ଦେବେନ୍ଦ୍ର କୁମାର ବିଶି
ଭବାନୀପାଟଣା: ଦିନେ ଭୋକର ଭୂଗୋଳ କହିଲେ କଳାହାଣ୍ଡି ଜିଲ୍ଲା ଆଡ଼କୁ ଆଙ୍ଗୁଠି ଉଠୁଥିଲା। ଆଜି ସେ ଚିତ୍ର ବଦଳିଯାଇଛି ଓ ଅଭିଯୋଗ ବି ନାହିଁ। ତଥାପି ଲୋକେ ଆଜି ମଧ୍ୟ ଚାଉଳ ପାଇଁ ସଂଘର୍ଷ କରୁଛନ୍ତି। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଦୁର୍ଗମ ଅଞ୍ଚଳରେ ପିଡ଼ିଏସ୍ ଚାଉଳ ପାଇଁ ଲୋକେ ନାହିଁ ନଥିବା କଷ୍ଟ ଭୋଗୁଛନ୍ତି। ସମସ୍ୟା ବଦଳିଛି, ଅଥଚ ଭିନ୍ନ ଦୃଷ୍ଟିରୁ ସାମ୍ନାକୁ ଆସିଛି। ରାସ୍ତା ନଥିବା ଯୋଗୁଁ ଗ୍ରାମବାସୀମାନେ ପାହାଡ଼ିଆ ଓ ବିପଦ ସଙ୍କୁଳ ପାଦରେ ଚାଲି ନିଜର ପିଡ଼ିଏସ୍ ଚାଉଳ ପାଇବା ପାଇଁ ପ୍ରତିମାସରେ ଆଣିବାକୁ ଯାଇଥାନ୍ତି । ଯୋଜନା ପରେ ଯୋଜନା ଚାଲିଥିଲେ ହେଁ କଳାହାଣ୍ଡିର ବିଭିନ୍ନ ଗାଁକୁ ରାସ୍ତା ନଥିବା ଗୋଟିଏ ଛୋଟ କଥା ନୁହେଁ।
କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ ବ୍ଲକର ଲାଞ୍ଜି ପଞ୍ଚାୟତର ତୁର୍କା ଗ୍ରାମର ଅଧିବାସୀ ୧୫ କି.ମି. ପାହାଡିଆ ରାସ୍ତାରେ ଚାଲି ଚାଲି ଯାଇ ମୂଷାନାଲ ପଞ୍ଚାୟତରୁ ପିଡିଏସ୍ ଚାଉଳ ଆଣିଥାନ୍ତି। କାନକୁଟୃ ପଞ୍ଚାୟତର ଉପର ନଙ୍ଗଲବାଇଲି ଅଧିବାସୀମାନେ ପ୍ରାୟ ୩୫ କି.ମି. ଦୁର୍ଗମ ରାସ୍ତାରେ ଯାଇ ପଞ୍ଚାୟତ ମହକୁମା କାନକୁଟୃରୁ ପିଡିଏସ୍ ଚାଉଳ ଆଣିଥାନ୍ତି। ବିଜେପୁର ପଞ୍ଚାୟତର ପିଡିସାଲ ଓ ପୋଇଗୁଡା ଗ୍ରାମବାସୀ ପ୍ରାୟ ୧୨ କିମି, ମାଲିଯୁବାଙ୍ଗ ପଞ୍ଚାୟତର ସାନପଦର, ଟୁରିସେମେଲ ଗ୍ରାମବାସୀ ପ୍ରାୟ ୧୮ କି.ମି. ଦୂର୍ଗମ ପାହାଡରେ ଜୀବନକୁ ବାଜି ଲଗାଇ ପିଡିଏସ୍ ଚାଉଳ ଆଣିଥାନ୍ତି। ପାହାଡପଦର ପଞ୍ଚାୟତର ତଇଁପଦର ଓ ଜିରା ଗ୍ରାମବାସୀ ପ୍ରାୟ ୧୩ କି.ମି. ,ଗୁଣ୍ଡରି ପଞ୍ଚାୟତର ବିଜେପୁର, କୁଟେହେଜୁ, ହାତୀମୁଣ୍ଡା, ଦାରବେଙ୍ଗ, ଅଦଲଡୁ, ତରଙ୍ଗଲ, ମାଢ଼ିବନ୍ଧା ଗ୍ରାମବାସୀ ରେତ ନଦୀ ଦେଇ ଛତିକୁଡା ରାସ୍ତାରେ ପ୍ରାୟ ୨୫ କି.ମି. ,ଭବାନୀପାଟଣା ବ୍ଲକର ଯୁଗସାଇପାଟଣା ପଞ୍ଚାୟତର ଟିଟିଝୁଲା, ଜାମଗୁଡା, କଟଲାଙ୍ଗ, ସଲପାଙ୍ଗ, ବଡମ୍ବା, ରଙ୍ଗୀଗୁଡା ଗ୍ରାମବାସୀ ପାହାଡ ଚଢ଼ି ୨୨ କି.ମି. ଯାଇ ଚାଉଳ ଆଣନ୍ତି।
ଥୁଆମୂଳ ରାମପୁର ବ୍ଲକର ପୋଡାପଦର ପଞ୍ଚାୟତର ଭିତରଡ଼ୁଙ୍ଗା, ତେନ୍ତୁଳିପଦର, ସରାପାସ, ଘୁଟ୍ରୁଖାଲ, ଲିଟିମସ୍କା, ପୋଡାପଦର, କାରୱାଡି, ତଲଟେମରା, ଉପର ଟେମରା, କୁଡ୍ରୁପାଟ, ଗୁଞ୍ଜମାଲି ଗ୍ରାମଗୁଡିକର ପ୍ରାୟ ୪୦ରୁ ଅଧିକ ପରିବାର ଇନ୍ଦ୍ରାବତୀ ଜଳ ଭଣ୍ଡାରରେ ବିପଦ ସଙ୍କୁଳ ଯାତ୍ରା କରି ଡ଼ଙ୍ଗାରେ ପାର ହୋଇ ତଳନାଗି ପଞ୍ଚାୟତକୁ ପିଡ଼ିଏସ ଚାଉଳ ଆଣିବାକୁ ଯାଇଥାନ୍ତି। ବିରିକୋଟ ପଞ୍ଚାୟତର ତୁମନିଖୋଲର ଗ୍ରାମବାସୀ ୭ କି.ମି. ପାହାଡି ପାଦ ଚଳା ରାସ୍ତାରେ ପଞ୍ଚାୟତକୁ ପିଡିଏସ୍ ଚାଉଳ ନେବାକୁ ଆସିଥାନ୍ତି। ପାଡେପଦର ପଞ୍ଚାୟତର ଭାଟିପାସ ଗ୍ରାମବାସୀ ପ୍ରାୟ ୧ କିମି ବିପଦ ଶଙ୍କୁଳ ପାହାଡି ରାସ୍ତାରେ ପଞ୍ଚାୟତକୁ ଚାଉଳ ଆଣିବାକୁ ପଡୁଛି।
ସେହିଭଳି ଜୁନାଗଡ ବ୍ଲକର ଦୁଣ୍ଡା ଗ୍ରାମବାସୀମାନେ ୩ କିମି ଚାଲି ଚାଲି ଯାଇ ଥୁଆମୂଳ ରାମପୁର ବ୍ଲକର କିଆପଦର ପଞ୍ଚାୟତରୁ ଚାଉଳ ପାଉଛନ୍ତି। ଜୁନାଗଡ ବ୍ଲକର ବୁଢ଼ିଦର ପଞ୍ଚାୟତର ଲଖନାପଡା ଗ୍ରାମବାସୀ ୮ କିମି, ବେହେରାଗୁଡା ଗ୍ରାମବାସୀ ୭ କିମି ଓ ବିଜ୍ରାଦର ଗ୍ରାମବାସୀ ୧୨ କିମି ପାହାଡି ରାସ୍ତାରେ ଚାଲି ଚାଲି ଯାଇ ବୁଢ଼ିଦର ପଞ୍ଚାୟତରୁ ଚାଉଳ ଆଣିଥାନ୍ତି। ଯେଉଁ ପରିବାରମାନଙ୍କରେ ବୃଦ୍ଧ ଓ ବୃଦ୍ଧା ଘରର ମୁଖିଆ ଅଛନ୍ତି ସେମାନଙ୍କ ପାଇଁ ପିଡିଏସ ଚାଉଳ ପାଇବା ଦୁର୍ବିସହ ହୋଇପଡେ। ଟଙ୍କିକିଆ ଚାଉଳ ପାଇଁ ପ୍ରାୟ ୧୦୦ରୁ ୨୦୦ ଟଙ୍କା ଖର୍ଚ୍ଚ କରି ପଞ୍ଚାୟତରୁ ପାହାଡ ଘାଟିତଳକୁ ନେଇ ପୁଣି ମୁଣ୍ଡରେ ବୋହି ପାହାଡି ରାସ୍ତାରେ ଜୀବନକୁ ବାଜି ଲଗାଇ କସରତ କରିଥାନ୍ତି। ଏମାନଙ୍କ ପାଇଁ ପିଡିଏସ୍ ଚାଉଳ ହିଁ ଭରସା ଥିବାବେଳେ ଏଥିପାଇଁ ବର୍ଷ ତମାମ ସଂଘର୍ଷ କରୁଥିଲେ ମଧ୍ୟ ନା’ ଜିଲ୍ଲା ପ୍ରଶାସନ ନା’ ରାଜ୍ୟ ସରକାର କେହି ବି ସେମାନଙ୍କ ଦୁଃଖଲାଘବ କରିବା ପାଇଁ ନାହାଁନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/10/rice.jpg)