ଗୋଠଛଡ଼ା ୧୪ ହାତୀଙ୍କ ମିଳୁନି ସନ୍ଧାନ

ଜଳେଶ୍ବର/ଓଲମରା: ଗତ ସପ୍ତାହରେ ଝାଡ଼ଖଣ୍ଡର ଦଲମା ଜଙ୍ଗଲରୁ ଖାଦ୍ୟ ଅନ୍ବେଷଣରେ ଆସିଥିବା ୭୧ଟି ହାତୀ ମଧ୍ୟରୁ ୧୪ଟି କେଉଁଠି ରହି ଯାଇଛନ୍ତି। ଉଭୟ ଓଡ଼ିଶା ଓ ପଶ୍ଚିମବଙ୍ଗ ବନ ବିଭାଗ କର୍ମଚାରୀ ଏହି ୧୪ ହାତୀଙ୍କୁ ଠାବ କରିବା ପାଇଁ ସୀମାନ୍ତବର୍ତ୍ତୀ ଜଙ୍ଗଲରେ ଖୋଜାଖୋଜି ଆରମ୍ଭ କରିଛନ୍ତି। ପ୍ରକାଶଯୋଗ୍ୟ ଯେ, ଗତ ସପ୍ତାହରେ ୭୧ଟି ହାତୀ ପଶ୍ଚିମବଙ୍ଗର କେଶରେଖା ରେଞ୍ଜ ଦେଇ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜରେ ପ୍ରବେଶ କରିଥିଲେ। ଏହାପରେ ଏହା ହାତୀପଲ ବେତନଟୀର ବଡାମପୁର ଓ ଚାନ୍ଦିପୁର ରେଞ୍ଜ ଅଧୀନସ୍ଥ ବସ୍ତା ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି କରିଥିଲା। ପୁଣି ବେତନଟୀ, ଅସନବଣି, ଚିତ୍ରଡ଼ା, ରାସଗୋବିନ୍ଦପୁର ଓ ବଡ଼ଶୋଳ ଅଞ୍ଚଳରେ ହାତୀପଲ ବିଚରଣ କରିବା ସହ ସେହି କେଶରେଖା ରେଞ୍ଜର ମିର୍ଚ୍ଚିବନ୍ଧ ଜଙ୍ଗଲକୁ ପ୍ରବେଶ କରିଥିଲା। ଗତକାଲି ଏହି ହାତୀପଲ କେଶରେଖା ରେଞ୍ଜର ପାଞ୍ଚକାହାଣିଆ ଜଙ୍ଗଲରେ ରହିଥିବା କୁହାଯାଇଛି। ତେବେ କେଶରେଖା ରେଞ୍ଜ ତରଫରୁ ଏହି ହାତୀପଲର ଗତିବିଧି ଉପରେ ଦୀର୍ଘ ସମୟ ଲକ୍ଷ୍ୟ କରାଯିବା ପରେ ହାତୀପଲରେ ୫୭ଟି ହାତୀ ରହିଥିବାର ଜଣାପଡ଼ିଥିଲା। ଅବଶିଷ୍ଟ ୧୪ଟି ହାତୀ କେଉଁଠି ରହିଛନ୍ତି ଜାଣିବାକୁ ଗତକାଲିଠାରୁ ପଶ୍ଚିମବଙ୍ଗ ବନ ବିଭାଗ ଉଦ୍ୟମ ଚଳାଇଥିଲେ ମଧ୍ୟ ସଫଳ ହୋଇନାହାନ୍ତି।

ଏ ସମ୍ପର୍କରେ ବାଲେଶ୍ବର ଓ ମୟୂରଭଞ୍ଜ ବନ ବିଭାଗ ସହ ପଶ୍ଚିମବଙ୍ଗ ବନ ବିଭାଗ ଯୋଗାଯୋଗ କରି ଉକ୍ତ ୧୪ଟି ହାତୀ ଓଡ଼ିଶା ସୀମାନ୍ତବର୍ତ୍ତୀ ଅଞ୍ଚଳରେ ରହିଛନ୍ତି ନା ଅନ୍ୟ କେଉଁଠି ଗୋଠଛଡ଼ା ହୋଇ ଯାଇଛନ୍ତି ସେ ସଂକ୍ରାନ୍ତରେ ଜାଣିବା ଲାଗି ଯୋଗାଯୋଗ କରିଥିବା ସୂଚନା ଦେଇଛନ୍ତି ବାଲେଶ୍ବର ଜିଲ୍ଲା ଅବୈତନିକ ବନ୍ୟ ପ୍ରାଣୀ ତତ୍ତ୍ବାବଧାରକ ଅଶ୍ବିନୀ ଦାସ। ଏହି ୭୧ଟି ହାତୀ ମଧ୍ୟରୁ ଓଡ଼ିଶା ଓ ପଶ୍ଚିମବଙ୍ଗର ବିଭିନ୍ନ ଅଞ୍ଚଳରେ ୩ଟିର ମୃତ୍ୟୁ ହୋଇଥିବା ବେଳେ ହାତୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯାଉଥିବା କେଶରେଖା ରେଞ୍ଜର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର