ମୌଳିକ ସୁବିଧାରୁ ବଞ୍ଚିତ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ତୁନପାର ପଞ୍ଚାୟତର ଦୁର୍ଗମ ଗାଁ ‘ବେଲଗୁଡା‘

ଲକ୍ଷ୍ମୀପୁର : କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ତୁନପାର ପଞ୍ଚାୟତର ଦୁର୍ଗମ ଗାଁ ବେଲଗୁଡା। ଏହି ଅବହେଳିତ ଗାଁକୁ କୌଣସି ସିଧାସଳଖ ରାସ୍ତା ନାହିଁ। କାକିରିଗୁମ୍ମାରୁ ପ୍ରବାହିତ ନଦୀକୁ ପାର ହୋଇ ଏଠାକୁ ଯିବାକୁ ହୋଇଥାଏ। ଅନ୍ୟ ଗୋଟିଏ ରାସ୍ତା ଅପହଞ୍ଚ ଅଞ୍ଚଳରେ ରହିଥିବା ବସ୍ତ୍ରବନ୍ଧ ଗାଁ ଦେଇ ଅଧିକ ତିନି କିଲୋମିଟର ବୁଲିକି ଯିବାକୁ ପଡିଥାଏ। ଗାଁରେ ୧୮ ଆଦିବାସୀ ପରିବାର ବସବାସ କରୁଛନ୍ତି। ଜନସଂଖ୍ୟା ପ୍ରାୟ ୭୦ହେବ। ‌ତେବେ ଗାଁରେ ମୌଳିକ ସୁବିଧା କହିଲେ କିଛି ନାହିଁ। ପିଇବା ପାଣି ଠାରୁ ଆରମ୍ଭ କରି ଶୌଚ ସକାଶେ ନିକଟସ୍ଥ ନଦୀ ଉପରେ ହିଁ ନିର୍ଭର କରୁଛନ୍ତି ଗ୍ରାମବାସୀ। ରାସ୍ତା ନଥିବାରୁ ଗାଁରେ ନଳକୂପ ଖନନ ଗାଡି ଏପର୍ଯ୍ୟନ୍ତ ପହଞ୍ଚି ପାରିନାହିଁ। ଯାହାଫଳରେ ଗାଁରେ ଗୋଟିଏ ବି ନଳକୂପ ନାହିଁ। କେହି ରୋଗରେ ପଡ଼ିଲେ ଖଟିଆରେ ବୋହି ଆଣିବା ହିଁ ଏକମାତ୍ର ବିକଳ୍ପ। ଆମ୍ବୁଲାନ୍‌ସ ପହଞ୍ଚି ପାରେନାହିଁ। ଏପରିକି ଗାଁରେ ଅଙ୍ଗନୱାଡି କେନ୍ଦ୍ର ଓ ପ୍ରାଥମିକ ବିଦ୍ୟାଳୟ ରହିଥିଲେ ମଧୢ ରାସ୍ତାଘାଟର ଅସୁବିଧା କାରଣରୁ ଶିକ୍ଷକ କିମ୍ବା ଅଙ୍ଗନୱାଡି କର୍ମୀଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି।

ବର୍ଷର ଅନ୍ୟ ଦିନରେ କୌଣିସି ପ୍ରକାର ଚଳାଇ ନେଉଥିଲେ ବି ବର୍ଷା ଦିନରେ ସମସ୍ୟା ଦୁଇ ଗୁଣ ବଢ଼ିଯାଏ। ବର୍ଷା ଆସିବା ମାତ୍ରେ ନଦୀର ପାଣି ବଢିଯାଏ। ଫଳରେ ଲୋକେ ଏକପ୍ରକାର ଜଳବନ୍ଦୀ ହୋଇଯାନ୍ତି। ପ୍ରାୟ ୪ରୁ ୫ ବର୍ଷ ତଳେ ବର୍ଷା ଦି‌େନ ଗୋଟିଏ ପରିବାରର ଦୁଇ ଜଣ ବାସନା ହିକକା ଓ ଜୁଲମେ ହିକକା ନଦୀରେ ଭାସିଯାଇ ମୃତ୍ୟୁବରଣ କରିଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ବସ୍ତ୍ରବନ୍ଧ ଦେଇ ଆସିବାକୁ ହେଲେ ଗୋଟିଏ ବଡ ନାଳ ଦେଇ ଆସିବାକୁ ପଡେ। ଏଠାରେ କଲଭର୍ଟଟିଏ ନିର୍ମାଣ କରିବା ପାଇଁ ଲୋକ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନକୁ ଗୁହାରି କରାଯାଇଥିଲେ ମଧୢ କେହି ମଧ୍ୟ କର୍ଣ୍ଣପାତ କରିନଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି।

ନିର୍ବାଚନ ସମୟରେ ଅନେକ ନେତା ଆସି ବିଭିନ୍ନ ପ୍ରତିଶ୍ରୁତି ଦେଇ ଚାଲିଯାଇଛନ୍ତି। କିନ୍ତୁ ଗାଁ ପାଇଁ ଏପର୍ଯ୍ୟନ୍ତ କଲଭର୍ଟ ଖଣ୍ତିଏ କିମ୍ବା ନଦୀରେ ପୋଲ ନିର୍ମାଣ ହୋଇପାରି ନାହିଁ। ତେଣୁ ବିଦ୍ୟୁତ ସଂଯୋଗ ପାଇଁ ଆସିଥିବା କିଛି ଖୁଣ୍ଟକୁ ନାଳ ଉପରେ ପକାଇ ଲୋକେ ଯାତାୟାତ କରୁଛନ୍ତି। ରାଜ୍ୟ ସରକାର ଗତ ମାସ ପ୍ରତ୍ୟକ ବ୍ଲକର ପଞ୍ଚାୟତ ଗୁଡିକର ବିକାଶ ପାଇଁ ଆମ ଗାଁ ଆମ ବିକାଶ ଯୋଜନାରେ କୋଟି କୋଟି ଟଙ୍କା ଅନୁଦାନ ଦେଇଛନ୍ତି। ଏହି ଅବହେଳିତ ଗାଁ ଉପରେ ପ୍ରଶାସନର ଦୃଷ୍ଟି ପଡ଼ିନାହିଁ। ଅଞ୍ଚଳର କିଛି କୁଜି ନେତାଙ୍କ କାରଣରୁ ଗାଁ ଅନୁଦାନ ମିଳୁନଥିବା ନେଇ ଗ୍ରାମବାସୀ ସନ୍ଦେହ ପ୍ରକାଶ କରିଛନ୍ତି। ଜିଲ୍ଲା ଓ ବ୍ଲକ ପ୍ରଶାସନ ଗାଁ ପ୍ରତି ନଜର ଦେବାକୁ ଅଭି ହିକକା, ଗାଙ୍ଗୁ ହିକକା, ଘାସି ମାଣ୍ତିଙ୍ଗା, ଈଶ୍ବର ଜାନିଙ୍କ ସହ ଅନ୍ୟମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର