ରାସ୍ତା, ଶିକ୍ଷା, ସ୍ୱାସ୍ଥ୍ୟ ଓ ପାନୀୟ ଜଳ ଆଦି ସାମାନ୍ୟତମ ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ରଣପୁର ବ୍ଲକ୍‌ର ଚିନ୍ତାମଣିପୁର ଗାଁ

ରାଜସୁନାଖଳା : ରଣପୁର ବ୍ଲକ୍ ନରେନ୍ଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ଚିନ୍ତାମଣିପୁର ଗାଁରେ ରାସ୍ତା, ଶିକ୍ଷା, ସ୍ବାସ୍ଥ୍ୟ ଓ ପାନୀୟ ଜଳ ଆଦି ସାମାନ୍ୟତମ ମୌଳିକ ସୁବିଧା ପହଞ୍ଚି ପାରିନଥିବା ଅଭିଯୋଗ ଆସିଛି। ରଣପୁର ବ୍ଲକ୍‌ଠାରୁ ମାତ୍ର ୭ କିଲୋମିଟର ଦୂରରେ ରହିଥିବା ଏହି ରାଜସ୍ବ ଗ୍ରାମ ଉପରେ ପ୍ରଶାସନର ଆଜି ପର୍ଯ୍ୟନ୍ତ ଦୃଷ୍ଟି ପଡ଼ି ନ ଥିବାରୁ ଗ୍ରାମବାସୀ ‌କ୍ଷୋଭ ପ୍ରକାଶ କରିଛନ୍ତି। ଫଳରେ ଦୀପ ତଳ ଅନ୍ଧାର ପରି ଏଠାକାର ଅଧିବାସୀ ସରକାରଙ୍କ ସମସ୍ତ ସୁବିଧା ସୁଯୋଗରୁ ବଞ୍ଚିତ ହୋଇଥିବା ଜଣାପଡ଼ିଛି। ରାଜ୍ୟ ଓ କେନ୍ଦ୍ର ସରକାର ଗ୍ରାମର ବିକାଶ ନିମନ୍ତେ ଡିଜିଟାଲ ଦୁନିଆର ସ୍ବପ୍ନ ଦେଖୁଥିବା ବେଳେ ଏହି ଗ୍ରାମରେ ବିକାଶର କୌଣସି ଚିହ୍ନ ବର୍ଣ୍ଣ ଦେଖିବାକୁ ମିଳୁନାହିଁ। ପାଦ ଚଲା ରାସ୍ତାରେ ଲୋକମାନେ ଆଜି ବି ଯିବାଆସିବା କରୁଛନ୍ତି। ବଣପାହାଡ଼ ଘେରା ଏହି ଗ୍ରାମରେ ପାଖାପାଖି ୨୦ ପରିବାର କେଉଁ ଅନାଦି କାଳରୁ ବସବାସ କରି ଆସୁଛନ୍ତି। ରାଜସୁନାଖଳା-ରଣପୁର ପୂର୍ତ୍ତ ବିଭାଗ ମୁଖ୍ୟ ରାସ୍ତା କଡ଼ରୁ ଜଙ୍ଗଲ ପାହାଡ଼ ଦେଇ ହିଂସ୍ର ବନ୍ୟଜନ୍ତୁଙ୍କ ଭୟରେ ବିପଦସଙ୍କୁଳ ଅବସ୍ଥାରେ ଗାଁକୁ ଯିବାକୁ ପଡ଼ିଥାଏ। ଛାତ୍ରଛାତ୍ରୀମାନେ ପାଠ ପଢ଼ିବାକୁ ହେଲେ ପ୍ରାୟ ୧ କିଲୋମିଟର ନଦୀ ନାଳ ଓ ବିଲ ହିଡ଼ ଡେଇଁ ଯାଇଥାନ୍ତି। ଏଠାରେ ଅଙ୍ଗନବାଡ଼ି କେନ୍ଦ୍ର ନ ଥିବାରୁ କୁନିକୁନି ପିଲାମାନେ ପାଠ ପଢ଼ିବାରୁ ବଞ୍ଚିତ ହୋଇ ରହିଛନ୍ତି। ପାଣି ପାଇଁ ପ୍ରଶାସନ ଏକ ନଳକୂପ ଖନନ କରିଥିଲେ ମଧ୍ୟ ତାହା ଅଚଳ ହୋଇ ପଡ଼ି ରହିଛି। ଫଳରେ ଗାଁ ଲୋକମାନେ ପୋଖରୀର ଦୂଷିତ ଜଳ ପିଇବାକୁ ବାଧ୍ୟ ହେଉଛନ୍ତି। ଗାଁର ଅଧିକାଂଶ ଲୋକ ପାନୀୟ ଜଳ ଅଭାବ ଯୋଗୁ ଅନେକ ପ୍ରକାର ଜଳଜନିତ ରୋଗରେ ଆକ୍ରାନ୍ତ ହୋଇଥାନ୍ତି। ରାତି ହେଲେ ରୋଗୀଙ୍କୁ ଡାକ୍ତରଖାନା ନେବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଗ୍ରାମକୁ ଆମ୍ବୁଲାନ୍ସ୍‌ ଆସି ପାରୁନଥିବାରୁ ରୋଗୀଙ୍କୁ ଖଟରେ ବୋହି ମୁଖ୍ୟ ରାସ୍ତାକୁ ଅଣାଯାଉଥିବା ଗ୍ରାମବାସୀମାନେ ଅଭିଯୋଗ ଆଣିଛନ୍ତି। ଗାଁର ସମସ୍ୟା ନେଇ ବାରମ୍ବାର ଖବର ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ ତୁରନ୍ତ ୯ ଲକ୍ଷ ୮୦ ହଜାର ଟଙ୍କା ଅନୁଦାନରେ ଗ୍ରାମ୍ୟ ରାସ୍ତା ନିର୍ମାଣ ପାଇଁ ବ୍ୟୟ ମଞ୍ଜୁରୀ କରାଯାଇଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ ଖର୍ଚ୍ଚ ନ ହୋଇ ପଡ଼ି ରହିଛି। ଗ୍ରାମବାସୀମାନେ ଏ ନେଇ ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ତାହାର କୌଣସି ସୁଫଳ ମିଳୁନାହିଁ। ତେଣୁ ନୟାଗଡ଼ ଜିଲ୍ଲାପାଳ ଓ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଏହି ଗ୍ରାମ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର