ଅଭିଶପ୍ତ ଘୋଷରାପଡ଼ା : ସ୍ୱାଧୀନତାର ୭୩ ବର୍ଷ ପରେ ବି ଗାଁ’କୁ ରାସ୍ତା ନାହିଁ, ଯାତାୟାତରେ ଘୋର ଅସୁବିଧା ଭୋଗୁଛନ୍ତି ଗାଁ ଲୋକଙ୍କ ସହିତ ଛାତ୍ରଛାତ୍ରୀ

ପୁରୀ : ରାଜ୍ୟ ସରକାର ଗାଁ’ଗହଳିର ବିକାଶକୁ ସର୍ବାଧିକ ଗୁରୁତ୍ବ ଦେଇ ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଆଜି ବି ବହୁ ଗାଁ ମୌଳିକ ସୁବିଧାରୁ ବଞ୍ଚିତ। ଏମିତି ଏକ ଗାଁ ହେଉଛି ପୁରୀ ସଦର ବ୍ଲକ୍ ପ୍ରତାପରାମଚନ୍ଦ୍ରପୁର ପଞ୍ଚାୟତର ଘୋଷରାପଡ଼ା। ଯେଉଁଠି ସ୍ବାଧୀନତାର ୭୩ ବର୍ଷ ପରେ ବି ଭଲ ପାଦଚଲା ରାସ୍ତାଟିଏ ନାହିଁ। ଲୋକେ ଏବେ ବି କାଦୁଅ ପଚପଚ ରାସ୍ତାରେ ଯାଆସ କରୁଛନ୍ତି। ସବୁଠୁ ଦୁର୍ଭାଗ୍ୟଜନକ କଥା ହେଲା ଏହି ରାସ୍ତା ଦେଇ ଛାତ୍ରଛାତ୍ରୀମାନେ ହଇରାଣ ହରକତ ହୋଇ ବିଦ୍ୟାଳୟକୁ ଯାଉଛନ୍ତି। ପ୍ରତାପରାମଚନ୍ଦ୍ରପୁର ପଞ୍ଚାୟତର ଏହି ଗାଁଟି ଆଦିବାସୀବହୁଳ। ଅଧିକାଂଶ ସଅର ଜାତିର ଲୋକେ ଏହି ଗାଁରେ ବସବାସ କରୁଛନ୍ତି। ବାକି ଯେଉଁମାନେ ଅଛନ୍ତି ସେମାନେ ଅନୁସୂଚିତ ଜାତି ବର୍ଗର। ଗାଁରେ ୪୦ରୁ ଊର୍ଦ୍ଧ୍ବ ପରିବାର ବସବାସ କରୁଛନ୍ତି। ଜନସଂଖ୍ୟା ୩୦୦ ଉପରେ। ଗାଁର ଏକ ଅସ୍ଥାୟୀ ଘରେ ଅଙ୍ଗନବାଡ଼ି ଚାଲିଥିବା ବେଳେ ବିଦ୍ୟାଳୟ ବି ଅସ୍ଥାୟୀ ଘରେ ଚାଲିଛି। ବାତ୍ୟା ପରଠାରୁ ଏଠାରେ ପାଠପଢ଼ା ଠିକ୍‌ ଭାବେ ହୋଇପାରୁନି। ଭଙ୍ଗାଦଦରା ଘରେ ପିଲାମାନେ ପାଠ ପଢ଼ୁଛନ୍ତି। ଏଭଳି ସ୍ଥିତିରେ ରାସ୍ତାର ଦୟନୀୟ ସ୍ଥିତି ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ଅନ୍ତରାୟ ସୃଷ୍ଟି କରୁଛି। ଗାଁକୁ ସଂଯୋଗ କରୁଥିବା ଏକମାତ୍ର ରାସ୍ତାଟି ବର୍ଷା ଦିନେ କାଦୁଅ ପଚପଚ ହୋଇଯାଉଛି। ପ୍ରାୟ ଅଧ କିଲୋମିଟରର ଏହି ରାସ୍ତାରେ ଯାଆସ କରିବାକୁ ହେଲେ ଆଣ୍ଠୁଏ କାଦୁଅରେ ପଶିବାକୁ ପଡ଼ୁଛି। ଗାଁ ଲୋକେ କିଛିଦିନ ତଳେ ଏଠାରେ କିଛି ମୋରମ ପକାଇଥିଲେ। କିନ୍ତୁ ବର୍ଷାରେ ଏସବୁ ଧୋଇଯାଇ ପୂର୍ବ ଅବସ୍ଥା ଫେରିଆସିଛି। ଆଜି ଗାଁକୁ ଏକ ଡ୍ରୋଜର ଯିବା ଫଳରେ ରାସ୍ତା ଆହୁରି ଖାଲ ହୋଇଯାଇଛି। ଗାଁ ଲୋକଙ୍କ ସହିତ ଛାତ୍ରଛାତ୍ରୀମାନେ ଯାତାୟାତରେ ଘୋର ଅସୁବିଧା ଭୋଗୁଛନ୍ତି।

ସମ୍ବନ୍ଧିତ ଖବର