ବର୍ଷକେ ଜବତ ହୋଇଛି ୫୨୭ କୋଟିର ଗଞ୍ଜେଇ, ଉତ୍ପାଦନରେ କୋରାପୁଟ ଏକ ନମ୍ବର

ଓଡ଼ିଶାରୁ ଦିଲ୍ଲୀ, ଆଫାଗାନିସ୍ତାନରୁ ଓଡ଼ିଶା କାରବାର

କଟକ: ଓଡ଼ିଶାରୁ ଗଞ୍ଜେଇ ଯାଉଛି ଦିଲ୍ଲୀ। ଆଫଗାନିସ୍ତାନରୁ ବ୍ରାଉନସୁଗାର ଆସୁଛି ଓଡ଼ିଶା। ଏଭଳି ଆନ୍ତଃରାଜ୍ୟ ଲିଙ୍କ୍ ଏବେ ମାଫିଆଙ୍କୁ ନିୟନ୍ତ୍ରଣ କରିବାରେ ସହଜ ହେଉନାହିଁ। ଚଳିତବର୍ଷ କେବଳ ୫୨୭ କୋଟି ଟଙ୍କାର ଗଞ୍ଜେଇ ପୁଲିସ ବିଭାଗ ଜବତ କରିଛି। ଯେଉଁ ପରିମାଣର ଗଞ୍ଜେଇ ଜବତ ହୋଇଛି, ଏହା ବିଗତ ୧୦ ବର୍ଷର ସବୁ ରେକର୍ଡ ଭାଙ୍ଗି ଦେଇଥିବା କୁହାଯାଉଛି। ଓଡ଼ିଶାର ଗଞ୍ଜେଇ ଦିଲ୍ଲୀରେ ଅଧିକ ଚାହିଦା ରହିଛି। ୫ ହଜାର ଟଙ୍କାରେ ଓଡ଼ିଶାରୁ ଖରିଦ ହେଉଥିବା ଗଞ୍ଜେଇ ଦିଲ୍ଲୀର ନଜାବଗଡ଼, ପାଲାମ୍, ସବଦରଜଙ୍ଗ, ଧଉଲାକୁଆଁ, ଲାଲକିଲା ଇତ୍ୟାଦି ଅଞ୍ଚଳକୁ ଚାଲାଣ ହେଉଛି। ସେଠାରେ କେଜି ପିଛା ୧୦ ହଜାର ଟଙ୍କା ମୂଲ୍ୟରେ ବିକ୍ରି କରାଯାଉଛି। ସେହିଭଳି ଆଫଗାନିସ୍ତାନରୁ କେଜି ପିଛା ୭୦ ଲକ୍ଷରେ କିଣାଯାଉଥିବା ବ୍ରାଉନସୁଗାର ଓଡ଼ିଶାରେ କୋଟିଏ ଟଙ୍କାରେ ବିକ୍ରି ହେଉଛି। ତେବେ ଦିଲ୍ଲୀ-ଓଡ଼ିଶା ଲିଙ୍କ୍ ମୂଳପୋଛ କରିବା ପାଇଁ ଏବେ ଇସ୍ରୋ ସହାୟତାରେ ଆକାଶମାର୍ଗରୁ ଗଞ୍ଜେଇ ଫସଲ ଚିହ୍ନଟ କରାଯିବା ଆରମ୍ଭ ହୋଇଥିବା ହୋଇଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, ଓଡ଼ିଶାରେ କୋରାପୁଟ୍, ମାଲକାନଗିରି, ଗଜପତି ବାଦ୍ ଗଞ୍ଜେଇ ଉତ୍ପାଦନରେ କନ୍ଧମାଳ, ଅନୁଗୁଳର ବି ଭୂମିକା ରହିଛି। ଅନୁଗୁଳ ଜିଲ୍ଲା ଯଦିଓ ପୂର୍ବଭଳି ଗଞ୍ଜେଇ ଉତ୍ପାଦନ ପରିମାଣ କରିପାରୁ ନାହିଁ, କିନ୍ତୁ ଏବେ ବି ପ୍ରକ୍ରିୟା ଜାରି ରହିଛି। ଓଡ଼ିଶାରୁ ଗଞ୍ଜେଇ ମାଫିଆମାନେ କେଜି ପିଛା ୫ ହଜାର ଟଙ୍କାରେ ଗଞ୍ଜେଇ କିଣି କଲିକତା ଓ ଦିଲ୍ଲୀ ବଜାରକୁ ମୁଖ୍ୟତଃ ଚାଲାଣ କରୁଛନ୍ତି। ଗଲା ୧୦ ବର୍ଷ ହେବ ଇସ୍ରୋ(ଇଣ୍ଡିଆ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍) ମାଧ୍ୟମରେ ଏନସିବି(ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ) ଓଡ଼ିଶାର ପାହାଡ଼ ଜଗଂଲ ଭିତରେ ଚାଷ ହେଉଥିବା ଅଫିମ ଫସଲ ଚିହ୍ନଟ କରି ଓଡ଼ିଶା ପୁଲିସ ମାଧ୍ୟମରେ ଫସଲ ନଷ୍ଟ କରିଆସୁଥିଲା। ଏବେ ଗଞ୍ଜେଇ ଫସଲ ନଷ୍ଟ ପାଇଁ ଇସ୍ରୋର ସହାୟତା ନିଆଯାଉଛି। ରାଜ୍ୟରେ ଚଳିତବର୍ଷ ଗଞ୍ଜେଇ କାରବାର ଅଢ଼େଇ ଗୁଣ ବୃଦ୍ଧି ପାଇଛି। ନିକଟରେ କ୍ରାଇମବ୍ରାଞ୍ଚ ଏଡିଜି ଏବଂ ଅବକାରୀ ବିଭାଗ ସଚିବଙ୍କ ସହିତ ନିଶା କାରବାର ରାଜ୍ୟରେ କିଭଳି ରୋକାଯାଇପାରିବ, ସେ ସଂକ୍ରାନ୍ତରେ ଏକ ବୈଠକ ବସିଥିଲା। ଗଲା ସୋମବାର ଓଡ଼ିଶା ସମେତ ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଛତିଶଗଡ଼ର ପୁଲିସ ଡିଜିଙ୍କ ମଧ୍ୟରେ ଗଞ୍ଜେଇ ଓ ବ୍ରାଉନସୁଗାର ଦମନ ସଂକ୍ରାନ୍ତରେ ସ୍ବତନ୍ତ୍ର ବୈଠକ ବସିଥିଲା। ପ୍ରତ୍ୟେକ ରାଜ୍ୟ ପୁଲିସ ବିଭାଗ ଜଣେ ଲେଖାଏ ନୋଡାଲ୍ ଅଫିସରଙ୍କୁ ନିୟୋଜିତ କରିଛନ୍ତି। ସେମାନେ ପରସ୍ପର ସହିତ ସମ୍ପର୍କ ରକ୍ଷା କରି ନିଶା କାରବାର କିଭଳି ରାଜ୍ୟ-ରାଜ୍ୟ ମଧ୍ୟରେ ନିୟନ୍ତ୍ରଣ କରାଯାଇପାରିବ, ସେ ନେଇ ଅପରେସନ୍ କରିବାକୁ ନିଷ୍ପତ୍ତି ହୋଇଛି।

