ରତ୍ନାକର ଭୋଇ
ସମ୍ବଲପୁର: ଆଜିକାଲି ସହରାଞ୍ଚଳ ଭଳି ଗାଁ ଲୋକମାନଙ୍କ ଭିତରେ ବି କଥା କଥାରେ ଝଗଡ଼ା ହେଉଛି। ବାପାପୁଅ, ଭାଇଭାଇ ଭିତରେ ସାମାନ୍ୟ କଥାକୁ ନେଇ ଗଣ୍ଡଗୋଳ, ହଣାକଟା ଭଳି ସ୍ଥିତି ଉପୁଜୁଛି। ଝଗଡ଼ାଝାଟି ହେଲେ ଲୋକେ ଅନ୍ୟ ବିରୋଧରେ ଅଭିଯୋଗ କରିବାକୁ ଥାନାରେ ପହଞ୍ଚୁଛନ୍ତି। ହେଲେ ସମ୍ବଲପୁର ଜିଲ୍ଲାରେ ଏମିତି ଏକ ଗାଁ ଅଛି, ଯେଉଁଠି ପୁଲିସର ପାଦ କେବେ ପଡ଼ିନାହିଁ। ଗାଁ ଲୋକେ ଅନ୍ୟ ବିରୋଧରେ ଅଭିଯୋଗ କରିବାକୁ କେବେ ମଧ୍ୟ ଥାନାକୁ ଯାଇନଥିବା କହନ୍ତି କୁଲାଡ଼େରା ଗ୍ରାମବାସୀ। 

Advertisment

ସମ୍ବଲପୁର ଜିଲ୍ଲା ମୁଖ୍ୟାଳୟଠାରୁ ପ୍ରାୟ ୧୩୦ କିଲୋମିଟର ଏବଂ ବାମରା ବ୍ଳକ୍ ମୁଖ୍ୟାଳୟଠାରୁ ୨୦ କିଲୋମିଟର ଦୂରରେ ରହିଛି କୁଲାଡ଼େରା। ଆଦିବାସୀବହୁଳ କୁଲାଡ଼େରାରେ କନ୍ଧ, ଓରାମ, ଖଡ଼ିଆ ଆଦି ସଂପ୍ରଦାୟର ପ୍ରାୟ ଶହେ ପରିବାର ରହୁଛନ୍ତି। ଗାଁରେ ଅଳ୍ପ ଦୂରତାରେ ରହିଛି ୪ଟିଯାକ ପଡ଼ା। ପାହାଡ଼ ତଳେ, ଚାରିଆଡ଼େ ସବୁଜ ବନାନୀ ଘେରି ରହିଥିବା ଏହି ଗାଁର ସୌନ୍ଦର୍ଯ୍ୟ ବାସ୍ତବରେ ବେଶ୍‌ ମନଲୋଭା। ଅଲଗା ଅଲଗା ପଡ଼ାରେ ରହୁଥିଲେ ବି ଗାଁ ଲୋକମାନଙ୍କ ମଧ୍ୟରେ ଆତ୍ମୀୟତା ଓ ଏକତା ରହିଛି। କେବେ କେମିତି କାହା ସହିତ କୌଣସି କାରଣରୁ ଝଗଡ଼ା ହେ‌ଲେ ସେହି ଗାଁ ଭିତରେ ହିଁ ବିବାଦର ସମାଧାନ ହୋଇଯାଇଥାଏ ବୋଲି କହନ୍ତି ୭୩ ବର୍ଷୀୟ ଦୁବରାଜ କାଲୋ। ସୁନିତା ଲାକ୍ରା (୫୮) କହନ୍ତି, ‘ମୁଁ ମୋର ପୁଅଝିଅଙ୍କୁ ବାହାଦେଇ ନାତିନାତୁଣୀ ଦେଖିଲିଣି।

ଗାଁର କେବେ କେହି ଥାନାକୁ ଯିବା କିମ୍ବା ପୁଲିସ ଆମ ଗାଁକୁ ଆସିବା କଥା ମୁଁ ଜାଣିନାହିଁ। ଯଦି କାହା ମଧ୍ୟରେ କୌଣସି କଥାକୁ ନେଇ ‌ପାଟିତୁଣ୍ଡ ହୁଏ ଗାଁର ବୟୋଜ୍ୟେଷ୍ଠ ଲୋକେ ଏଥିରେ ହସ୍ତକ୍ଷେପ କରିଥାନ୍ତି। ଜଣେ ବ‌ୟୋଜ୍ୟେଷ୍ଠ ଲୋକ ମନା କରିଦେଲେ ସମସ୍ତେ ମାନି ଯାଇଥାନ୍ତି’ ବୋଲି ସୁନିତା କହିଛନ୍ତି। ଅନେକ କଥା ଗ୍ରାମସଭାରେ ସମାଧାନ ହୋଇଯାଇଥାଏ ବୋଲି କହିଛନ୍ତି ଯଦୁମଣି ପ୍ରଧାନ (୬୪)। ଗାଁ ଲୋକେ ଚାଷବାସ ଓ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ପରିବାର ପ୍ରତିପୋଷଣ କରିଥାନ୍ତି। ପୂର୍ବରୁ ଗାଁ ପାଖ ଜଙ୍ଗଲରୁ ବାଉଁଶ କାଟି କୁଲା ତିଆରି କରି ବିକୁଥିଲେ। ଥରେ ମରୁଡ଼ି ହେବାରୁ ଲୋକେ ବାମଣ୍ଡା ରାଜାଙ୍କୁ ଖଜଣା ଦେଇ ପାରିନଥିଲେ। ରାଜାଙ୍କ ଲୋକେ ଆସି ତାଗିଦ୍‌ କରିବା ପରେ ଗ୍ରାମବାସୀ ବହୁସଂଖ୍ୟାରେ କୁଲା ତିଆରି କରି ରାଜାଙ୍କ ଦରବାର ପାଖରେ ଡେରି ଦେଇଥ‌ିଲେ। ସେହିଦିନଠାରୁ ଏହି ଗାଁର ନାଁ’ କୁଲାଡ଼େରା ରହିଥିବା ଗ୍ରାମବାସୀ କହିଛନ୍ତି। ଗାଁରେ ସ୍କୁଲ ନାହିଁ। ତେଣୁ ଅଧିକାଂଶ ପିଲା ୩ କିମି ଦୂର ପଞ୍ଚାୟତ ମୁଖ୍ୟାଳୟ ଲରିଆପାଲି ଗାଁକୁ ଜଙ୍ଗଲ ରାସ୍ତାଦେଇ ଚାଲି ଚାଲି ପଢ଼ିବାକୁ ଯାଇଥାନ୍ତି। ଆଉ କେତେକ ପିଲା ସାଗରପାଲି ଗାଁକୁ ଯାଇଥାନ୍ତି। ଗାଁ ପାଖରେ ବହିଯାଇଥିବା ଆମ୍ବଟଆମ୍ବ ନାଳରେ ସ୍ନାନଶୌଚ କରିଥାନ୍ତି। ଅବଶ୍ୟ ଖରାଦିନେ ଅସୁବିଧାକୁ ଦୃଷ୍ଟିରେ ରଖି ଏବେ ଗାଁରେ କେତୋଟି ନଳକୂଅ ଖନନ କରାଯାଇଛି। କିଛି ବର୍ଷ ତଳେ ବିଦ୍ୟୁତ୍ ସଂଯୋଗ ହୋଇଛି। ହେଲେ, ଅଘୋଷିତ ବିଦ୍ୟୁତ୍ କାଟ ଯୋଗୁ ଗ୍ରାମବାସୀଙ୍କୁ ପ୍ରାୟ ସମୟ ବିଦ୍ୟୁତ୍‌ ସେବାରୁ ବଞ୍ଚିତ ହେବାକୁ ପଡ଼ୁଛି।