କଟକ: ରେଭେନ୍ସା ବିଶ୍ବବିଦ୍ୟାଳୟକୁ ନାକ୍‌ (ନ୍ୟାସନାଲ ଆସେସ୍‌ମେଣ୍ଟ ଆଣ୍ଡ ଆକ୍ରେଡିସନ୍‌ କାଉନ୍‌ସିଲ) ପକ୍ଷରୁ ‘ଏ ପ୍ଲସ୍ ପ୍ଲସ୍‌’ ଗ୍ରେଡ୍‌ ମିଳିଛି। ରାଜ୍ୟର ସରକାରୀ ଅଥବା ବେସରକାରୀ ବିଶ୍ବବିଦ୍ୟାଳୟ ମଧ୍ୟରେ ରେଭେନ୍ସା ପ୍ରଥମ ‘ଏ ପ୍ଲସ୍‌ ପ୍ଲସ୍‌’ ଗ୍ରେଡ୍‌ ପାଇଛି। ଆଜି ଏହି ସୂଚନା ମଳିବା ପରେ ରେଭେନ୍ସା ପରିସରରେ ଉତ୍ସବର ପରିବେଶ ସୃଷ୍ଟି ହୋଇଛି। ନାକ୍‌ ତରଫରୁ ୭ଟି ଭିନ୍ନ ଭିନ୍ନ ମାନଦଣ୍ଡରେ ରେଭେନ୍ସାର ସମସ୍ତ ବ୍ୟବସ୍ଥାର ମୂଲ୍ୟାୟନ କରାଯାଇଥିଲା। ଗଲା ୨୦ରୁ ୨୨ ତାରିଖ ଯାଏ ନାକ୍‌ର ଏକ ୫ ଜଣିଆ ଟିମ୍‌ ରେଭେନ୍ସା ପରିଦର୍ଶନରେ ଆସିଥିଲେ। ସବୁ ମାନଦଣ୍ଡରେ ଉନ୍ନତ ଯୋଗ୍ୟତା ଥିବାରୁ ରେଭେନ୍ସାକୁ ଏ ପ୍ଲସ୍ ପ୍ଲସ୍ ଗ୍ରେଡ୍ ମିଳିଛି। ରେଭେନ୍ସାକୁ ଏହି ଗ୍ରେଡ୍‌ ମିଳିବା ପରେ ୟୁଜିସି ପକ୍ଷରୁ ‌ବିଶ୍ବବିଦ୍ୟାଳୟକୁ ବିଭିନ୍ନ ଉନ୍ନତିମୂଳକ କାମ ପାଇଁ ଅଧିକ ଅନୁଦାନ ମିଳିବା ସହ ଅଧିକ ସଂଖ୍ୟାରେ ରିସର୍ଚ୍ଚ କାମ, ନୂଆ ପାଠ୍ୟକ୍ରମ ଖୋଲିବା, ଦେଶର ବିଭିନ୍ନ ସ୍ଥାନରେ ରେଭେନ୍ସା ବିଶ୍ବବିଦ୍ୟାଳୟର ଶାଖା ଖୋଲିବାର ସୁଯୋଗ ମିଳିବ। ଏହା ସହିତ ରେଭେନ୍ସା ବିଶ୍ବବିଦ୍ୟାଳୟର ସମସ୍ତ ପାଠ୍ୟକ୍ରମର ସାର୍ଟିଫିକେଟର ଗୁରୁତ୍ବ ଦେଶବିଦେଶରେ ବଢିବ ବୋଲି ରେଭେନ୍ସା ପକ୍ଷରୁ କୁହାଯାଇଛି।

Advertisment

ପ୍ରଫେସର ଦୀପକ କୁମାର ଶର୍ମାଙ୍କ ଅଧ୍ୟକ୍ଷତାରେ ରେଭେନ୍ସାକୁ ଆସିଥିବା ୫ଜଣିଆ ଟିମ୍‌ ନାକ୍‌ର ୭ଟି ମାନଦଣ୍ଡ ପାଇଁ ଥିବା ୪.୦୦ କ୍ୟୁମିଲେଟିଭ୍ ପଏଣ୍ଟରୁ ୩.୫୮ କ୍ୟୁମିଲେଟିଭ୍‌ ପଏଣ୍ଟ ଦେଇଛନ୍ତି। ଆସନ୍ତା ୬ ବର୍ଷ ପାଇଁ ରେଭେନ୍ସାର ଏହି ଗ୍ରେଡ ନାକ୍‌ ପକ୍ଷରୁ ପ୍ରଦାନ କରାଯାଇଛି। ପଏଣ୍ଟ ଗୁଡିକ ମଧ୍ୟରୁ ଇନ୍‌ଷ୍ଟିଚ୍ୟୁସନାଲ୍‌ ଭାଲ୍ୟୁଜ୍‌ ଆଣ୍ଡ ବେଷ୍ଟ ପ୍ରାକ୍ଟିସେସ୍‌ରେ ରେଭେନ୍ସାକୁ ସର୍ବାଧିକ ୩.୯୧ ପଏଣ୍ଟ ମିଳିଥିବା ବେଳେ ରିସର୍ଚ୍ଚ, ଇନୋଭେସନ୍‌ ଆଣ୍ଡ ଏକ୍ସଟେନ୍‌ସନ୍‌ରେ ସର୍ବନିମ୍ନ ୩.୫ ପଏଣ୍ଟ ମିଳିଛି। ଉକ୍ତ ଟିମ୍‌ ୩ ଦିନ ଧରି ବିଶ୍ବବିଦ୍ୟାଳୟର ବିଭିନ୍ନ ବିଭାଗ, ଏକାଡେମିକ୍‌ ବ୍ଲକ୍‌, ରେଭେନ୍ସା ରେଡିଓ, ଏନ୍‌ସିସି, ଏନ୍‌ଏସଏସ୍‌, ସମସ୍ତ ହଷ୍ଟେଲ, ପାଠାଗାର, କ୍ରୀଡା ଭିତ୍ତିଭୂମି, ପ୍ରାଶାସନିକ କାର୍ଯ୍ୟାଳୟ, ରେଭେନ୍ସା ଦ୍ବିତୀୟ କ୍ୟାମ୍ପସ ବୁଲି ଦେଖିଥିଲା।

ଏହାସହ ବିଶ୍ବବିଦ୍ୟାଳୟର ସମସ୍ତ ବିଭାଗର ବିଭାଗୀୟ ମୁଖ୍ୟ, ଅଧ୍ୟାପକ, ଅଧ୍ୟାପିକା, ରିସର୍ଚ୍ଚ ସ୍କଲାର୍ସ, ବର୍ତ୍ତମାନର ଛାତ୍ରଛାତ୍ରୀ, ପୁରାତନ ଛାତ୍ରଛାତ୍ରୀ, ଅଭିଭାବକ ଓ କର୍ମଚାରୀଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲା। ରେଭେନ୍ସା ବିଶ୍ବବିଦ୍ୟାଳୟକୁ ନାକ୍‌ ପକ୍ଷରୁ ‘ଏ ପ୍ଲସ୍‌ ପ୍ଲସ୍‌ ଗ୍ରେଡ ମିଳିବା ଓଡ଼ିଶା ପାଇଁ ଏକ ଗୌରବର ବିଷୟ। ରାଜ୍ୟରେ ଏହି ‌ଗ୍ରେଡ ପାଇବାରେ ରେଭେନ୍ସା ପ୍ରଥମ ବିଶ୍ବବିଦ୍ୟାଳୟ ହୋଇଛି। କୁଳପତିଙ୍କ ନେତୃତ୍ବରେ ବିଶ୍ବବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଛାତ୍ରଛାତ୍ରୀ ଓ କର୍ମଚାରୀ ଏକ ହୋଇ ଏ ଦିଗରେ ଉଦ୍ୟମ କରିଛନ୍ତି। ଉକ୍ତ ଗ୍ରେଡ୍‌ ଯୋଗୁଁ ବି‌ଶେଷ ଭାବେ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ଅଧିକ ଉପକୃତ ହେବେ ବୋଲି କୁଳସଚିବ କାହ୍ନୁଚରଣ ମଲ୍ଲିକ କହିଛନ୍ତି। ସୂଚନାଯୋଗ୍ୟ, ପୂର୍ବରୁ ୨୦୧୬ରେ ନାକ୍‌ ଟିମ୍‌ ରେଭେନ୍ସ ବିଶ୍ବବିଦ୍ୟାଳୟକୁ ଆସଥିଲା। ସେତେବେଳେ ରେଭେନ୍ସାକୁ ‘ଏ ଗ୍ରେଡ୍‌ ମଳିଥିଲା।