କପା ମିଲ୍‌ରେ ଭୟାବହ ଅଗ୍ନିକାଣ୍ଡ

ଗୁଣପୁର/ରାମନାଗୁଡ଼ା : ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ବ୍ଲକ୍‌ ଗୁଲୁମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଏଦୁରୱାଲାସା ସ୍ଥିତ ଚନ୍ଦନା ଏଗ୍ରୋଟେକ୍‌ କପା ମିଲ୍‌ରେ ଆଜି ସକାଳେ ଭୟାବହ ଅଗ୍ନିକାଣ୍ଡ ଘଟିଛି। କିଛି ମିନିଟ୍‌ ମଧ୍ୟରେ ପ୍ରାୟ କୋଟିଏ ଟଙ୍କାର କପା ପୋଡ଼ି ପାଉଁଶ ହୋଇଯାଇଛି। ଗୁଣପୁର ଓ ଗୁମୁଡ଼ାରୁ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ତଦନ୍ତ ଚାଲିଥିବା ଅଗ୍ନିଶମ ବିଭାଗ ଅଧିକାରୀ ରଜନୀକାନ୍ତ ଗୌଡ଼ ପ୍ରକାଶ କରିଛନ୍ତି।

ସୂଚନା ଅନୁଯାୟୀ, ଡେରିଗାଁର କେ.ଏମ୍‌.ଆର ଟ୍ରେଡର୍ସ ମାଲିକ ମଲିକାର୍ଜୁନ ରେଡ୍ଡି ପ୍ରାୟ ୪ହଜାର ବସ୍ତା କପା ପ୍ରକ୍ରିୟାକରଣ ନିମନ୍ତେ ଚନ୍ଦନା ଏଗ୍ରୋ କପା ମିଲ୍‌ରେ ଗଚ୍ଛିତ ରଖିଥିଲେ। ତେବେ, ଆଜି ସକାଳେ କୌଣସିପ୍ରକାର ସେହି କପାରେ ନିଆଁ ଲାଗି ଯାଇଥିଲା। ଯେଉଁ ସ୍ଥାନରେ ନିଆଁ ଲାଗିଥିଲା ତାହାର ଆଖପାଖରେ ସିସିଆଇ, ଚନ୍ଦନା ଏଗ୍ରୋ ଏବଂ ଅନ୍ୟ ଚାଷୀଙ୍କ କପା ରହିଥିଲା। ସୌଭାଗ୍ୟବଶତଃ ସେହି କପାରେ ନିଆଁ ଲାଗିନି ଏବଂ ସୁରକ୍ଷିତ ରହିଥିବା ଦେଖିବାକୁ ମିଳିଛି। ଗୁଣପୁର ଏବଂ ଗୁମୁଡ଼ାରୁ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅପରାହ୍ନ ପ୍ରାୟ ୨ଟାରେ ନିଆଁକୁ ଆୟତ୍ତ କରାଯାଇଥିଲା।

ସମ୍ବନ୍ଧିତ ଖବର