ପୁରୀ/ସାକ୍ଷୀଗୋପାଳ : ‘ଅମର ରହେ ଅମର ରହେ.. ସହିଦ ଦେବାଶିଷ ଅମର ରହେ...।’ ‘ଜବତକ ସୂରଜ ଚାନ୍ଦ ରହେଗା.. ସହିଦ ଦେବାଶିଷ ୟାଦ ରହେଗା..।’ ଏହି ସଶ୍ରଦ୍ଧ ନାରାବାଜିରେ ସହିଦ ସୈନିକ ଦେବାଶିଷ ବିଶ୍ବାଳ (ସାହିତ୍ୟ)ଙ୍କ ମରଶରୀରକୁ ତାଙ୍କ ଜନ୍ମମାଟିକୁ ପାଛୋଟି ନେଇଥିଲେ ହଜାରହଜାର ଜନତା। ଏହାପରେ ‘ଗାର୍ଡ ଅଫ୍ ଅନର୍’ ସହିତ ରତ୍ନଚିରା ନଦୀକୂଳରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି।
ଜମ୍ମୁ କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଯାଇଛନ୍ତି ଲାନ୍ସନାୟକ ଦେବାଶିଷ ବିଶ୍ବାଳ (ସାହିତ୍ୟ)। ଶନିବାର ଦିନ ବିମାନ ଯୋଗେ ତାଙ୍କ ପାର୍ଥିବ ଶରୀର ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରେ ରାଜ୍ୟପାଳ ଗଣେଶୀ ଲାଲ, ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସେଠାରୁ ସହିଦଙ୍କ ଗାଁ’ ସତ୍ୟବାଦୀ ଅଳଗୁମସ୍ଥିତ ଖଣ୍ଡାୟତସାହିକୁ ମରଶରୀର ନିଆଯାଇଥିଲା। ଦିନ ପ୍ରାୟ ୯ଟା ୨୦ ମିନିଟ୍ ସମୟରେ ସତ୍ୟବାଦୀଠାରେ ପହଞ୍ଚିଥିଲା ମରଶରୀର। ଏହି ବୀର ଓଡ଼ିଆ ଯବାନଙ୍କୁ ସ୍ବାଗତ୍ କରିବା ପାଇଁ ସେଠାରେ ବହୁସଂଖ୍ୟାରେ ଜନସାଧାରଣ ଓ ତାଙ୍କ ସାଙ୍ଗସାଥୀ ଅପେକ୍ଷା କରି ରହିଥିଲେ। ସମସ୍ତଙ୍କ ଆଖିରେ ଲୁହ ଥିଲା ଏବଂ କେହି କୋହ ସମ୍ବରଣ କରିପାରୁନଥିଲେ। ଏହିଭଳି ଏକ ଲୁହ, କୋହ ମିଶା ଶୋକାକୁଳ ପରିବେଶରେ ସମସ୍ତେ ମରଶରୀରକୁ ପାଛୋଟି ନେଇଥିଲେ। ସମସ୍ତଙ୍କ ହାତରେ ଥିଲା ବୀର ସହିଦଙ୍କ ଫଟୋଚିତ୍ର ଥିବା ପ୍ଲାକାର୍ଡ। ଜାତୀୟ ରାଜପଥର ପ୍ରତିଟି ଗାଁ’ ମୁଣ୍ଡରେ ଗ୍ରାମବାସୀଙ୍କ ବିପୁଳ ସମାଗମ ଦେଖିବାକୁ ମିଳିଥିଲା। ସହିଦ ଦେବାଶିଷଙ୍କୁ ଚାଉଳ ଓ ଫୁଲ ପକାଇ ଶ୍ରଦ୍ଧାଞ୍ଜଳି ଜଣାଉଥିବା ବେଳେ କିଏ କାନିରେ ଲୁହ ପୋଛୁଥିଲେ ତ କିଏ ଭାବନା ରାଇଜରେ ବୁଡ଼ିଯାଇଥିଲେ।
