କଟକ: ନିଃସନ୍ତାନ ମହିଳାଙ୍କୁ ଗର୍ଭବତୀ କଲେ ଏକକାଳୀନ ମିଳିବ ୧୫ ଲକ୍ଷ ଟଙ୍କା। ଏଥିପାଇଁ ଫେସ୍‌ବୁକ୍‌ରେ ଯୁବକଙ୍କୁ ଟାର୍ଗେଟ୍ କରାଯାଉଛି। ବିହାର ନଵାଡ଼ା ଜିଲ୍ଲାର ଏକ ସାଇବର୍ ଅପରାଧୀ ଗ୍ୟାଙ୍ଗ୍ ଏଭଳି କୌଶଳରେ ଟଙ୍କା ଲୋଭ ଦେଖାଇ ଯୁବକଙ୍କୁ ସୋସିଆଲ୍ ମିଡିଆରେ ଫସାଉଛନ୍ତି। ଡିଜିଟାଲ୍ ଆରେଷ୍ଟ ଭଳି ସାଇବର୍ ଅପରାଧ ଯୁଗରେ ବିହାରର ଏକ ନୂଆ ଗ୍ୟାଙ୍ଗ୍‌ ଏଭଳି ମହିଳାଙ୍କୁ ଗର୍ଭବତୀ କରିବାକୁ ପ୍ରସ୍ତାବ ଦେଇ ଠକୁଥିବାରୁ ସାଇବର୍ ପୁଲିସ ପାଇଁ ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

Advertisment

ସୂଚନା ଅନୁଯାୟୀ, ବିହାର ନଵାଡ଼ା ଜିଲ୍ଲା ନାର୍ଡିଗଞ୍ଜ ଉପଖଣ୍ଡ ଅନ୍ତର୍ଗତ କହୁଆର ଗାଁରେ ଏକ ନୂଆଧରଣର ସାଇବର୍ ଅପରାଧୀ ଗ୍ୟାଙ୍ଗ୍ ସକ୍ରିୟ ହୋଇଛନ୍ତି। ଏମାନେ ‘ଅଲ୍ ଇଣ୍ଡିଆ ପ୍ରେଗ୍‌ନାଣ୍ଟ ଜବ୍ ସର୍ଭିସ୍’ ନାଁରେ ଏକ ଜାଲ୍ ୱେବ୍‌ସାଇଟ୍ ଚଳାଉଛନ୍ତି। ଫେସ୍‌ବୁକ୍‌ରେ ଦମ୍ପତି ପରିଚୟରେ ସାଇବର୍ ଠକ ବିଜ୍ଞାପନ ଆକାରରେ ଭିଡିଓ ବି ଛାଡ଼ୁଛନ୍ତି। ନିଃସନ୍ତାନ ମହିଳାଙ୍କୁ ଗର୍ଭବତୀ କରାଇବାକୁ ଏହି ବିଜ୍ଞାପନରେ ଉଲ୍ଲେଖ କରାଯାଉଛି। ଯଦି କେହି ପୁରୁଷ ଜଣେ ନିଃସନ୍ତାନ ମହିଳାଙ୍କୁ ଗର୍ଭବତୀ କରାଇ ଦିଅନ୍ତି, ତେବେ ଏଥିପାଇଁ ତାଙ୍କୁ ୧୫ ଲକ୍ଷ ଟଙ୍କା ଯାଏଁ ଅର୍ଥ ମିଳିବାର ପ୍ରତିଶ୍ରୁତି ଦିଆଯାଉଛି। ଏହାସହିତ କୋଠା ବି ଆବେଦନକାରୀଙ୍କ ନାଁରେ କରିବାକୁ ପ୍ରତିଶ୍ରୁତି ଦିଆଯାଉଛି। ସେମାନେ କିଛି ସର୍ତ୍ତ ବି ରଖୁଛନ୍ତି। ଯଦି ମହିଳାଜଣକ ଗର୍ଭବତୀ ହେବେ ନାହିଁ, ତେବେ ୫୦ ହଜାରରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆବେଦନକାରୀଙ୍କୁ ଦିଆଯିବ। ଏହି ବିଜ୍ଞାପନରେ ଯୋଗାଯୋଗ ନମ୍ବର ମଧ୍ୟ ଦିଆଯାଉଛି। 

ବିହାର ନଵାଡ଼ା ଜିଲ୍ଲାରୁ ଗ୍ୟାଙ୍ଗ୍‌ର ନିୟନ୍ତ୍ରଣ
ଫେସ୍‌ବୁକ୍‌ରେ ମାଳମାଳ ଠକ ଦମ୍ପତିଙ୍କ ଭିଡିଓ

କେହି ଯୁବକ ଏଭଳି ବିଜ୍ଞାପନରେ ଭଳିଯାଇ ଯଦି ଉକ୍ତ ଫୋନ୍ ନମ୍ବରରେ ଯୋଗାଯୋଗ କରୁଛନ୍ତି ତେବେ ପଞ୍ଜୀକରଣ ନାଁରେ ପାନ୍, ଆଧାରକାର୍ଡ ଦେବାକୁ କୁହାଯାଉଛି। ଏସବୁ ସମ୍ପୃକ୍ତ ବ୍ୟକ୍ତିଙ୍କ ନିକଟରେ ପହଞ୍ଚିବା ପରେ ଆବେଦନକାରୀଙ୍କ ଏକ ସେଲ୍‌ଫି ଦେବାକୁ କୁହାଯାଉଛି। ଏସବୁ ବ୍ୟକ୍ତିଗତ ତଥ୍ୟ ଆସିବା ପରେ ପଞ୍ଜୀକରଣ ବାବଦ ୭୯୯ ଟଙ୍କା ଅନ୍‌ଲାଇନ୍‌ରେ ଜମା କରିବାକୁ କୁହାଯାଉଛି। ଏହି ଟଙ୍କା ଜମା କରିବା ପରେ ବିଭିନ୍ନ ନିଃସନ୍ତାନ ମହିଳାଙ୍କ ଫଟୋ ଆବେଦନକାରୀଙ୍କ ନିକଟକୁ ପଠାଯାଉଛି। ଯେଉଁ ଫଟୋ ଚୟନ କରିବେ ସେହି ଆଧାରରେ ପରବର୍ତ୍ତୀ ପ୍ରକ୍ରିୟା ଆରମ୍ଭ ହେଉଛି। ଏଥିପାଇଁ ହୋଟେଲ୍ ବୁକିଂ ବାବଦ ଟଙ୍କା ଆବେଦନକାରୀଙ୍କୁ ଜମା କରିବାକୁ କୁହାଯାଉଛି। ଆବେଦନକାରୀ ଏହି ଟଙ୍କା ଜମା କରିବା ପରେ ସିକ୍ୟୁରିଟି ଟଙ୍କା ମଗାଯାଉଛି।

ଏଭଳି ବିଭିନ୍ନ ପର୍ଯ୍ୟାୟରେ ଆବେଦନକାରୀଙ୍କଠାରୁ ଟଙ୍କା ଲୁଟିବା ଆରମ୍ଭ କରିଦେଉଛନ୍ତି ସାଇବର୍ ଠକ ଗ୍ୟାଙ୍ଗ। ଯେଉଁ ଆବେଦନକାରୀ ଯୁବକ ଟଙ୍କା ଦେବାକୁ ମନା କରୁଛନ୍ତି, ସେମାନଙ୍କୁ ବ୍ଲାକ୍‌ମେଲ୍ କରାଯାଉଛି। ଚରିତ୍ରସଂହାର ସାଙ୍ଗକୁ ଅଶ୍ଲୀଳ ଫଟୋ ଭାଇରାଲ୍‌ କରିଦେବାକୁ ଧମକ ଦିଆଯାଉଛି। ଏହି ଭୟରେ ଆବେଦନକାରୀଙ୍କ ନିକଟରୁ ଏହି ସାଇବର୍ ଗ୍ୟାଙ୍ଗ୍‌ ଲକ୍ଷାଧିକ ଟଙ୍କା ଲୁଟି  ନେଉଛନ୍ତି। ଯାହା ଏବେ ସାଇବର୍ ପୁଲିସ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି। ଏଭଳି ବିହାରୀ ଗ୍ୟାଙ୍ଗ୍‌ ପଡ଼ୋଶୀ ପଶ୍ଚିମବଙ୍ଗ, ଓଡ଼ିଶା, ଝାଡ଼ଖଣ୍ଡ ଉପରେ ଆଖି ପକାଇଥିବାରୁ ଠକେଇରୁ ବର୍ତ୍ତିବା ପାଇଁ ସତର୍କ ରହିବାକୁ ଜଣେ ସାଇବର୍ ପୁଲିସ ଅଧିକାରୀ ପରାମର୍ଶ ଦେଇଛନ୍ତି।