ଆଦିବାସୀ ପରିବାରକୁ ମିଳୁନି ସରକାରୀ ସହାୟତା : ପଲିଥିନ ତଳେ ଦିନ କାଟୁଛନ୍ତି ୬ ପ୍ରାଣୀ କୁଟୁମ୍ବ

ଆନନ୍ଦପୁର : ଗ୍ରାମାଞ୍ଚଳର ଗରିବ ଅସହାୟଙ୍କ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଯୋଜନା କରୁଛନ୍ତି। ଏହାର ତଦାରଖ ପାଇଁ ସରକାରୀ ଅଧିକାରୀ ଓ କର୍ମଚାରୀ ଅଛନ୍ତି। ଅଧିକାରୀ ଓ କର୍ମଚାରୀଙ୍କ ଅଣଦେଖା ଏବଂ କୁଜିନେତାଙ୍କ ହସ୍ତକ୍ଷେପ ଯୋଗୁଁ ଅନେକ ଗରିବ ପରିବାର ଏସବୁ ଯୋଜନାରୁ ବଞ୍ଚିତ ହେଉଛନ୍ତି। ଏଭଳି ଚିତ୍ର ଦେଖିବାକୁ ମିଳିଛି ଆନନ୍ଦପୁର ବ୍ଲକର ଆଦିବାସୀ ବହୁଳ କୋଳିମାଟି ପଞ୍ଚାୟତରେ। ଏହି ପଞ୍ଚାୟତର କନ୍ତୋ ଗ୍ରାମ ବଡ଼ସାହିର ଅସହାୟ ବିଜଲୀ ନାଏକଙ୍କୁ ଏପର୍ଯ୍ୟନ୍ତ ସରକାରୀ ଆବାସ ଓ ବିଧବା ଭତ୍ତା ମିଳିନି। ୬ ପ୍ରାଣୀ କୁଟୁମ୍ବକୁ ନେଇ ଦୁଃଖକଷ୍ଟରେ ଦିନ କାଟୁଛନ୍ତି ବିଜଲୀ।

ବିଜଲୀଙ୍କ ସ୍ବାମୀ କ୍ଷେତ୍ରବାସୀ ନାଏକ ଚିକିତ୍ସା ଅଭାବରୁ ତିନି ବର୍ଷ ତଳେ ଯକ୍ଷ୍ମା ରୋଗରେ ପ୍ରାଣ ହରାଇଥିଲେ। ସ୍ବାମୀଙ୍କ ମୃତ୍ୟୁ ପରେ ପରିବାର ଅସହାୟ ହୋଇପଡ଼ିଛି। ବିଜଲୀ ପାଞ୍ଚଜଣ ପିଲାଙ୍କୁ ନେଇ ଏକ ଭଙ୍ଗା ଘରେ ଆଶ୍ରୟ ନେଇଛନ୍ତି। ଅର୍ଥାଭାବରୁ ତିନି ବର୍ଷ ହେଲା ଘର ଛପର ହୋଇପାରିନି। ପଲିଥିନ ଟାଣି ଆଶ୍ରୟ ନେଇଛନ୍ତି ପରିବାର ଲୋକେ। ଘର କାନ୍ଥ ବିପଦଜନକ ଅବସ୍ଥାରେ ରହିଛି। ସାମାନ୍ୟ ବର୍ଷା ହେଲେ ପରିବାର ଲୋକେ ଭୟଭୀତ ହୋଇପଡ଼ୁଛନ୍ତି। ସାମୁଦ୍ରିକ ଝଡ଼ ତିତ୍‌ଲି ସମୟରେ ଘରର ଛପର ଉଡ଼ିଯାଇଥିଲା। ହେଲେ ମରାମତି ପାଇଁ କୌଣସି ସରକାରୀ ସହାୟତା ମିଳିଲାନି।

ସ୍ବାମୀଙ୍କ ମୃତ୍ୟୁକୁ ତିନିବର୍ଷ ବିତି ଯାଇଥିଲେ ମଧୢ ଏପର୍ଯ୍ୟନ୍ତ ବିଜଲୀଙ୍କୁ ଭତ୍ତା ମିଳିନି। ବାରମ୍ବାର ଏ ନେଇ ବ୍ଲକ କର୍ତ୍ତୃପକ୍ଷଙ୍କ ଦୃଷ୍ଟିଆକର୍ଷଣ କରାଯାଇଛି। ହେଲେ ତାଙ୍କ ଆବେଦନପତ୍ରକୁ କେହି ଗାଏବ କରିଦେଉଥିବା ଗ୍ରାମବାସୀ କହିଛନ୍ତି। ଥିଲାବାଲାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ପ୍ରଦାନ କରାଯାଉଥିବା ବେଳେ ବିଜଲୀ ପରି ଯୋଗ୍ୟ ହିତାଧିକାରୀଙ୍କୁ ଏଥିରୁ ବଞ୍ଚିତ କରାଯାଉଛି। ଗ୍ରାମର କିଛି କୁଜିନେତା ସରକାରୀ କାର୍ଯ୍ୟରେ ଅଯଥା ହସ୍ତକ୍ଷେପ କରୁଥିବାରୁ ଗରିବ ଲୋକେ ସରକାରୀ ଯୋଜନାରେ ସାମିଲ ହୋଇପାରୁ ନଥିବା ଅଭିଯୋଗ ହୋଇଛି। ଏ ନେଇ ବ୍ଲକ ପ୍ରଶାସନ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର