ଗଣତନ୍ତ୍ରର ମହାପର୍ବରେ ଭିନ୍ନମୋଡ଼: କମୁଛି ମତଦାନ, ବଢ଼ୁଛି ନୋଟା

ଝାରସୁଗୁଡ଼ା: ୨୦୧୩ ମସିହାରେ ସମଗ୍ର ଦେଶରେ ନିର୍ବାଚନରେ ନୋଟାର ବ୍ୟବହାର ଆରମ୍ଭ ହେବା ପରଠାରୁ ଝାରସୁଗୁଡ଼ା ଜିଲ୍ଲାର ଉଭୟ ନିର୍ବାଚନ ମଣ୍ଡଳୀ ୩ଟି ଲେଖାଏଁ ବିଧାନସଭା ନିର୍ବାଚନ ଦେଖିଲାଣି। ଏହି ୩ଟି ଯାକ ନିର୍ବାଚନରେ ଭୋଟର ସଂଖ୍ୟାରେ ବୃଦ୍ଧି ହୋଇଥିବା ବେଳେ ମତଦାନ ହାର ଲଗାତାର ଭାବେ ହ୍ରାସ ପାଇବାରେ ଲାଗିଛି। କିନ୍ତୁ ମୋଟ ମତଦାନରୁ ଭୋଟର ନୋଟାକୁ ବାଛିବାର ହାର ଅହେତୁକ ଭାବେ ବଢ଼ିବାରେ ଲାଗିଛି। ୨୦୧୪ ସାଧାରଣ ନିର୍ବାଚନ ତୁଳନାରେ ୨୦୨୨ ଉପନିର୍ବାଚନ ବେଳକୁ ବ୍ରଜରାଜନଗର ନିର୍ବାଚନମଣ୍ଡଳୀରେ ନୋଟା ଭୋଟର ସଂଖ୍ୟାରେ ପ୍ରାୟ ୩ ଗୁଣା ବୃଦ୍ଧି ହୋଇଛି। ସେହିଭଳି ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀରେ ୨୦୧୪ ତୁଳନାରେ ୨୦୨୩ ଉପନିର୍ବାଚନ ବେଳକୁ ନୋଟା ଭୋଟ୍‌ ସଂଖ୍ୟା ପ୍ରାୟ ଦେଢ଼ ଗୁଣା ବୃଦ୍ଧି ହୋଇଥିବା ଚିତ୍ର ସାମ୍ନାକୁ ଆସିଛି। ଏଭଳି ଚିତ୍ର ନିଶ୍ଚିତ ଭାବେ ଗଣତନ୍ତ୍ର ପାଇଁ ଆଦୌ ଶୁଭ ସଙ୍କେତ ନୁହେଁ ବୋଲି ରାଜନୈତିକ ବିଶ୍ଳେଷକମାନେ ମତବ୍ୟକ୍ତ କରିଛନ୍ତି। ରାଜନୈତିକ ଦଳଙ୍କ ପକ୍ଷରୁ ବଛାଯାଉଥିବା ପ୍ରାର୍ଥୀଙ୍କୁ ନେଇ ଅସନ୍ତୋଷ, ବର୍ଷବର୍ଷ ଧରି ବିଭିନ୍ନ ସମସ୍ୟାର ସମାଧାନ ନହେବା ନୋଟା ଭୋଟ୍‌ ହାର ବୃଦ୍ଧିର ପ୍ରମୁଖ କାରଣ ବୋଲି ଆକଳନ କରାଯାଉଛି। ଚଳିତ ସାଧାରଣ ନିର୍ବାଚନରେ ଜିଲ୍ଲାର ଉଭୟ ନିର୍ବାଚନ ମଣ୍ଡଳୀରେ ୩ ପ୍ରମୁଖ ରାଜନୈତିକ ଦଳର ବିଦ୍ରୋହୀ ଗୋଷ୍ଠୀ ସେମାନଙ୍କ ସମର୍ଥକଙ୍କୁ ନୋଟାରେ ମତଦାନ ପାଇଁ କହୁଥିବା ଚର୍ଚ୍ଚା ହେଉଛି। ଏହି ଘଟଣା ପରେ ନୋଟା ଭୋଟରଙ୍କୁ ନେଇ ଏକ ଭିନ୍ନ ରାଜନୈତିକ ଗଣିତ ମଧ୍ୟ ଆରମ୍ଭ ହୋଇଛି।

ଜିଲ୍ଲାର ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରେ ୨୦୧୪ ମସିହାରେ ମୋଟ ୧ ଲକ୍ଷ ୯୭ ହଜାର ୧୪୭ ଜଣ ଭୋଟର ମତଦାନ କରିଥିଲେ। ତେବେ ଉକ୍ତ ନିର୍ବାଚନରେ ମୋଟ ମତଦାନର ୦.୮୯ ପ୍ରତିଶତ ଅର୍ଥାତ୍‌ ୧୪୬୩ ଜଣ ଭୋଟର ନୋଟାରେ ମତଦାନ କରିଥିଲେ। ୨୦୧୯ ମସିହା ସାଧାରଣ ନିର୍ବାଚନରେ ୧ ଲକ୍ଷ ୭୬ ହଜାର ୧୮୭ ଜଣ ଭୋଟର ମତଦାନ କରିଥିଲେ। ସେମାନଙ୍କ ମଧ୍ୟରୁ ୦.୮୨ ପ୍ରତିଶତ ଅର୍ଥାତ୍‌ ୧୪୪୦ ଜଣ ଭୋଟର ନୋଟା ବାଛିଥିଲେ। ସେହିଭଳି ୨୦୨୩ରେ ହୋଇଥିବା ଉପନିର୍ବାଚନରେ ୧ ଲକ୍ଷ ୭୫ ହଜାର ୯୩୨ ଜଣ ଭୋଟର ମତଦାନ କରିଥିଲେ। ଏହି ମତଦାତାଙ୍କ ଭିତରୁ ୨୦୭୪ ଜଣ ଅର୍ଥାତ୍‌ ୧.୧୮ ପ୍ରତିଶତ ଭୋଟର ନୋଟାରେ ମତଦାନ କରିଥିଲେ। ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀର ଚିତ୍ରକୁ ଦେଖିଲେ ୨୦୧୪ ସାଧାରଣ ନିର୍ବାଚନରେ ମୋଟ ୧ ଲକ୍ଷ ୮୯ ହଜାର ୧୨ ଜଣ ଭୋଟର ମତଦାନ କରିଥିଲେ। ଏହି ଭୋଟରଙ୍କ ମଧ୍ୟରୁ ୦.୮୬ ପ୍ରତିଶତ ଅର୍ଥାତ୍‌ ୧୬୩୫ ଜଣ ମତଦାତା ନୋଟାକୁ ବାଛିଥିଲେ। ୨୦୧୯ ସାଧାରଣ ନିର୍ବାଚନ ବେଳକୁ ଭୋଟର ସଂଖ୍ୟା ବଢ଼ିଥିଲେ ହେଁ ମତଦାନ ପୁଣି ହ୍ରାସ ପାଇଥିଲା। ଏହି ବର୍ଷ ମତଦାନ କରିଥିବା ୧ ଲକ୍ଷ ୬୪ ହଜାର ୫୮୭ ଜଣ ଭୋଟରଙ୍କ ମଧ୍ୟରୁ ୧୪୨୯ ଜଣ ଅର୍ଥାତ୍‌ ୦.୮୭ ପ୍ରତିଶତ ଭୋଟର ନୋଟାରେ ମତଦାନ କରିଥିଲେ। ୨୦୨୨ ମସିହାରେ ହୋଇଥିବା ଉପନିର୍ବାଚନରେ ଭୋଟର ସଂଖ୍ୟା ବଢ଼ିଥିଲେ ହେଁ ମତଦାନ ପୁଣି କମିଥିଲା। ଏହି ଉପନିର୍ବାଚନରେ ମତଦାନ କରିଥିବା ୧ଲକ୍ଷ ୫୪  ହଜାର ୪୮ ଜଣ ମତଦାତାଙ୍କ ମଧ୍ୟରୁ ୪୦୦୦ ହଜାର ଜଣ ଅର୍ଥାତ୍‌ ୨.୬୦ ପ୍ରତିଶତ ଭୋଟର ନୋଟାରେ ମତଦାନ କରିଥିଲେ।

ସମ୍ବନ୍ଧିତ ଖବର