ହରିଚନ୍ଦନପୁର: ଗାଁ ଗୋଟିଏ। କିନ୍ତୁ ସାହି ଓ କିଛି ଘରକୁ ଭାଗ ଭାଗ କରାଯାଇ ୪ଟି ପଞ୍ଚାୟତରେ ରଖାଯାଇଛି। ଫଳରେ ଲୋକେ ନିଜ ଘରର ଠିକଣା ଲେଖିବା ବେଳେ ଅସୁବିଧାରେ ପଡ଼ୁଛନ୍ତି। ଏହାଛଡ଼ା ବିଭିନ୍ନ ସରକାରୀ ଯୋଜନା ପ୍ରଣୟନ ସମୟରେ ମଧ୍ୟ ସମସ୍ୟା ହେଉଛି। କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍ର ପନାସିଆ ଗ୍ରାମରେ ରହିଛି ମହାନ୍ତସାହି, ମୁଣ୍ଡାସାହି, ଜୁଆଙ୍ଗସାହି ଓ ଗୋପାଳସାହି। ଗ୍ରାମରେ ୨୧୮ଟି ପରିବାର ବାସ କରୁଥିବା ବେଳେ ଲୋକସଂଖ୍ୟା ୧୨ଶହରୁ ଊର୍ଦ୍ଧ୍ବ। ପୂର୍ବରୁ ପନାସିଆ ଗ୍ରାମ ଜଂଘିରା ପଞ୍ଚାୟତ ଅଧୀନରେ ଥିଲା। ୨୦୦୨ ପଞ୍ଚାୟତ ନିର୍ବାଚନ ପୂର୍ବରୁ ହରିଚନ୍ଦନପୁର ବ୍ଲକ୍ର ୧୮ଟି ପଞ୍ଚାୟତକୁ ଭାଗ କରାଯାଇ ୨୫ଟି ପଞ୍ଚାୟତ କରାଗଲା। ଏହି ସମୟରେ ଜଂଘିରା ପଞ୍ଚାୟତକୁ ଭାଗ କରାଯାଇ ନୂତନ ବୁଢ଼ାଖମଣ ପଞ୍ଚାୟତ ଗଠନ କରାଗଲା।
ବୁଢ଼ାଖମଣ ପଞ୍ଚାୟତ ମୁଖ୍ୟାଳୟରୁ ପନାସିଆ ଗ୍ରାମର ଦୂରତା ମାତ୍ର ୪ କିମି ହୋଇଥିବା ବେଳେ ଏହି ଗାଁକୁ ସମ୍ପୂର୍ଣ୍ଣ ଭାବେ ବୁଢ଼ାଖମଣ ପଞ୍ଚାୟତରେ ସାମିଲ କରାଯାଇ ନଥିଲା। ଗାଁର ମାତ୍ର ଦୁଇ ପରିବାର ବୁଢ଼ାଖମଣ ପଞ୍ଚାୟତରେ ରହିଲେ। ମହାନ୍ତସାହି, ମୁଣ୍ଡାସାହି ୮ କିମି ଦୂର ଜାମୁଯୋଡ଼ି ପଞ୍ଚାୟତ, ଜୁଆଙ୍ଗସାହି ଓ ଗୋପାଳସାହିକୁ ୧୩କିମି ଦୂର ଜିରାଙ୍ଗ ପଞ୍ଚାୟତରେ ସାମିଲ କରାଯାଇଛି। ସେହିପରି ଗୋପାଳ ସାହିର ସ୍ବର୍ଗତ ଯୁଧିଷ୍ଠିର ଖମଣିଆଙ୍କ ପରିବାରକୁ ଘଟଗାଁ ବ୍ଲକ୍ ବିନିଦା ପଞ୍ଚାୟତରେ ରଖାଯାଇଛି। ସ୍ବର୍ଗତ ଖମଣିଆଙ୍କ ବିଧବା ପତ୍ନୀ ଚନ୍ଦନୀ ଖମଣିଆ ଭତ୍ତା ଓ ରାସନ ପାଇଁ ୫ କିମି ଦୂର ବିନିଦା ପଞ୍ଚାୟତ କାର୍ଯ୍ୟାଳୟକୁ ଯାଉଛନ୍ତି। କୌଣସି ସରକାରୀ କାମ ପାଇଁ ତାଙ୍କ ପରିବାରଲୋକେ ହରିଚନ୍ଦନପୁର ପରିବର୍ତ୍ତେ ଘଟଗାଁ ବ୍ଲକ୍କୁ ଯାଉଛନ୍ତି। ଫଳରେ ଦୀର୍ଘ ୨୧ବର୍ଷ ହେଲା ଗ୍ରାମବାସୀ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଜାମୁଯୋଡ଼ି ଓ ଜିରାଙ୍ଗ ପଞ୍ଚାୟତ କାର୍ଯ୍ୟାଳୟକୁ ଯିବାକୁ ହେଲେ ବାରବାଙ୍କ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଦୁଇ କିମି ରାସ୍ତା ଅତିକ୍ରମ କରିବାକୁ ପଡ଼ିଥାଏ। ପିଡିଏସ୍ ଚାଉଳ ଆଣିବା ବେଳେ ହିତାଧିକାରୀମାନେ ନାନା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଭୋଟର୍ କାର୍ଡ ପାଇଁ ଆବେଦନ କରିବା ବେଳେ ଗ୍ରାମବାସୀ ପଞ୍ଚାୟତର ନାମ ଜିରାଙ୍ଗ କିମ୍ବା ଜାମୁଯୋଡ଼ି ବୋଲି ଉଲ୍ଲେଖ କଲେ ମଧ୍ୟ ଭୋଟର କାର୍ଡରେ ବୁଢ଼ାଖମଣ ବୋଲି ଉଲ୍ଲେଖ ରହୁଛି। ଫଳରେ ଆଧାରକାର୍ଡ ଠାରୁ ଆରମ୍ଭ କରି ବ୍ୟାଙ୍କ ଓ ଅନ୍ୟାନ୍ୟ କାମ ବେଳେ ସ୍ଥାୟୀ ବାସସ୍ଥାନ ପ୍ରମାଣ ଦେବାରେ ସମସ୍ୟା ହେଉଥିବା ଗ୍ରାମବାସ କହିଛନ୍ତି। ସେହିପରି ଜିରାଙ୍ଗ ପଞ୍ଚାୟତଟି ବଡ଼ପଳାଶପାଳ ଆର୍ଆଇ ସର୍କଲ ଅଧୀନରେ ଥିବା ବେଳେ ଜାମୁଯୋଡ଼ି ପଞ୍ଚାୟତ ପିଟାପିଟି ଆର୍ଆଇ ସର୍କଲ ଏବଂ ବୁଢ଼ାଖମଣ ଜଂଘିରା ପଞ୍ଚାୟତ ଆର୍ଆଇ ସର୍କଲ ଅଧୀନରେ ରହିଛି। ତେଣୁ ଜମିବାଡ଼ି କାମ ବେଳେ ଗ୍ରାମବାସୀ ଗୋଟିଏ ପରେ ଗୋଟିଏ ଆର୍ଆଇ ଅଫିସକୁ ଦୌଡ଼ି ନୟାନ୍ତ ହେଉଛନ୍ତି। ତେଣୁ ସମ୍ପୂର୍ଣ୍ଣ ପନାସିଆ ଗ୍ରାମକୁ ବୁଢ଼ାଖମଣ ପଞ୍ଚାୟତରେ ସାମିଲ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ ବିଡିଓ ଦୁଲାରାମ ମାରାଣ୍ଡି କହିଛନ୍ତି, ପନାସିଆ ଗାଁ ନାଁ ଶୁଣିଛି। ଲୋକଙ୍କ ସୁବିଧା ପାଇଁ ନିକଟସ୍ଥ ପଞ୍ଚାୟତରୁ ଚାଉଳ ଦେବା ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/sf5465fsfhfhssfh.jpg)