ଅନ୍ୟପଟେ ଓଡ଼ିଶା ପୁଲିସ ବିଭାଗ ପକ୍ଷରୁ ଆଜି ଜାରି ହୋଇଥିବା ତଥ୍ୟ ଅନୁଯାୟୀ, ୨୦୨୦ ଜାନୁଆରିରୁ ସେପ୍ଟେମ୍ବର ଶେଷ ସୁଦ୍ଧା ରାଜ୍ୟରେ ଏକ ହଜାର ୫୪ କୁଇଣ୍ଟାଇଲ୍ ଗଞ୍ଜେଇ ଜବତ ହୋଇଛି। ଯଦି ପୂର୍ବ ୮ ବର୍ଷର ରେକର୍ଡ ଦେଖାଯାଏ ତେବେ ୨୦୧୯ରେ ୬୧୮ କୁଇଣ୍ଟାଲ, ୨୦୧୮ରେ ୫୨୩ କୁଇଣ୍ଟାଲ, ୨୦୧୭ରେ ୩୦୪ କୁଇଣ୍ଟାଲ, ୨୦୧୬ରେ ୪୨୮ କୁଇଣ୍ଟାଲ, ୨୦୧୩ରେ ୩୭୧ କୁଇଣ୍ଟାଲ, ୨୦୧୨ରେ ୧୦୭ କୁଇଣ୍ଟାଲ, ୨୦୧୧ରେ ୨୦୮ କୁଇଣ୍ଟାଲ ଏବଂ ୨୦୧୦ରେ ୭୩ କୁଇଣ୍ଟାଲ୍ ଗଞ୍ଜେଇ ଜବତ ହୋଇଥିଲା। ଗଲା ୧୦ ବର୍ଷ ଭିତରେ ହାରାହାରି ବାର୍ଷିକ ୩୧୨ କୁଇଣ୍ଟାଲ୍ ଗଞ୍ଜେଇ ଜବତ ହୋଇଥିବା ବେଳେ ଗଲା ୫ ବର୍ଷ ଭିତରେ ହାରାହାରି ୪୧୪ କୁଇଣ୍ଟାଲ୍ ଜବତ ହୋଇଛି। ଚଳିତ ବର୍ଷ ସର୍ବାଧିକ ଗଞ୍ଜେଇ ଜବତ ହୋଇଥିବା ଜିଲ୍ଲା ତାଲିକାର ପ୍ରଥମ ସ୍ଥାନରେ କୋରାପୁଟ ଜିଲ୍ଲା ରହିଛି। ଏହି ଜିଲ୍ଲାରୁ ୪୧୩.୧୪ କୁଇଣ୍ଟାଲ ଜବତ ହୋଇଛି। ଦ୍ବିତୀୟରେ ଥିବା ମାଲକାନଗିରି ଜିଲ୍ଲାରୁ ୨୪୦.୬୬ କୁଇଣ୍ଟାଲ ଏବଂ ତୃତୀୟରେ ଥିବା ଗଜପତି ଜିଲ୍ଲାରୁ ୧୨୬.୫୮ କୁଇଣ୍ଟାଲ୍ ଗଞ୍ଜେଇ ଜବତ ହୋଇଛି। ସେହିପରି ଚଳିତ ବର୍ଷ ଲକ୍ ଡାଉନ ସମୟରେ ଏସଟିଏଫ୍ ହାତରେ ୨୦ କୋଟି ୭୫ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଧରାପଡ଼ିଲାଣି। ଯାହାକି ବିଗତ ୮ ବର୍ଷ ଭିତରେ ରାଜ୍ୟରେ ସର୍ବାଧିକ ବୋଲି କୁହାଯାଉଛି। ପୁଲିସ ଡିଜି ଅଭୟ ଏବଂ କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ନେଇ ଏକ ବୈଠକ ବସିଥିଲା। ଏଥିରେ ଡିଜି ଶ୍ରୀ ଅଭୟ ସୂଚନା ଦେଇ କହିଛନ୍ତି ଗଞ୍ଜେଇ କାରବାର ପଛରେ ଥିବା ଆର୍ଥିକ ଦିଗଟିକୁ ଓଡ଼ିଶା ପୁଲିସ ତଦନ୍ତ ପରିସରଭୁକ୍ତ କରିଛି। ଗଞ୍ଜେଇ ଜବତ କରିବାରେ ତିନୋଟି ଜିଲ୍ଲା ଭଲ ପ୍ରଦର୍ଶନ କରିଥିବାରୁ ଜିଲ୍ଲା ଏସପିମାନଙ୍କୁ ସ୍ବତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଛି।

ସମ୍ବନ୍ଧିତ ଖବର