ଆଗରପଡ଼ା: ଚାଷୀମାନଙ୍କ ଠାରୁ ଅଭିଯୋଗ ପାଇ ଗତକାଲି ରାତିରେ ଆଗରପଡ଼ା ପୁଲିସ ଏକ ଧାନ ବୋଝେଇ ଟ୍ରକ୍କୁ ଥାନାରେ ଅଟକ ରଖିଛି। ସେହିପରି ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ ଓ ବ୍ଲକ୍ ମାକେର୍ଟିଂ ଇନ୍ସପେକ୍ଟର ତଦନ୍ତ ଆରମ୍ଭ କରିଛନ୍ତି।
ସୂଚନା ଅନୁସାରେ; କାଦବରାଙ୍ଗ ପଞ୍ଚାୟତ ସ୍ଥିତ ଭଗାରାମ ଗ୍ରାମର ଚାଷୀମାନେ ଓଆର୍-୨୨-ସି-୦୭୫୯ ନମ୍ବର ବିଶିଷ୍ଟ ଏକ ଟ୍ରକ୍ରେ ଧାନବସ୍ତା ଲଦା ହୋଇ ଯାଉଥବା ଦେଖିବାକୁ ପାଇଥିଲେ। ସେମାନେ ଟ୍ରକ୍କୁ ଅଟକାଇବ ସହ ବୁଝାବୁଝି କରିଥିଲେ। ଏହି ସମୟରେ ଡ୍ରାଇଭର ପୁରୁଷଣ୍ଢ ସେବା ସମବାୟ ସମିତିର ଚାଲାଣ ଦେଖାଇ ଥିଲେ। ଚାଷୀମାନେ ନିଜ ଧାନ ବିକ୍ରି ପାଇଁ ସମିତିରୁ ଟୋକନ୍ ପାଇଥିଲେ ସୁଦ୍ଧା ତାଙ୍କ ଧାନ ସମିତି ନ ନେଇ ଅନ୍ୟ ଚାଷୀଙ୍କ ଧାନ କେମିତି ନେଉଛି ବୋଲି ସନ୍ଦେହ ପ୍ରକାଶ କରିଥିଲେ ଏବଂ ଥାନାକୁ ଖବର ଦେଇଥିଲେ। ପୁଲିସ ପହଂଚି ଧାନ ବୋଝେଇ ଟ୍ରକ୍କୁ ଥାନା ଆଣି ଅଟକ ରଖିଥିଲା। ଚାଷୀମାନେ ଏ ସଂପର୍କରେ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଜଣାଇବା ପରେ ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ ଓ ବନ୍ତ ମାକେର୍ଟିଂ ଇନ୍ସପେକ୍ଟର ଥାନାରେ ପହଂଚି ଟ୍ରକ୍ ଡ୍ରାଇଭରଙ୍କୁ ଘଟଣା ବାବଦରେ ପଚରାଉଚରା କରିଥିଲା। ପରେ ସେମାନେ ସମିତି କାର୍ଯ୍ୟାଳୟକୁ ଯାଇ କାଗଜପତ୍ର ଯାଞ୍ଚ କରିଥିଲେ।
ତେବେ ଟ୍ରକ୍ରେ ଥିବା ଧାନ ବାବଦ ଚାଲାଣ ଇସ୍ୟୁ କରାଯାଇ ନାହିଁ। ଏମିତି କରି ସମବାୟ ସମିତିକୁ ବଦନମ କରିବା ପାଇଁ ଉଦ୍ୟମ ହେଉଛି ବୋଲି ପୁରୁଷଣ୍ଢ ସେବା ସମବାୟ ସମିତିର ସଂପାଦକ ନିତ୍ୟାନନ୍ଦ ନାୟକ କହିଛନ୍ତି ଏବଂ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ଏପରି ସମୟରେ ଧାନର ଚାଲାଣ ନେଇ ପ୍ରକୃତ ସତ୍ୟାସତ୍ୟ ଲୋକଲୋଚନକୁ ଆଣିବା ସହ ଟୋକନ୍ ପାଇଥିବା ଚାଷୀଙ୍କ ଠାରୁ ସମିତି ତୁରନ୍ତ ଧାନ କ୍ରୟ କରୁ ବୋଲି କାଦବରାଙ୍ଗ ଅଞ୍ଚଳର ଯୁବନେତା ବିଷ୍ଣୁ ଦାସ, ବାସୁଦେବ ଯେନା, ରମେଶ ପହି, ସନାତନ ସାହୁ ପ୍ରମୁଖ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/27-2.jpg)