ୍ତିବିଶେଷଙ୍କ ପରାମର୍ଶ ନିଆଯିବ।