ସତ୍ୟବାଦୀରୁ ଏକ ବିରାଟ ଶୋଭାଯାତ୍ରାରେ ସହିଦଙ୍କ ମରଶରୀରକୁ ଖଣ୍ଡାୟତସାହିକୁ ଅଣାଯାଇଥିଲା। ସତ୍ୟବାଦୀରୁ ସହିଦଙ୍କ ଜନ୍ମମାଟି ଖଣ୍ଡାୟତସାହିର ଦୂରତ୍ବ ୭ କିଲୋମିଟର। ଲୋକମାନେ ୭ କିଲୋମିଟର ଚାଲିଚାଲି ଶୋଭାଯାତ୍ରାରେ ଯାଇଥିଲେ। ଖଣ୍ଡାୟତସାହି ବଜାର ନିକଟରେ ପହଞ୍ଚିବା ପରେ ଖଣ୍ଡାୟତ ପରିବାର ଖଣ୍ଡା ଖେଳ ମାଧ୍ୟମରେ ଶୋଭାଯାତ୍ରାକୁ ଗାଁ’କୁ ପାଛୋଟି ଆଣିଥିଲେ। ସହିଦଙ୍କ ମରଶରୀର ଘର ପାଖରେ ପହଞ୍ଚିବା ପରେ କାନ୍ଦ ବୋବାଳିରେ ଫାଟି ପଡ଼ିଥିଲା ଗାଁ’ଦାଣ୍ଡ। ଗାଁ’ ଘର ସମ୍ମୁଖରେ ଭାରତୀୟ ସେନା ପକ୍ଷରୁ ବୀର ଯବାନ ଲାନ୍ସନାୟକ ଦେବାଶିଷଷଙ୍କୁ ‘ଗାର୍ଡ ଅଫ୍ ଅନର୍’ ଦିଆଯାଇଥିଲା। ଗାଁ’ରେ ପରିବାରବର୍ଗ ଓ ଗ୍ରାମବାସୀ ବି ଶେଷ ସମ୍ମାନ ଜଣାଇଥିଲେ।
ସେନାବାହିନୀ ପକ୍ଷରୁ ବିଜୟ କୁମାର ସାହୁ, ସୁନୀଲ କୁମାର ସାମଲ, କ୍ୟାପ୍ଟେନ୍ ଦିବେଶ କୁମାର ସ୍ୱାଇଁ ଓ ୧୨୦ ବାଟାଲିୟନ୍ର କମାଣ୍ଡିଂ ଅଫିସର ସୁଶୀଲ ମୀନହାସଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ରାଜନେତା ସମ୍ବିତ ପାତ୍ର, ଉମାଶଙ୍କର ସାମନ୍ତରାୟ, ପ୍ରସାଦ ହରିଚନ୍ଦନ, ଆଶ୍ରିତ ପଟ୍ଟନାୟକ ପ୍ରମୁଖ ଶୋଭାଯାତ୍ରାରେ ଗାଁ’ ପର୍ଯ୍ୟନ୍ତ ଯାଇ ସହିଦଙ୍କୁ ସମ୍ମାନ ଜଣାଇଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ (ପ୍ରୋଟୋକଲ୍) ଦିଲୀପ କୁମାର ମହାପାତ୍ର, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ମିହିର ପଣ୍ଡାଙ୍କ ସମେତ ଅନ୍ୟ ପୁଲିସ ଅଧିକାରୀ ପ୍ରମୁଖ ସାମିଲ ହୋଇଥିଲେ।
ଶେଷରେ, ରତ୍ନଚିରା ନଦୀ କୂଳ ଗାଁ ଶ୍ମଶାନରେ ତୋପ ସଲାମୀ ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ସାନଭାଇ ଦେବପ୍ରସାଦ ବିଶ୍ବାଳ (ବିଜ୍ଞାନ) ମୁଖାଗ୍ନି ଦେଇଥିଲେ। ସହିଦ୍ ଦେବାଶିଷଙ୍କ ମରଶରୀରକୁ ଘୋଡ଼େଇ ଅଣାଯାଇଥିବା ଜାତୀୟ ପତାକାକୁ ତାଙ୍କ ପତ୍ନୀ ସୁଶ୍ରୀ ସଙ୍ଗୀତା ବିଶ୍ବାଳଙ୍କୁ ପ୍ରଦାନ କରାଯାଇଥିଲା। ଏଥିସହିତ, ବୀର ଯବାନ ଦେବାଶିଷଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି।