ରାଉରକେଲା, (ଆଶିଷ ଗଡ଼ନାୟକ): ହକି ବିଶ୍ବକପ୍‌ ପାଇଁ ଓଡ଼ିଶା ଉତ୍ସବମୁଖର ଥିବାବେଳେ ସବୁଠୁ ବେଶି ଉତ୍ସାହିତ ରାଉରକେଲା ସମେତ ସାରା ସୁନ୍ଦରଗଡ଼ ଜିଲ୍ଲା। ହକିର ଅନ୍ତୁଡ଼ିଶାଳ କୁହା ଯାଉଥିବା ଏ ଜିଲ୍ଲାରେ ବିଶ୍ବକପ୍‌ ଆୟୋଜନ ହେବ ବା ଅନ୍ତର୍ଜାତୀୟ ସ୍ତରର ବିର୍ସା ମୁଣ୍ଡା ଭଳି ବିଶାଳ ଅତ୍ୟାଧୁନିକ ଷ୍ଟାଡ଼ିୟମ ଠିଆହେବ, କ୍ବଚିତ୍ ଲୋକଙ୍କର ବିଶ୍ବାସ ଥିଲା। କିନ୍ତୁ ରାଜ୍ୟ ସରକାର ତାହା ସମ୍ଭବ କରିଛନ୍ତି। କହିବା ଅନାବଶ୍ୟକ ଯେ ସେଥିପାଇଁ ରାଉରକେଲା ସମେତ ପୂରା ସୁନ୍ଦରଗଡ଼ବାସୀ ଆନନ୍ଦିତ ଓ ଗର୍ବିତ ତଥା ସରକାରଙ୍କ ନିକଟରେ କୃତଜ୍ଞ। ରାଉରକେଲା ସହରର ଯେତିକି ବିକାଶ ୧୦-୧୫ ବର୍ଷ ଭିତରେ ହେବାର ଆଶା ବି ନଥିଲା, ବିଶ୍ବକପ୍‌ ପାଇଁ ତା’ଠୁ ଅଧିକ ସମ୍ଭବ ହୋଇଛି। ଯାହାକୁ ନେଇ ସହରବାସୀ ଖୁବ୍ ଆନନ୍ଦିତ। ତେବେ ବିଶ୍ବକପ୍‌ ସାଜସଜ୍ଜାରେ ଝଲମଲ କରୁଥିବା ଏ ଆଲୋକମାଳାର ସମାନ୍ତରାଳରେ ଜିଲ୍ଲା ଅଭ୍ୟନ୍ତରରେ ଆଉ ଗୋଟିଏ ଚିତ୍ର ରହିଛି। ଯାହାକୁ ସମସ୍ତେ ଦେଖିବା ଉଚିତ ଓ ଦୂରରେ ଥିବା ପ୍ରଶାସନର ଉଚ୍ଚ ଅଧିକାରୀମାନେ ସେ ବାବଦରେ ସଚେତନ ମଧ୍ୟ ହେବା ଆବଶ୍ୟକ।

Advertisment

ଉଲ୍ଲେଖନୀୟ ଯେ ଏଯାଏ ନିର୍ଦ୍ଦିଷ୍ଟ ଭାବେ କିଛି ଘୋଷଣା କରା ଯାଇ ନଥିଲେ ହେଁ ବିର୍ସା ମୁଣ୍ଡା ହକି ଷ୍ଟାଡ଼ିୟମ ତିଆରିରେ ପ୍ରାୟତଃ ୩୦୦ରୁ ୪୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ବିଧାନସଭାରେ କ୍ରୀଡ଼ାମନ୍ତ୍ରୀ ଦେଇଥିବା ପୁରୁଣା ସୂଚନା ଅନୁସାରେ, ସେଥିରେ ଅଛି ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପାଣ୍ଠି (ଡିଏମ୍‌ଏଫ୍‌)ର ପ୍ରାୟ ୧୩୭ କୋଟି। ଖଣି ମାଲିକମାନଙ୍କଠାରୁ କ୍ଷତିପୂରଣ ଭାବେ ଆଦାୟ କରାଯାଉଥିବା ଅର୍ଥ ଡିଏମ୍‌ଏଫ୍‌ରେ ରଖାଯାଏ ଏବଂ ଏହାକୁ କେବଳ ଖଣି ପ୍ରଭାବିତ ଅଞ୍ଚଳର ଲୋକଙ୍କ ମୌଳିକ ଆବଶ୍ୟକତା ପୂରଣରେ ଖର୍ଚ୍ଚ କରିବାର ନିୟମ ରହିଛି। ଡିଏମ୍‌ଏଫ୍‌ ଅର୍ଥରେ ରାଉରକେଲାରେ ଷ୍ଟାଡ଼ିୟମ ତିଆରିକୁ ଜିଲ୍ଲାର ଦୁଇଜଣ ବିଧାୟକ ବିରୋଧ କରିଥିଲେ। ସେମାନଙ୍କର ଯୁକ୍ତି ଥିଲା, ରାଉରକେଲା ଖଣି ପ୍ରଭାବିତ ଅଞ୍ଚଳ ନୁହେଁ ଓ ହକି ଷ୍ଟାଡ଼ିୟମକୁ ମଧ୍ୟ ଏକ ‌ମୌଳିକ ଆବଶ୍ୟକତା କୁହାଯାଇ ପାରିବନାହିଁ। କିନ୍ତୁ ମୋଟ୍‌ ଉପରେ ଦେଖିବାକୁ ଗଲେ, ବିଶ୍ବକପ୍‌ ଆୟୋଜନ ଭଳି ଏତେ ବଡ଼ ସମ୍ମାନ ମିଳିଥିବାରୁ ଏବେ ଏ ବାବଦରେ ଜିଲ୍ଲାବାସୀଙ୍କର ଆଦୌ ଅଭିଯୋଗ ନାହିଁ।

ସୁନ୍ଦରଗଡ଼ ଜିଲ୍ଲାରୁ ପ୍ରତବର୍ଷ ଡିଏମ୍‌ଏଫ୍‌କୁ ଶହ ଶହ କୋଟି ଟଙ୍କା ଯାଉଛି, ତା’ଭିତରୁ ସବୁଠୁ ବଡ଼ ଭାଗଟି ଯାଉଛି ଖଣିଖାଦାନ ଭରା କୋଇଡ଼ା ବ୍ଲକରୁ। ଡିଏମ୍‌ଏଫ୍‌କୁ ୨୦୨୦-୨୧ ବର୍ଷରେ କୋଇଡ଼ାରୁ ପ୍ରାୟ ୬୦୦ କୋଟି ଯାଇଥିବାବେଳେ ୨୦୨୧-୨୨ରେ ଯାଇଛି ପ୍ରାୟ ୧୫୫୫ କୋଟି। ଖଣି ରାଜଧାନୀ କୁହା ଯାଉଥିବା ଏହି କୋଇଡ଼ା ବ୍ଲକ୍‌ର ସଦରମହକୁମାରୁ ତେହେରାଇ, ବଲଡିହି ବାଟରେ ଗଲେ ୯-୧୦ କିମି ଦୂରରେ ପଡ଼ିବ ପାଟମୁଣ୍ଡା। ଏହା ଏକ ପଞ୍ଚାୟତ। ତା’ପରେ ଆରମ୍ଭ ହେବ ଖାଲଖମା ଓ ପଥର ଭର୍ତି ରାସ୍ତା। ରାସ୍ତାରୁ ଦିଶିବ ଏବେ ବନ୍ଦ ଥିବା ଓଏମ୍‌ଏମ୍‌ର ପୁରୁଣା ମାଙ୍ଗାନିଜ ଖଣି। ସେ ଖଣିରେ ଏଇସବୁ ଗାଁର ପ୍ରାୟ ୧୨୦୦‌ଲୋକ ଶ୍ରମିକ ଭାବେ କାମ କରୁଥିଲେ। ଏବେ ସେ ସୁଯୋଗ ନାହିଁ, ଯଦିଓ ଖଣିରୁ ଚାରିଚକିଆ ଯାନରେ କେନ୍ଦୁଝର ପଟ ‌ଦେଇ ପ୍ରତିଦିନ ଲକ୍ଷ ଲକ୍ଷ ଟଙ୍କାର ମାଙ୍ଗାନିଜ ଚୋରି ହେଉଛି। ସେହି ରାସ୍ତାରେ ଆଉ ୭ କିମି ଭିତରେ ଅର୍ଚ୍ଚଣ୍ଡାଡିହି, ଚିରୁବେଡ଼ା ଓ ନାରିଆଡିହି ଆଦି ଗାଁକୁ ଡ଼େଇଁଲେ ଶେଷରେ ପଡ଼ିବ ସୁନ୍ଦରଗଡ଼ ସୀମାରେ କେନ୍ଦୁଝରକୁ ଲାଗି କଦମଡ଼ିହି ଗାଁ। ବ୍ଲକ କାର୍ଯ୍ୟାଳୟଠୁ ପ୍ରାୟ ୧୫-୧୭ କିମି ଦୂରରେ ଥିବା ଏ ଗାଁରେ ରହନ୍ତି ପ୍ରାୟ ୧୩୦ ପରିବାରରେ ୭୫୦ରୁ ଅଧିକ ଲୋକ। ଚାରିପାଖରେ ଖଣିଥିବା ଏଇ ଗାଁଟିକୁ ପ୍ରକୃତ ଅର୍ଥରେ ଖଣି ପ୍ରଭାବିତ। ଏମିତି ଅନେକ ଗାଁ ରହିଛି। ଡିଏମ୍‌ଏଫ୍‌ ଉପରେ ପ୍ରକୃତ ଅଧିକାର ଥିବା ଏଭଳି ଅଭାବୀ ଗାଁଗୁଡ଼ିକୁ ମିଳିଛି କ’ଣ?

ଗାଁ ଭିତରେ ପଶୁପଶୁ ପ୍ରଥମେ ପଡ଼ିବ କଦମଡ଼ିହି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ସେ ସ୍କୁଲରେ ପ୍ରଥମରୁ ଅଷ୍ଟମ ଯାଏ ଅଛି। ଏହି ଆଠଟି ଶ୍ରେଣୀର ପିଲା ଭାଗ ଭାଗ ହୋଇ ବସନ୍ତି ଦୁଇଟି ଶ୍ରେଣୀଗୃହରେ। ଉଭୟ କୋଠରୀର ସ୍ଥିତି ଅତି ଶୋଚନୀୟ। ଛାତରୁ ପଲସ୍ତରା ଖସୁଛି। ସେଥିରେ କେବେକେବେ ପିଲାଙ୍କୁ ଆଘାତ ଲାଗୁଛି। ବର୍ଷା ଦିନେ ପାଣି ଝରୁଛି। ଗୋଟିଏ ଗୋଟିଏ କୋଠରୀରେ ଚାରିଟି ଶ୍ରେଣୀର ପିଲା ଏକାଠି ବସି କେମିତି ପଢୁଥିବେ, ଚିନ୍ତା କରିବା ବି କଷ୍ଟକର। ଖାଲି ସେତିକି ନୁହେଁ, ଏହି ଦୁଇଟି କୋଠରୀରେ ବସୁଥିବା ଆଠଟି ଶ୍ରେଣୀର ପିଲାଙ୍କୁ ପଢ଼ାଇବାଲାଗି ସ୍କୁଲରେ ଅଛନ୍ତି ମାତ୍ର ଜଣେ ଶିକ୍ଷକ! ‌ସେ ଶିକ୍ଷକଙ୍କର ଛୁଟି ରହିଛି, ବ୍ୟକ୍ତିଗତ ସୁବିଧା ଅସୁବିଧା ରହିଛି, ତା’ ସହିତ ସପ୍ତାହରେ ଦିନେ ଦୁଇଦିନ ପିଲାଙ୍କ ମଧ୍ୟାହ୍ନ ଭୋଜନ ପାଇଁ ସଉଦାପତ୍ର ଆଣିବାଲାଗି ଓ ବ୍ୟାଙ୍କ୍‌ କାମରେ କୋଇଡ଼ା ଯିବାକୁ ପଡ଼େ। ପୁଣି ବିଭିନ୍ନ କାରଣ ପାଇଁ ମିଟିଂରେ ଯୋଗଦେବାଲାଗି ମାସରେ ଏକାଧିକ ଥର ବ୍ଲକ ଅଫିସ ଯିବାକୁ ପଡ଼େ। ସେହି ଦିନଗୁଡ଼ିକରେ ସ୍କୁଲରେ ପଢ଼ାପଢ଼ି ବନ୍ଦ। ପିଲାଏ କେବଳ ମଧ୍ୟାହ୍ନ ଭୋଜନ ପାଇଁ ସ୍କୁଲ ଆସନ୍ତି।

ତେବେ ଏଇ ସ୍କୁଲରୁ ପ୍ରତିବର୍ଷ କିଛି କିଛି ଛାତ୍ର ଛାତ୍ରୀ ଅଷ୍ଟମ ପାସ୍ କରନ୍ତି। ତାଙ୍କ ଭିତରୁ ଛାତ୍ରୀମାନଙ୍କର ପାଠରେ ସେଇଠି ଡ଼ୋରି ବନ୍ଧାଯାଏ। କାରଣ ନବମ ଶ୍ରେଶୀ ଥିବା ନିକଟତମ ହାଇସ୍କୁଲ ଅଛି ପାଟମୁଣ୍ଡାରେ, ଯାହା ସେ ଗାଁରୁ ପ୍ରାୟ ୭ କିମି ଦୂରରେ। ସେଠାକୁ ଯିବାଲାଗି ଖାଲଖମା ଭରା ପଥୁରିଆ ଓ ଜଙ୍ଗଲୀ ରାସ୍ତାରେ ଯିବାକୁ ହୁଏ। ଯେଉଁ ରାସ୍ତାରେ ଦିନ ସମୟରେ ବି ଶୀତଦିନେ ହାତୀ ଓ ଖରାଦିନେ ବଡ଼ ବଡ଼ ସାପ ବାହାରିବା କିଛି ନୂଆ କଥା ନୁହେଁ। ସେ ରାସ୍ତାରେ ସାଇକଲ ଚଳାଇବା ମଧ୍ୟ କଷ୍ଟକର। ତେଣୁ ଅଷ୍ଟମ ପରେ ଅଧିକ ପଢ଼ିବା ଗାଁର ଅଧିକାଂଶ ପିଲା, ମୁଖ୍ୟତଃ ଝିଅମାନଙ୍କ ପାଇଁ ସମ୍ଭବ ହେଉନାହିଁ। ଅଳ୍ପ କିଛି ପୁଅପିଲା କଷ୍ଟମଷ୍ଟେ ମାଟ୍ରିକ୍‌ ଯାଏ ପଢ଼ନ୍ତି। କିନ୍ତୁ ତା’ପରେ କଲେଜ ପଢ଼ା ହୋଇ ପାରେନାହିଁ। କିଛି ପିଲା ଅବଶ୍ୟ ହଷ୍ଟେଲରେ ରହି ପଡୁଛନ୍ତି, ଆଉ କିଛି ଅନ୍ୟ ଗାଁରେ ଥିବା ବନ୍ଧୁବାନ୍ଧବ ଘରେ ରହି। ଏଠାରେ ଉଲ୍ଲେଖନୀୟ ସେ ଡିଏମ୍‌ଏଫ୍‌ ଅର୍ଥରେ ପ୍ରଶାସନ ରାଉରକେଲ‌ା ଓ ସୁନ୍ଦରଗଡ଼ ସହର ସମେତ ଜିଲ୍ଲା ଭିତରେ ଅନେକ ବସ୍ ଚଳାଇଛି। ସେ ବସ୍‌ରେ ପିଲାମାନେ ସ୍କୁଲ ଯାଉଛନ୍ତି। କିନ୍ତୁ ଗାଁ ଲୋକଙ୍କର ଅନେକ ଅଭିଯୋଗ ଓ ଦାବି ପରେ ମଧ୍ୟ କଦମଡ଼ିହି ସ୍କୁଲ୍‌ ବସ୍‌ ଦେଖି ପାରିନାହିଁ।

ସ୍କୁଲ ପାଚେରିକୁ ଲାଗି ଗାଁର ଅଙ୍ଗନବାଡ଼ି କେନ୍ଦ୍ରର ଘର। ମଝିରେ ୩ମାସରୁ ଅଧିକ ଏହା ବନ୍ଦ ଥିଲା। କାରଣ ପୁରୁଣା ଦିଦି ଅବସର ନେବାପରେ ଆଉ କାହାରିକୁ ନିଯୁକ୍ତି ଦିଆ ଯାଇ ନଥିଲା। ଗାଁଲୋକଙ୍କର ବହୁ ଦାବି ପରେ କିଛିଦିନ ତଳେ ଜଣେ ନୂଆ ଯୋଗ ଦେଇଛନ୍ତି।

କଦମଡ଼ିହିରୁ ପାଟମୁଣ୍ଡା ପଞ୍ଚାୟତ ଅଫିସ୍‌ ଯିବାକୁ ହେଲେ ଲୋକଙ୍କୁ ଉପରୋକ୍ତ ରାସ୍ତାରେ ୭ କିମି ଯିବାକୁ ପଡ଼େ। ସେ କଦର୍ଯ୍ୟ ରାସ୍ତାରେ ବଡ଼ କଷ୍ଟରେ ପଞ୍ଚାୟତକୁ ଯାଆନ୍ତି ଚାଉଳ ଓ ବିଭିନ୍ନ ଭତ୍ତା ଆଣିବାଲାଗି। ଚାଉଳ ବସ୍ତା ମୁଣ୍ଡେଇ ଫେରିବାବେଳେ ବୁଢ଼ାବୁଢ଼ୀ ସେଥିରେ ବହୁତ ଦହଗଞ୍ଜ ହୁଅନ୍ତି। ସକାଳୁ ଚାଲିଚାଲି ଘରୁ ବାହାରନ୍ତି ତ ଫେରୁ ଫେରୁ ସନ୍ଧ୍ୟା ହୋଇଯାଏ। ଗାଁରେ ଆସି ଚାଉଳ ଓ ଅନ୍ୟ ଭତ୍ତା ‌ଦେବାର ଦାବିକୁ ବ୍ଲକ୍‌ ପ୍ରଶାସନ ଆଜିଯାଏ ଗୁରୁତ୍ବ ଦେଇନାହିଁ।

