ଭୁବନେଶ୍ବର: ଅତିରିକ୍ତ ବଜେଟ୍‌ରେ ରାଜ୍ୟର ସର୍ବାଙ୍ଗୀନ ଉନ୍ନତି କରିବା ଲାଗି ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ସୁଧାର ଆଣିବା ଲାଗି ବିଭିନ୍ନ ବ୍ୟବସ୍ଥା ଗ୍ରହଣ କରାଯାଇଛି। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ପାଇଁ ୨୭୦ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି। ସର୍ବନିମ୍ନ ଆବଶ୍ୟକତା କାର୍ଯ୍ୟକ୍ରମ ଅଧୀନରେ ନିର୍ବାଚନ ମଣ୍ଡଳୀଗୁଡ଼ିକର ଉନ୍ନତି ନିମନ୍ତେ ୧୪୨ କୋଟି ଟଙ୍କା ଦିଆଯାଇଛି। ଅନ୍ତ୍ୟୋଦୟ ଗୃହ ଯୋଜନା ପାଇଁ ୧୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। 

Advertisment

ସେହିପରି, ସହରର ବିକାଶ ଲାଗି ସହରାଞ୍ଚଳ ନାଳବାହିତ ଆବର୍ଜନା ପରିଚାଳନା ଯୋଜନା ପାଇଁ ୧୪୮ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି। ସହରାଞ୍ଚଳରେ ଜଳ ଯୋଗାଣ ପାଇଁ ୨୨୦ କୋଟି ଟଙ୍କା ଦିଆଯାଇଛି। ବକ୍ସି ଜଗବନ୍ଧୁ ନିଶ୍ଚିତ ଜଳ ଯୋଗାଣ (ବସୁଧା) ପାଇଁ ୫୨ କୋଟି ଟଙ୍କା ପ୍ରଦାନ କରାଯାଇଛି। ସହରାଞ୍ଚଳ ପରିବର୍ତ୍ତନ ପଦକ୍ଷେପ ପାଇଁ ୩୫୦ କୋଟି ଟଙ୍କା ଦିଆଯାଇଥିବା ବେଳେ କଠିନ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ୧୫୦ କୋଟି ଟଙ୍କାର ଅଟକଳ ଧାର୍ଯ୍ୟ କରାଯାଇଛି। ସ୍ବଚ୍ଛ ଭାରତ ଅଭିଯାନ ପାଇଁ ୫୯୨ କୋଟି ଟଙ୍କା ଦିଆଯାଇଛି। ମଧୁବାବୁ ପେନ୍ସନ୍ ଯୋଜନା ଲାଗି ୩୩୮ କୋଟି ଟଙ୍କା, ଦିବ୍ୟାଙ୍ଗ କଲ୍ୟାଣ ପାଇଁ ୧୬ କୋଟି ଟଙ୍କା, ଭିନ୍ନକ୍ଷମ ଓ ସାଧାରଣ ବ୍ୟକ୍ତିଙ୍କ ମଧ୍ୟରେ ବିବାହ ପ୍ରୋତ୍ସାହନ ପାଇଁ ୧୦ କୋଟି ଟଙ୍କା ଓ ବିଧବା ଭତ୍ତା ଲାଗି ୧୬ କୋଟି ଟଙ୍କା ଦିଆଯାଇଛି। ଏହି ପଦକ୍ଷେପଗୁଡ଼ିକ ଦ୍ବାରା ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳବାସୀ ଉପକୃତ ହେବେ। ସୁଭଦ୍ରା ଯୋଜନା ପାଇଁ ୧୧୯୬ କୋଟି ଟଙ୍କା, ମିଶନ ଶକ୍ତି ସାମର୍ଥ୍ୟକୁ ୨୫ କୋଟି ଟଙ୍କା ଓ ମିଶନ ଶକ୍ତି ସମ୍ବଳ ପାଇଁ ୫ କୋଟି ଟଙ୍କା ଦିଆଯାଇଛି। ଦକ୍ଷତା ବିକାଶ ପାଇଁ ଦିଆଯାଇଥିବା ୨୬୩ କୋଟି ଟଙ୍କା, ସହରରୀ ବିକାଶ ପାଇଁ ୧୦୦୦ କୋଟି ଟଙ୍କା, କୃଷି ଓ ଆନୁଷଙଗିକ କ୍ଷେତ୍ର ପାଇଁ ୪୬୭ କୋଟି ଟଙ୍କା, ପଞ୍ଚାୟତିରାଜ, ପାନୀୟଜଳ ଓ ଗ୍ରାମ୍ୟ ଉନ୍ନୟନ ପାଇଁ ଦିଆଯାଇଥିବା ୬୩୪ କୋଟି ଟଙ୍କା ଦ୍ବାରା ‌ରାଜ୍ୟବାସୀ ଉପକୃତ ହେବେ।