ରାଉରକେଲା: ହକି ବିଶ୍ବକପ୍‌ ଟିକେଟ୍‌ ବଣ୍ଟନ ଓ କଳାବଜାରକୁ ନେଇ ଅଭିଯୋଗ ସହିତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗର କାର୍ଯ୍ୟକଳାପକୁ ନେଇ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଛି। ଜିଲ୍ଲା ବାହାରୁ ତଥା ଅନ୍ୟ ରାଜ୍ୟରୁ ଆସିଥିବା ସାମ୍ବାଦିକମାନଙ୍କୁ ଭିଆଇପି ସୁଲଭ ବ୍ୟବହାର ଓ ସୁବିଧା ଦିଆ ଯାଉଥିବାବେଳେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ସ୍ଥାନୀୟ ସାମ୍ବାଦିକମାନଙ୍କୁ ସମ୍ପୂର୍ଣ୍ଣ ଅଣଦେଖା କରୁଛି। ମ୍ୟାଚ୍‌ ପାଇଁ ସ୍ଥାନୀୟ ସାମ୍ବାଦିକଙ୍କୁ ଖଣ୍ଡିଏ ଲେଖା ୧୦୦ ଟଙ୍କିଆ ଟିକେଟ୍ ଦିଆ ଯାଉଥିବାକୁ ନେଇ ସାମ୍ବାଦିକମାନଙ୍କ ଭିତରେ ପ୍ରବଳ ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଏହା ଗଣମାଧ୍ୟମକୁ ଏକ ଶକ୍ତ ଅପମାନ ବୋଲି ଅନେକ ବରିଷ୍ଠ ସାମ୍ବାଦିକ ଅଭିଯୋଗ କରି କହିଛନ୍ତି, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏ ପ୍ରସଙ୍ଗରେ ଭୁବନେଶ୍ବରରେ ଥିବା ନିଜ ବିଭାଗର ଅଧିକାରୀମାନଙ୍କଠାରୁ ଶିକ୍ଷାଲାଭ କରିବା ଉଚିତ। ଉଲ୍ଳେଖନୀୟ ଯେ ରାଉରକେଲାରେ ହକି ବିଶ୍ବକପ୍ ମ୍ୟାଚ୍‌ ଦେଖାଇବାଲାଗି ଭୁବନେଶ୍ବରରୁ ଦୁଇ ଦୁଇଥର ସ୍ବତନ୍ତ୍ର ବିମାନ ଯୋଗେ ସାମ୍ବାଦିକମାନଙ୍କୁ ଅଣା ଯାଇଥିଲା। ସେମାନେ ନବନିର୍ମିତ ହକିଗ୍ରାମରେ ରହି ମ୍ୟାଚ୍‌ ଦେଖିବା ସହିତ ରାଉରକେଲା ଓ ଆଖପାଖରେ ଦର୍ଶନୀୟ ସ୍ଥାନ ମଧ୍ୟ ବୁଲିଥିଲେ।

Advertisment

ସୂଚନାଯୋଗ୍ୟ, ସୁନ୍ଦରଗଡ଼ ଜିଲ୍ଲାରେ ସୁନ୍ଦରଗଡ଼ ସହର, ରାଉରକେଲା ଓ ବଣାଇରେ ସୂଚନା ଓ ଲୋକ ସମ୍ପର୍କ ବିଭାଗର କାର୍ଯ୍ୟାଳୟ ରହିଛି। ତେବେ କେବଳ ଏହି ହକି ବିଶ୍ବକପ୍‌ ନୁହେଁ, ନିଜର ନିୟମିତ କାମରେ ମଧ୍ୟ ଜିଲ୍ଲାରେ ଏହି ବିଭାଗ ଆଦୌ ସକ୍ରିୟ ନୁହେଁ। ଅନେକ ସମୟରେ ଏଭଳି ଏକ ବିଭାଗ ଏଠାରେ ଅଛି ବୋଲି ମଧ୍ୟ ଜଣାପଡ଼େ ନାହିଁ। ଜିଲ୍ଲା ପ୍ରଶାସନର ବିଭିନ୍ନ ବିକାଶମୂଳକ କାର୍ଯ୍ୟ, ସଭା ସମିତି ଆଦି ସଂକ୍ରାନ୍ତରେ ଗଣମାଧ୍ୟମକୁ ସୂଚନା ଦେବାର ସର୍ବନିମ୍ନ କାମ ମଧ୍ୟ ଏହି ବିଭାଗ କରେନାହିଁ। ଫଳରେ ଜିଲ୍ଲା ପ୍ରଶାସନର ଅନେକ ବିକାଶମୂଳକ ଯୋଜନାର ଉପଯୁକ୍ତ ପ୍ରଚାର ହୋଇ ପାରୁନାହିଁ। ଜିଲ୍ଲାରେ ସରକାରଙ୍କର ଏଭଳି ଏକ ବିଭାଗ ଥିଲେ ହେଁ ଏହାର ଅପରଗତା ସଂପର୍କରେ ଜାଣିଥିବାରୁ ଜିଲ୍ଲା ପ୍ରଶାସନ ବାଧ୍ୟହୋଇ ଡିଏମ୍‌ଏଫ୍‌ ଭଳି ଏକାଧିକ ଯୋଜନାର ସୂଚନା ପ୍ରଚାର ଓ ପ୍ରସାର ପାଇଁ ବାହାର ଠିକାସଂସ୍ଥା ଉପରେ ନିର୍ଭର କରୁଛନ୍ତି। ସବୁଠାରୁ ସାଂଘାତିକ କଥା ହେଉଛି, କୌଣସି ସୂଚନା ପାଇଁ ସାମ୍ବାଦିକମାନେ ଯୋଗାଯୋଗ କଲେ ମଧ୍ୟ ଏହି ଅଧିକାରୀମାନେ କ୍ବଚିତ ଫୋନ୍‌ ଉଠାନ୍ତି। ତେଣୁ ଜିଲ୍ଲାରେ ଏଭଳି ଏକ ବିଭାଗର ଆବଶ୍ୟକତା କ’ଣ ବୋଲି ଅନେକ ସାମ୍ବାଦିକ ପ୍ରଶ୍ନ କରୁଛନ୍ତି।