ତେବେ ଚାଉଳ ବସ୍ତାର ଓଜନ ସିନା ମାସରେ ଥରେ କଷ୍ଟଦିଏ, ପାଣିଭରା ଡେକ୍‌ଚିର ଭାର କିନ୍ତୁ ପ୍ରତିଦିନ ସହିବାକୁ ହୁଏ ଏ ଗାଁର ମହିଳାମାନଙ୍କୁ। ୧୫୦୦ ଅଧିକ ଲୋକଙ୍କର ଏ ଗାଁରେ ଅଛି ତିନିଟି ନଳକୂପ। କିନ୍ତୁ ସେଗୁଡ଼ିକରୁ ଯେଉଁ ଧାତବ ଗୁଣ୍ଡ ମିଶା ନାଲିରଙ୍ଗର ପାଣି ବାହାରେ, ତା’କୁ ଆଦୌ ପିଇ ହୁଏନାହିଁ। ଗାଁରେ ଗୋଟିଏ ସୋଲାର୍‌ ଓଭର୍‌ହେଡ୍‌ ପାଣିଟାଙ୍କି ସ୍ଥାପନ କରା ଯାଇଥିଲା। ତାହା କିନ୍ତୁ ଏବେ ଅଚଳ। ତେଣୁ ଲୋକଙ୍କର ଏକମାତ୍ର ଭରସା ଗାଁ ମୁଣ୍ଡଦେଇ ବହି ଯାଇଥିବା ନାଳ- ସୁନାନଈ। ସେହି ପାଣି ପିଏ ଗାଁଟି ଯାକ। ସେଥିପାଇଁ ବୃଦ୍ଧା ନିର୍ବିଶେଷରେ ଗାଁର ସବୁ ମହିଳା ମୁଣ୍ଡରେ ଡେକ୍‌ଚି ଓ କାଖରେ ମାଠିଆ ନେଇ ଦିନକୁ ଅତିକମ୍‌ରେ ଦୁଇଥର ଯାଆନ୍ତି ସେହି ନାଳକୁ। ଲୋକଙ୍କର ବହୁ ଦାବି ପରେ ଡିଏମ୍‌ଏଫ୍‌ ଅର୍ଥରେ ଏକ ପାଣି ଟ୍ୟାଙ୍କର ସୁବିଧା କରା ଯାଇଥିଲା। ସେହି ଟ୍ୟାଙ୍କର ସବୁଦିନେ ଗାଁ ଲୋକଙ୍କୁ ପାନୀୟ ଜଳ ଦେଉଥିଲା। ମଝିରେ ବର୍ଷା ହେଲେ ସେ ରାସ୍ତାରୁ ମାଟି ଧୋଇହୋଇ ଆହୁରି ପଡୁରିଆ ହୋଇଯାଏ। ତେଣୁ ଗାଁକୁ ଟ୍ୟାଙ୍କର ଆସିବା ବନ୍ଦ ହୋଇଯାଏ। ଆମ୍ବୁଲାନ୍ସ ଆଦି ମଧ୍ୟ ଆସିବାକୁ ଅସୁବିଧା ହୁଏ। ପ୍ରଶାସନ ନଶୁଣିବାରୁ ପାଣି ପାଇଁ ଗାଁର ଆବାଳ ବୃଦ୍ଧ କୋଡ଼ି କୋଦାଳ ଧରି ସବୁଠୁ ଖରାପ ଅଂଶ ପ୍ରାୟ ‌୩ କିମି ରାସ୍ତାକୁ ବର୍ଷରେ ଦୁଇ ତିନିଥର ନିଜେ ମରାମତି କରୁଥିଲେ। କିନ୍ତୁ ଦୁର୍ଭାଗ୍ୟର ବିଷୟ ପ୍ରାୟ ଦୁଇମାସ ତଳୁ ସେ ଟ୍ୟାଙ୍କର୍ ଆସିବା ବନ୍ଦ ହୋଇ ଯାଇଛି। ଲୋକେ ଏବେ ପୁଣି ସେଇ ନାଳ ପାଣି ପିଉଛନ୍ତି। ଏହାକୁ ନେଇ ତାଙ୍କ ଭିତରେ ଭୀଷଣ କ୍ଷୋଭ। କିନ୍ତୁ କିଏ ଶୁଣୁଛି ସେ କଥା!

ତେବେ ଆହୁରି ଦୁର୍ଭାଗ୍ୟଜନକ କଥା ହେଉଛି, କଦମଡ଼ିହି ଭଳି ଗାଁଗୁଡ଼ିକର ଲୋକେ ଟୋପେ ପିଇବା ପାଣିପାଇଁ ଡ଼ହଳବିକଳ ହେଉଥିବାବେଳେ ଖଣି ପ୍ରଭାବିତଙ୍କୁ ପିଇବାପାଣି ଯୋଗାଣ ପାଇଁ ନିୟୋଜିତ ଡିଏମ୍‌ଏଫ୍‌ ପାଣି ଟ୍ୟାଙ୍କର ଭିତରୁ କେତୋଟି ଏବେ ରାଉରକେଲାରେ ବିଶ୍ବକପ୍‌ ସାଜସଜ୍ଜା ପାଇଁ ରାସ୍ତାକଡ଼ରେ ଲଗା ଯାଇଥିବା ଗଛରେ ପାଣି ଦେବା ଦେଖା ଯାଉଛି। ଏହାର ଫଟୋ ଗଣମାଧ୍ୟମରେ ବି ପ୍ରକାଶିତ ହୋଇ ସାରିଛି। ଉଲ୍ଲେଖନୀୟ ଯେ କୋଇଡ଼ା ବ୍ଲକରେ ସମସ୍ୟା ଥିବା ଗାଁଗୁଡ଼ିକୁ ପାନୀୟ ଜଳ ଯୋଗାଣ ପାଇଁ ନିଯୁକ୍ତ ଟ୍ୟାଙ୍କର ସମେତ ରାସ୍ତାରେ ପାଣି ସିଞ୍ଚନ, ଧୂଳିଟଣା, ମଶାଧୂଆଁ, ଅଳିଆ ବୁହା ଓ ପାଇଖାନା ସଫା ଆଦି କାମ ପାଇଁ ନିୟୋଜିତ ସବୁ ମେସିନ ଓ ଯାନବାହନକୁ ରାଉରକେଲା ପଠାଇ ଦିଆ ଯାଇଛି। ବିଶ୍ବକପ୍‌ର ସଫଳ ଆୟୋଜନ ଉପରେ ରାଜ୍ୟବାସୀଙ୍କ ସମେତ ସୁନ୍ଦରଗଡ଼ବାସୀଙ୍କ ସମ୍ମାନ ନିର୍ଭର କରୁଛି। ସେଥିପାଇଁ ରାଉରକେଲାର ରାସ୍ତାଘାଟ ଆହୁରି ସଫା ହେଉ, ଲଗାଯାଇଥିବା ଫୁଲ ଓ ଦାମୀଗଛଗୁଡ଼ିକ ଆହୁରି ସବୁଜ ହୁଅନ୍ତୁ, ଦେଶ ବିଦେଶରୁ ଆସୁଥିବା ଖେଳାଳି ଓ ଦର୍ଶକ ବହୁତ ପ୍ରଶଂସା କରନ୍ତୁ; ଏହା ସମସ୍ତେ ଚାହାନ୍ତି। କିନ୍ତୁ ସେଥିପାଇଁ ଶୋଷିଲା ଲୋକଙ୍କ ମୁହଁରୁ ପାଣି ଛଡ଼ାଇନେବାକୁ ଦୁର୍ଭାଗ୍ୟଜନକ ହିଁ କୁହାଯିବ।

ଏଇ ରାସ୍ତା ସମସ୍ୟା ପାଇଁ ଠିକ୍‌ ସମୟରେ ଚିକିତ୍ସା ପାଇବା ମଧ୍ୟ ଏ ଗାଁର ଭାଗ୍ୟରେ ନାହିଁ। ପୁଣି ବିଦ୍ୟୁତ୍‌ ସଂଯୋଗ ତଥା ଆର୍ଥିକ ସ୍ବଚ୍ଛଳତା ନଥିବାରୁ ଗାଁର ଖୁବ୍‌ କମ୍ ଲୋକଙ୍କ ନିକଟରେ ମୋବାଇଲ୍‌ ଅଛି, ଯାହାକୁ ପାଖ ଗାଁରୁ ବା ପାଖ ସହରକୁ ଯାଇ ଚାର୍ଜ କରିବାକୁ ପଡ଼େ। ତେଣୁ ବେଳେବେଳେ ଠିକଣା ସମୟରେ ଆମ୍ବୁଲାନ୍ସ ଡ଼ାକି ହୁଏନାହିଁ। ଆମ୍ବୁଲାନ୍ସ ଆସିଲେ ବି ଖରାପ ରାସ୍ତା କାରଣରୁ ବହୁତ ଡେରି ହୋଇଯାଏ। ବହୁ ଅଭିଯୋଗ ଓ ଅନୁରୋଧ ପରେ ଗୋଟିଏ ଖଣି କମ୍ପାନିର ପାରିପାର୍ଶ୍ବିକ ବିକାଶ ପାଣ୍ଠିରେ ପରିଚାଳିତ ଏକ ଭ୍ରାମ୍ୟାମାଣ ଚିକିତ୍ସା ଗାଡ଼ି ଥରଟିଏ ଗାଁକୁ ଆସିଥିଲା। ତା’ପରେ ତା’ର ଆଉ ଦେଖାନାହିଁ।
ଜଣେ ଗ୍ରାମବାସୀ କହିଲେ, ଏକଦା କୋଇଡ଼ାରେ ଜିଲ୍ଲାପାଳଙ୍କର ଜନ ଶୁଣାଣି ସମୟରେ ଗାଁର କିଛିଲୋକ ଗାଁର ସମସ୍ୟା ବିଷୟରେ ତାଙ୍କୁ ଜଣାଇଥିଲେ। ସେହି କାରଣରୁ ପରେ ବ୍ଲକ୍‌ର ଉଚ୍ଚ କର୍ତ୍ତୃପକ୍ଷ ସେମାନଙ୍କ ଉପରେ ଭୀଷଣ ବିରକ୍ତ ହୋଇଥିଲେ!

ଉପରୋକ୍ତ ସ୍କୁଲ ବାଟେ ଗାଁରୁ ଫେରିବାବେଳେ ଭିତରକୁ ଥରେ ଉଙ୍କି ମାରିଲୁ। ବହୁବର୍ଷ ତଳେ ତିଆରି ହୋଇ ପଲସ୍ତରା ଛାଡ଼ି ଯାଇଥିବା ଓ ଏବେ କାମରେ ଆସୁ ନଥିବା ଗୋଟିଏ ସ୍ଲାଇଡ୍‌ (ଯେଉଁଥିରେ ପିଲାଏ ଉପରୁ ତଳକୁ ଖସି ଖେଳନ୍ତି) ତଳେ ଅଧାଖରା-ଅଧାଛାଇରେ ଦୁଇଟି ପିଲା ବସି ମଧ୍ୟାହ୍ନ ଭୋଜନ ଖାଉଥିଲେ। ଶବ୍ଦ ଶୁଣି ଆମ ଆଡ଼କୁ ମୁହଁ ବୁଲେଇ ଅନେଇଲେ। ଦୂରରୁ ତାଙ୍କ ମୁହଁ ଉପରେ ଧଳା ଧଳା କିଛି ଦେଖିଗଲା। ହସୁଥିବା ଦାନ୍ତ ନା ଭାତ! ଦୂରରୁ ସ୍ପଷ୍ଟ ହେଲାନି। ମନକୁ ଆସିଲା- ଲୋକଙ୍କୁ କେବଳ ଦୁଇବେଳା ମାଗଣା ଭୋଜନ ଯୋଗାଇଦେଲେ କ’ଣ ଗୋଟେ ସମାଜ ବା ସରକାରର କର୍ତ୍ତବ୍ୟ ସରିଯାଏ!