ଶପଥ ଗ୍ରହଣ ଉତ୍ସବରେ ଓଡ଼ିଶାର ଅସ୍ମିତା ସ୍ପଷ୍ଟ ଭାବେ ବାରି ହୋଇପଡ଼ୁଥିଲା। ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀଙ୍କ ସମେତ ସମସ୍ତ ମନ୍ତ୍ରୀମାନେ ଓଡ଼ିଆ ଭାଷାରେ ଶପଥ ଗ୍ରହଣ କରିଥିଲେ। ଉତ୍ସବ ମଞ୍ଚରେ ଶପଥ ଗ୍ରହଣ ଉତ୍ସବ ସମ୍ପର୍କରେ ଓଡ଼ିଆ ଭାଷାରେ ଲେଖାଯାଇଥିବା ବେଳେ ନିମନ୍ତ୍ରଣପତ୍ର ମଧ୍ୟ ଓଡ଼ିଆରେ ଛପାଯାଇ ବଣ୍ଟନ ହୋଇଥିଲା। ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ଉତ୍ସବ ସ୍ଥଳର ବିଭିନ୍ନ ସ୍ଥାନରେ ମହାପୁରୁଷଙ୍କ ବାର୍ତ୍ତା ଲଗାଯାଇଥିଲା। ସୁବାସ ଚନ୍ଦ୍ର ବୋଷଙ୍କ ‘ତୁମେ ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ବାଧୀନତା ଦେବି’, ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ‘ମିଶୁ ମୋର ଦେହ ଏ ଦେଶ ମାଟିରେ, ଦେଶବାସୀ ଚାଲି ଯାଆନ୍ତୁ ପିଠିରେ’ ପରି ବାର୍ତ୍ତା ବିଭିନ୍ନ ସ୍ଥାନରେ ଉଲ୍ଲେଖ ହୋଇଥିଲା। ସେହିପରି ରମାଦେବୀ ଚୌଧୁରୀଙ୍କୁ ମାତୃତ୍ବ, ତ୍ୟାଗ, ସେବା ଓ ସମର୍ପଣର ମୂର୍ତ୍ତିମନ୍ତ ପ୍ରତୀକ ଭାବେ ଦର୍ଶାଯାଇଥିବା ବେଳେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କୁ ଓଡ଼ିଶାର ଶିକ୍ଷା, କଳା, ସଂସ୍କୃତି ପାଇଁ ଅତୁଳନୀୟ ଅବଦାନ, ମାୟାଧର ମାନସିଂହଙ୍କୁ ବିଦଗ୍ଧ କବି ତଥା ଓଡ଼ିଆ ସାହିତ୍ୟର ସମ୍ରାଟ ଭାବେ ବର୍ଣ୍ଣନା କରାଯାଇଥିଲା। ଉପସ୍ଥିତ ଦର୍ଶକ ଏହାକୁ ପ୍ରଶଂସା କରିଥିଲେ।

Advertisment

ମୋହନ ଭାଇ... ମୋହନ ଭାଇ..
ଅପରାହ୍ଣ ୫ଟାରେ ଶପଥ ଗ୍ରହଣ ହେବାକୁ ସମୟ ଧାର୍ଯ୍ୟ ହୋଇଥିଲା। ଏହାର ‌ବହୁ ଆଗରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉତ୍ସବ ସ୍ଥଳରେ ପହଞ୍ଚି ଲୋକଙ୍କ ସହ ହାତ ମିଳାଇଥିଲେ। ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷଙ୍କ ପାଇଁ ଅଲଗା ଅଲଗା ସେକ୍ଟରରେ ବସିବାର ବ୍ୟବସ୍ଥା କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପ୍ରତିଟି ସେକ୍ଟରକୁ ଯିବା ସହ ଲୋକଙ୍କ ସହ ଫଟୋ ଉଠାଇଥିଲେ। ଉପସ୍ଥିତ ଲୋକେ ତାଙ୍କୁ ମୋହନ ଭାଇ ଭାବେ ସମ୍ବୋଧନ କରିବା ସହ ପାଖରେ ପହଞ୍ଚି ଯାଉଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ମଧ୍ୟ ସେମାନଙ୍କୁ ନିରାଶ କରୁ ନ ଥିଲେ। ବରଂ ପାଖକୁ ଯାଇ ସମସ୍ତଙ୍କୁ ଆଦରି ନେଉଥିଲେ। ସେଲ୍ଫି ଉଠାଉଥିଲେ। ଅପରାହ୍ଣ ୩ଟା ୩୫ରୁ ୪ଟା ୩୦ ପର୍ଯ୍ୟନ୍ତ ମଞ୍ଚ ତଳେ ବୁଲିବା ସହ ଲୋକଙ୍କୁ ଭେଟିଥିଲେ।