କଟକ: ଭକ୍ତ ସାଲବେଗ୍‌ଙ୍କ ଜନ୍ମମାଟି କଟକ ସହରରେ ମୁସ୍‌ଲମାନ ସଂପ୍ରଦାୟର ଲୋକମାନେ ତିନି ରଥରେ ଭୋଗ ଲଗାଇ କଟକର ଭାଇଚାରାକୁ ଆହୁରି ସୁଦୃଢ଼ କରିଥିବା ବେଳେ ହରିପୁର ଦୋଳମୁଣ୍ଡାଇ ଓ ଚାନ୍ଦିନୀଚୌକରେ କେବଳ ମହିଳାମାନେ ସୁଭଦ୍ରାଙ୍କ ରଥକୁ ଟାଣିଛନ୍ତି। କଟକ ସହରର ବିଭିନ୍ନ ସ୍ଥାନରେ ଘୋଷଯାତ୍ରା ଆୟୋଜିତ ହେଉଥିଲେ ମଧ୍ୟ ସହର ସର୍ବପୁରାତନ ରଥଯାତ୍ରା କୁହାଯାଉଥିବା ହରିପୁର ଦୋଳମୁଣ୍ଡାଇ ଶ୍ରୀଶ୍ରୀ ପତିତପାବନଜିଉଙ୍କ ତିନି ରଥରେ ମୁସଲମାନ ମହଲା କମିଟି ପକ୍ଷରୁ ଭୋଗଲାଗି ଓ ପୂଜାର୍ଚ୍ଚନା ସମସ୍ତଙ୍କ ପାଇଁ ନୂଆ ଦୃ‌ଷ୍ଟାନ୍ତ ସୃ‌ଷ୍ଟି କରିଛି।

Advertisment

ହରିପୁର ଦୋଳମୁଣ୍ଡାଇସ୍ଥିତ ଶ୍ରୀଶ୍ରୀ ପତିତପାବନଜିଉ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଆୟୋଜିତ ଘୋଷଯାତ୍ରା ସହର ସର୍ବପୁରାତନ
ରଥଯାତ୍ରା। ଦୋଳମୁଣ୍ଡାଇ ଛକସ୍ଥିତ ଶ୍ରୀ ପତିତପାବନଜିଉ ମନ୍ଦିର ପାଖରୁ ରବିବାର ଅପରାହ୍‌ଣରେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ରଥ ବାହାରିଥିଲା। ତିନିରଥ ହରିପୁର ରୋଡ୍‌, ଶିବବଜାର ଦେଇ ସେମିନାରୀ ଛକରେ ପହଞ୍ଚିଥିଲା। ସେମିନାରୀ ଛକରେ ନିମସାହି ପୂଜା କମିଟି, ମୁସଲମାନ ମହଲା କମିଟି ପକ୍ଷରୁ ତିନିରଥରେ ଭୋଗ ଲାଗି କରାଯାଇଥିଲା। ମୁସଲମାନ ସଂପ୍ରଦାୟର ବହୁ ବ୍ୟକ୍ତି ଘୋଷଯାତ୍ରାରେ ସଂପୃକ୍ତ ହୋଇ ତିନିଠାକୁରଙ୍କୁ ସ୍ବାଗତ କରିଥିଲେ।

ହରିପୁର ଦୋଳମୁଣ୍ଡାଇ ମା’ସୁଭଦ୍ରାଙ୍କ ରଥକୁ ୫ଶହରୁ ଅଧିକ ମହିଳା ନୂଆ ଦଳଦିଆ ଶାଢ଼ି ପରିଧାନ କରି ଟାଣିଥିଲେ। ସେହିପରି ଚାନ୍ଦିନୀଚୌକରେ ୨ହଜାରରୁ ଅଧିକ ମହିଳା ମା’ ‌ସୁଭଦ୍ରାଙ୍କ ରଥ ଟାଣିଥିଲେ। ଚାନ୍ଦିନୀଚୌକ ଜଗନ୍ନାଥ ମନ୍ଦିର ପକ୍ଷରୁ ସାଢ଼େ ୩ଟାରେ ତିନି ରଥଟଣା ଆରମ୍ଭ ହୋଇଥିବା ବେଳେ ସୁଭଦ୍ରାଙ୍କ ରଥକୁ କେବଳ ମହିଳାମାନେ ଟାଣିଥିଲେ। ସାଢ଼େ ୮ଟାରେ ମା’ ସୁଭଦ୍ରାଙ୍କ ରଥ ଚାନ୍ଦିନୀଚୌକ, ଡଗରପଡ଼ା, ମହାନ୍ତିପଡା ଦେଇ ବେଲ୍‌ଭ୍ୟୁ ଛକସ୍ଥିତ ଅସ୍ଥାୟୀ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଥିଲା।