ଗରଦପୁର : କେନ୍ଦ୍ରାପଡ଼ା ଜିଲ୍ଳା ଗରଦପୁର ବ୍ଲକ୍ ବଡ଼ବେତରାର କୁସୁନୁପୁର ଅଂଚଳରେ ଏକ ନିଆରା ବିବାହ ଦେଖିବାକୁ ମିଳିଛି। ବିବାହ ପାଇଁ ଜଣେ ଶିକ୍ଷକ ସାଇକେଲ୍‌ ଶୋଭାଯାତ୍ରାରେ ଆସିବା ସହିତ କନିଆଁଙ୍କ ଗାଁରେ ଚାରା ବାଣ୍ଟିଛନ୍ତି। ପରିବେଶ ସୁରକ୍ଷା ପାଇଁ ନିଜ ବିବାହ ଉତ୍ସବକୁ ଏହିଭଳି ଢଙ୍ଗରେ ପାଳନ କରିବା ଚର୍ଚ୍ଚାର ବିଷୟ ହୋଇଛି।

Advertisment

ଏହି ଶିକ୍ଷକ ହେଲେ, କେନ୍ଦ୍ରାପଡ଼ା ବ୍ଲକ୍ କନ୍ତିଆ ଗ୍ରାମର ରାଜେଶ କୁମାର ବାରିକ। ବଡ଼ବେତରା କୁସୁନୁପୁର ଗ୍ରାମର ରବୀନ୍ଦ୍ର ବାରିକଙ୍କ ସାନ ଝିଅ ଭାଦ୍ରବୀଙ୍କ ସହିତ ରାଜେଶଙ୍କ ବିବାହ ଠିକ୍ ହୋଇଥିଲା। ଗତକାଲି ଥିଲା ବାହାଘର। ଶୁଭବେଳା ଅନୁସ‌‌ାରେ ଗାଁରୁ ପାଲିଙ୍କିରେ ବସି ଆସିଥିଲେ ରା‌ଜେଶ । କନ୍ୟାଘର ଗାଁ ମୁଣ୍ଡରେ ପହଞ୍ଚିବା ପରେ ବରଯାତ୍ରୀଙ୍କ ସହିତ ନିଜେ ସାଇକଲ୍‌ ଚଳାଇ ଶୋଭାଯାତ୍ରାରେ ବାହାରିଥିଲେ ା ବରଯାତ୍ରୀମାନେ ମୁଣ୍ଡରେ ଗୋଟିଏ ଲେଖାଏଁ ପଗଡ଼ି ପିନ୍ଧିବା ସହିତ ହାତରେ ଚାରା ଧରିଥିଲେ। ଆଗରେ ପାରମ୍ପରିକ ବାଜା ବାଜିଥିଲା। ରାଜେଶ ସାଇକଲ୍‌ ଚଳାଇ ଶୋଭାଯାତ୍ରାରେ ଯାଇ ଲୋକମାନଙ୍କୁ ଚାରା ବଣ୍ଟନ କରିଥିଲେ। ଏଥିସହିତ ପରିବେଶ ସୁରକ୍ଷା ସଂପର୍କିତ ସଚେତନତା ପତ୍ର ବାଣ୍ଟିଥିଲେ ା ସାଂଗରେ ଆସିଥିବା ବରଯାତ୍ରୀମାନେ ବି ଚାରା ଦେଇଥିଲେ।

ନିଜର ଏଭଳି ନିଆରା ବିବାହ ଉତ୍ସବକୁ ନେଇ ରାଜେଶ କହିଛନ୍ତି, ପରିବେଶ ସୁରକ୍ଷା ପ୍ରତି ସବୁବେଳେ ଦୁର୍ବଳତା ରହିଛି। ସେଥିପାଇଁ ନିଜ ବିବାହ ଉତ୍ସବକୁ ସ୍ମରଣୀୟ କରିବା ସହିତ ପରିବେଶ ସୁରକ୍ଷା ଦିଗରେ କିଛି ଗୋଟିଏ ବାର୍ତ୍ତା ଦେବାପାଇଁ ଏହିଭଳି ନିଷ୍ପତ୍ତି ନେଇଥିଲେ।

ଅନ୍ୟପକ୍ଷରେ କନ୍ୟା ଭାଦ୍ରବୀ କହିଛନ୍ତି ଯେ, ଏହିଭଳି ଛୋଟିଆଛୋଟିଆ ପ୍ରୟାସରେ ବି ପରିବେଶକୁ ସୁରକ୍ଷା କରାଯାଇପାରିବ।