ଅଭୟ ପତ୍ରୀ

ସୋର: ବାହାନଗା ଟ୍ରେନ୍‌ ଦୁର୍ଘଟଣା ଭଳି ଏକ ଜାତୀୟ ବିପର୍ଯ୍ୟୟ ଖବର ଶୁଣି ହଜାର ହଜାର ଲୋକ ଓ ସ୍ବେଚ୍ଛାସେବୀ ସଂଗଠନ କର୍ମକର୍ତ୍ତା ଉଦ୍ଧାର ପାଇଁ ଧାଇଁ ଆସିଲେ। ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ରାଜ୍ୟପାଳ, ଦୁଇଜଣ ମୁଖ୍ୟମନ୍ତ୍ରୀ, ତିନି ତିନିଜଣ କେନ୍ଦ୍ରମନ୍ତ୍ରୀ, ତାମିଲନାଡ଼ୁ ମୁଖମନ୍ତ୍ରୀଙ୍କ ପ୍ରତିନିଧି ତଥା ସେ ରାଜ୍ୟର କ୍ରୀଡ଼ାମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଅନେକ ଭିଭିଆଇପି ସ୍ଥିତି ଅନୁଧ୍ୟାନ ପାଇଁ ତତ୍କାଳ ପହଞ୍ଚିଗଲେ। ହେଲେ ସ୍ଥାନୀୟ ଅଞ୍ଚଳରୁ ପ୍ରତିନିଧିତ୍ବ କରୁଥିବା ସୋର ବିଧାୟକ ପର୍ଶୁରାମ ଧଡ଼ାଙ୍କର ଦେଖା ମିଳିଲାନି। ଏମିତି ନୁହେଁ ଯେ, ଦୁର୍ଘଟଣା ବାବଦରେ ଜାଣିନଥିଲେ ବିଧାୟକ। କିନ୍ତୁ ବିଦେଶ ଗସ୍ତ ଆଗରେ ଟ୍ରେନ୍ ଦୁର୍ଘଟଣା ତାଙ୍କ ପାଇଁ ତୁଚ୍ଛ ହୋଇଗଲା। ସରକାରୀ କାର୍ଯ୍ୟକ୍ରମ ଆଳରେ ବୋଇଂ ବିମାନରେ ସିଧା ଉଡ଼ିଗଲେ ସିଙ୍ଗାପୁର। ଏବେ ଏହାକୁ ପ୍ରସଙ୍ଗ କରିଛନ୍ତି ବିରୋଧୀ। ବିପଦ ସମୟରେ ବିଧାୟକଙ୍କ ସମ୍ବେଦନଶୂନ୍ୟତାକୁ ଉଦାହରଣ ଭାବେ ଦର୍ଶାଇ ଆଗାମୀ ନିର୍ବାଚନରେ ଜନତା ଜନାର୍ଦ୍ଦନ ଉପଯୁକ୍ତ ଜବାବ ଦେବେ ବୋଲି କହିଛନ୍ତି। ଏମିତିକି ବିଧାୟକଙ୍କୁ ବାହାନଗାରେ ପୂରାଇ ଦିଆଯିବନି ବୋଲି କଡ଼ା ଚେତାବନୀ ଦେଇଛନ୍ତି ବିଜେପି ଓ କଂଗ୍ରେସ।

Advertisment

ଜୁନ୍‌ ୨ ତାରିଖ ସଂଧ୍ୟାରେ ସାଲିମାର-ଚେନ୍ନାଇ କରମଣ୍ଡଳ ସୁପରଫାଷ୍ଟ ଏକ୍ସପ୍ରେସ୍‌ ବାଲେଶ୍ବରଠାରୁ ୨୦ କିମି ଦୂର ବାହାନଗା ବଜାରଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଭାରତର ଟ୍ରେନ୍ ଦୁର୍ଘଟଣା ଇତିହାସରେ ଏକକାଳୀନ ୩ଟି ଟ୍ରେନ୍ ପରସ୍ପର ମଧ୍ୟରେ ଧକ୍କା ହେବା ଥିଲା ଏକ ବିରଳ ଘଟଣା। ଏହି ଭୟାବହ ଦୁର୍ଘଟଣାରେ ୨୯୫ ଜଣ ଯାତ୍ରୀଙ୍କର ଜୀବନ ଚାଲିଗଲା। ହଜାରେରୁ ଅଧିକ ଯାତ୍ରୀ ଆହତ ଓ ଗୁରୁତର ଆହତ ହୋଇଥିଲେ। ଦୁର୍ଘଟଣା ଖବର ଶୁଣି ସ୍ଥାନୀୟ ଅଞ୍ଚଳର ହଜାର ହଜାର ଲୋକଙ୍କ ସହିତ ଅନେକ ସ୍ବେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ରାତିତମାମ ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ। ଦୁର୍ଘଟଣା ପରଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଶ୍ବେଶ୍ବର ଟୁଡୁ, ତାମିଲନାଡ଼ୁ କ୍ରୀଡ଼ାମନ୍ତ୍ରୀ ଉଦୟନିଧି ଷ୍ଟାଲିନ୍‌ଙ୍କ ସହ ରାଜ୍ୟର ଏକାଧିକ ମନ୍ତ୍ରୀ ଓ ଭିଭିଆଇପି ଦୁର୍ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ହେଲେ ଦୁର୍ଭାଗ୍ୟର କଥା; ଦୁର୍ଘଟଣା ସମୟରେ ବା ଦୁର୍ଘଟଣା​ ପରେ ସ୍ଥାନୀୟ ବିଧାୟକ ପର୍ଶୁରାମ ଧଡ଼ାଙ୍କୁ କେହି ଦେଖିବାକୁ ପାଇଲେନି। ଦୁର୍ଘଟଣାର କେଇ ଘଣ୍ଟା ଅନ୍ତେ ସେ ବିମାନ ଯୋଗେ ମିସନ୍‌ ଶକ୍ତି ମହିଳାଙ୍କ ସହ ସିଙ୍ଗାପୁର ଭ୍ରମଣରେ ଉଡ଼ିଯାଇଥିଲେ। ଅବଶ୍ୟ ଚାହିଁଥିଲେ ବିଧାୟକ ସିଙ୍ଗାପୁର ଗସ୍ତକୁ ତୁରନ୍ତ ବାତିଲ କରି ପାରିଥାଆନ୍ତେ। ହେଲେ ସେମିତି କିଛି ହେଲାନି। ସରକାରୀ କାର୍ଯ୍ୟକ୍ରମ ଆଳରେ ବିଦେଶ ଯାଇ ୬ ତାରିଖରେ ଓଡ଼ିଶା ଫେରିଲେ ଓ ୮ ତାରିଖରେ ମୃତକଙ୍କ ଉଦ୍ଦେଶ୍ୟରେ ଏକ କ୍ୟା​ଣ୍ଡେଲ୍‌ ଶୋଭାଯାତ୍ରା​ରେ ସାମିଲ ହୋଇଥିଲେ।

ବିପଦ ସମୟରେ ବିଧାୟକଙ୍କ ବିଦେଶ ଗସ୍ତକୁ ନେଇ ବିରୋଧୀ ଦଳ ଘେରିଥିବା ବେଳେ ବିଭିନ୍ନ ମହଲରୁ ତାଙ୍କୁ ପ୍ରବଳ ସମାଲୋଚନାର ଶରବ୍ୟ ହେବାକୁ ପଡ଼ିଥିଲା। ଏମିତିକି ନିଜ ଦଳର ନେତା ଓ କର୍ମୀମାନେ ମଧ୍ୟ ବାହାନଗା ବ୍ଲକ୍‌ ପଣ୍ଡାଶୁଣି ପଞ୍ଚାୟତରେ ଶ୍ରୀ ଧଡ଼ାଙ୍କୁ ବିରୋଧ କରିଥିଲେ। କଂଗ୍ରେସର ବାହାନଗା ବ୍ଲକ୍‌ ସଭାପତି ମଧୁସୂଦନ ମହାପାତ୍ର ଓ ସୋର ନିର୍ବାଚନମଣ୍ଡଳୀର ବିଜେପି ସଂଯୋଜକ ରାଜାରାମ ମହାପାତ୍ର କହିଛନ୍ତି, ବାହାନଗା ଟ୍ରେନ୍‌ ଦୁର୍ଘଟଣା ଭଳି ଜାତୀୟ ବିପତ୍ତି ସମୟରେ ବିଧାୟକ ଯେପରି ଦାୟିତ୍ବହୀନ ବ୍ୟବହାର ପ୍ରଦର୍ଶନ କଲେ, ତାହା ଭୋଟରଙ୍କ ପ୍ରତି କୁଠାରଘାତ। ସେ କ୍ଷମାର ଯୋଗ୍ୟ ନୁହନ୍ତି। ଏହାର ପରିଣାମ ତାଙ୍କୁ ଓ ତାଙ୍କ ଦଳକୁ ଆଗାମୀ ନିର୍ବାଚନରେ ଭୋଗିବାକୁ ପଡ଼ିବ। ବିପଦ ବେଳେ ଦେଖା ନଥିଲା, ରାଜନୀତି କରିବା ପାଇଁ ଏବେ ବାହାନଗା ଆସିଲେ ତାଙ୍କୁ ବିରୋଧ କରାଯିବ। ଦରକାର ପଡ଼ିଲେ, ବ୍ଲକ୍‌ ଭିତରେ ପଶିବାକୁ ଦିଆଯିବନି ବୋଲି କହିଛନ୍ତି। ଉଭୟ ଆହୁରି ପ୍ରଶ୍ନ କରିଛନ୍ତି, ବିଧାୟକଙ୍କର ଯଦି ନିଜସ୍ବ କୌଣସି ସମସ୍ୟା ହୋଇଥାନ୍ତା, ତେବେ ସେ କଣ ବିଦେଶ ଯାଇଥାନ୍ତେ? ବିଜେପି ଓ କଂଗ୍ରେସର ବିରୋଧକୁ ସେ କିପରି ସାମ୍‌ନା କରିବେ ବୋଲି ପଚରାଯିବାରୁ ବିଧାୟକ ଶ୍ରୀ ଧଡ଼ା କହିଥିଲେ, ବିରୋଧୀମାନେ ବିରୋଧ କରିବେ। ଏଥିରେ ବିଚଳିତ ହେବାର କିଛି ନାହିଁ। ନିର୍ବାଚନ ଆସୁ; ଦେଖାଯିବ।