ନାଉଗାଁ : ନିଜର ସ୍ବାର୍ଥ ପାଇଁ ପ୍ରକୃତି ଉପରେ ଦାଉ ସାଜିଛି ମଣିଷ। ପ୍ରତିଦିନ ବଳି ପଡ଼ୁଛନ୍ତି ଅଗଣିତ ଗଛ। ଏଥିପାଇଁ କେବଳ ପରିବେଶ ନଷ୍ଟ ହେଉନି ବରଂ ଉତ୍ତରପିଢ଼ିଙ୍କ ଭବିଷ୍ୟତ ଅନ୍ଧାର ଆଡ଼କୁ ଟାଣି ହୋଇଯାଉଛି। ହେଲେ ପ୍ରକୃତି ଓ ମଣିଷ ମଧ୍ୟରେ ସୁସଂପର୍କ ଗଢ଼ି ତୋଳିବାକୁ ନିଆରା ପ୍ରୟାସ କରିଛନ୍ତି ଜଗତସିଂହପୁର ଜିଲ୍ଲା, ନାଉଗାଁ ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ଜଗନ୍ନାଥ ଦାସ। ବର-ଓସ୍ତ ଗଛ ବିବାହ କରାଇ ସେ ସମାଜକୁ ନିଆରା ବାର୍ତ୍ତା ଦେଇଛନ୍ତି।
ପରିବେଶର ସୁରକ୍ଷା ପାଇଁ ଗଛର ଆବଶ୍ୟକତା ଉପଲବ୍ଧି କରି ନାଉଗାଁ ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ଦାସ ୩ବର୍ଷ ତଳେ ସ୍ଥାନୀୟ ସାଧୁଗୋସ୍ୱାମୀ ପୀଠରେ ବର ଓ ଓସ୍ତ ଗଛ ଲଗାଇ ଯତ୍ନ ନେଇଥିଲେ। ଗଛ ଦୁଇଟି ବଢ଼ିବା ପରେ ଆଜି ବୈଦିକ ରୀତିନୀତିରେ ହୋମଯଜ୍ଞ, ପୂଜାପାଠ କରି ବର-ଓସ୍ତଗଛକୁ ବିବାହ କରାଇଥିଲେ। କନ୍ୟା ପିତା ଭାବେ ଶ୍ରୀ ଦାସ ସମସ୍ତ ନୀତିକାନ୍ତି ସଂପନ୍ନ କରିଥିଲେ। ବରପିତା ଭ୍ରମରବର ଲେଙ୍କାଙ୍କୁ କନ୍ୟାଦାନ କରାଯାଇଥିଲା। ଏଥିପାଇଁ ବିବାହ ଭୋଜିର ଆୟୋଜନ ହୋଇଥିଲା। ଚାରି ଶହରୁ ଅଧିକ ଲୋକ ପ୍ରସାଦ ସେବନ କରିଥିଲେ। ଗଛ ଦୁଇଟିକୁ ପରିବାର ସଦସ୍ୟ ଭାବି ଯତ୍ନ ନେବା ସମସ୍ତଙ୍କର ଦାୟିତ୍ବ ବୋଲି ଶ୍ରୀ ଦାସ କହିଥିଲେ। ଏପରି ନିଆରା ଢଙ୍ଗରେ ପରିବେଶ ସୁରକ୍ଷା ବାର୍ତ୍ତା ଦିଆଯାଇଥିବାରୁ ବିଭିନ୍ନ ମହଲରେ ଶୁଭେଚ୍ଛାର ସୁଅ ଛୁଟିଛି। କାର୍ଯ୍ୟକ୍ରମରେ ବିଶିଷ୍ଟ ସାହିତ୍ୟିକା ଡକ୍ଟର ସୁଲୋଚନା ଦାସ, ‘ସମ୍ବାଦ କଟକ ସଂସ୍କରଣର ଏଜିଏମ୍ (ନ୍ୟୁଜ୍) କୃଷ୍ଣପ୍ରସାଦ ଦାସ, ଶିକ୍ଷାବିତ୍ ନିରଞ୍ଜନ ମହାନ୍ତି ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/jspur.jpg)