ରାଉରକେଲା: ସ୍ମାର୍ଟସିଟି ପରେ ଚକାଚକ ହୋଇଛି ରାଉରକେଲା ସହର। ଉଜ୍ଜ୍ବଳ ଏଲ୍ଇଡି ଆଲୁଅରେ ଝଲସୁଛି। ହେଲେ, ସହର ଉପକଣ୍ଠ ଗାଁ ଆଜି ବି ଅନ୍ଧାରରେ ରହିଛି। ବର୍ଷେ କି ଦୁଇ ବର୍ଷ ନୁହେଁ, ସ୍ବାଧୀନତାର ପରଠୁ ଡିବିରି ଆଲୁଅରେ ଉପକଣ୍ଠ ଗ୍ରାମବାସୀଙ୍କ ରାତି କଟୁଛି। ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳଠୁ ଆରମ୍ଭ କରି ରାଉରକେଲା ଓ ଲାଠିକଟା ତହସିଲଦାର ଅନେକବାର ଏସବୁ ଗାଁକୁ ଯାଇଛନ୍ତି। ଲୋକଙ୍କ ସମସ୍ୟା ବୁଲି ଦେଖିଛନ୍ତି। କେବଳ ଆଲୁଅ ନୁହେଁ, ମୌଳିକ ସେବା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଆଜି ପର୍ଯ୍ୟନ୍ତ କିନ୍ତୁ ଉପକଣ୍ଠ ଗାଁଗୁଡ଼ିକର ସ୍ଥିତି ଯେମିତିକୁ ସେମିତି। ଏହି ଉପକଣ୍ଠ ଗଁାଗୁଡ଼ିକ ହେଲା; ଝାରମୁଣ୍ଡା, ବିଜୁବନ୍ଧ, ରେଙ୍ଗାଡ଼ି ଓ କାଣ୍ଟେବସ୍ତି। ଚାରିଟି ଗାଁ ଓ ବସ୍ତିର ପ୍ରାୟ ଦେଢ଼ ହଜାରରୁ ଅଧିକ ଲୋକ ବାସ କରନ୍ତି। ପ୍ରଶାସନିକ ଅଧିକାରୀଙ୍କ ପାଦ ପଡ଼ିବା ପରେ ବିଜୁଳି ଆଲୁଅ ଦେଖିବାକୁ ଏଠାକାର ଲୋକମାନେ ଆଶା ବାନ୍ଧିଥିଲେ। ହେଲେ, ରାଜନେତାଙ୍କ ପରି ପ୍ରଶାସନିକ ଅଧିକାରୀମାନେ ମଧ୍ୟ ଦେଇଥିବା ପ୍ରତିଶ୍ରୁତିକୁ ସମ୍ପୂର୍ଣ୍ଣ ପାସୋରି ଯାଇଛନ୍ତି। ଫଳରେ, ପ୍ରତିଶ୍ରୁତି ଭିତରେ ଦୀର୍ଘ ୭୨ ବର୍ଷ ଧରି ସେମାନେ ଦୟନୀୟ ଜୀବନ ବିତାଉଛନ୍ତି। ସଞ୍ଜ ନଇଁଲେ ଡିବିରି ଆଲୁଅ ଏମାନଙ୍କ ପାଇଁ ଏକମାତ୍ର ସାହା ଭରସା ପାଲଟିଛି। ପିଲାଙ୍କ ପାଠପଢ଼ାଠାରୁ ଆରମ୍ଭ କରି ରାତିରେ ସମସ୍ତ କାମ ପର୍ଯ୍ୟନ୍ତ ଏହି ଡିବିରି ଆଲୁଅ ଭରସା ପାଲଟିଛି।
ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଗତ ୨୦୨୩ ଅଗଷ୍ଟ ୨୯ରେ ଅତିରିକ୍ତ ଜିଲ୍ଲାପାଳ ଡାକ୍ତର ଶୁଭଙ୍କର ମହାପାତ୍ର, ଆର୍ଏସ୍ପି, ବିଜୁଳି ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ରେଙ୍ଗାଡ଼ି, ଝାରମୁଣ୍ଡା ଓ କାଣ୍ଟେ ବସ୍ତିରେ ପହଞ୍ଚିଥିଲେ। ପିଲାମାନଙ୍କୁ ଶିକ୍ଷା ବ୍ୟବସ୍ଥା ଓ ଯୁବକମାନଙ୍କୁ ଗାଁର ମୌଳିକ ସମସ୍ୟାଗୁଡ଼ିକ ସମ୍ପର୍କରେ ପଚାରି ବୁଝିଥିଲେ। ବାରମ୍ବାର ଦାବି ସତ୍ତ୍ବେ ଏସବୁ ଗାଁକୁ କାହିଁକି ପଞ୍ଚାୟତରେ ସାମିଲ୍ କରାଯାଉ ନାହିଁ ବୋଲି ସେମାନେ ପ୍ରଶାସନିକ ଅଧିକାରୀଙ୍କୁ ପ୍ରଶ୍ନ କରିଥିଲେ। ମାସେ ଦୁଇ ମାସ ମଧ୍ୟରେ ପର୍ଯ୍ୟାୟକ୍ରମେ ବିଜୁଳି ଆଲୋକ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ହେଲେ, ଇତିମଧ୍ୟରେ ୫ ମାସ ବିତିଯାଇଥିଲେ ହେଁ, ଚାରି ବସ୍ତି ଓ ଗାଁରେ ଗୋଟିଏ ହେଲେ ବିଜୁଳି ଖୁଣ୍ଟ ପଡ଼ିନଥିବା ସେମାନେ ଅଭିଯୋଗ କରିଛନ୍ତି। ସବୁଠୁ ଆଶ୍ଚର୍ଯ୍ୟ କଥା, ଆର୍ଏସ୍ପି ପାଚେରିକୁ ଲାଗିଥିବା ବିଜୁବନ୍ଧ ବସ୍ତିବାସିନ୍ଦାଙ୍କୁ ମଧ୍ୟ ସମଦଶା ଭୋଗିବାକୁ ପଡୁଛି। କେବଳ ବିଜୁଳି ନୁହେଁ, ଗାଁକୁ ଭଲ ରାସ୍ତାଟିଏ ବି ନାହିଁ। ପାଇପ ପାଣି ଏମାନଙ୍କ ପାଇଁ ସାତ ସପନ ହୋଇଛି। ‘ଜିଲ୍ଲା ପ୍ରଶାସନକୁ ଥରେ ନୁହେଁ ଅନେକବାର ଦୁଃଖ ଜଣାଇଛୁ। ସବୁକିଛି ହୋଇଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ହେଲେ ଏଯାଏଁ କିଛି ହୋଇନାହିଁ,’ ବୋଲି କହିଛନ୍ତି ଝାରମୁଣ୍ଡାର ଅମ୍ରିତ ମିଞ୍ଜ, ମାଇକେଲ ମିଞ୍ଜ ଓ ରେଙ୍ଗାଡି ବସ୍ତିର ବୁଧୁରାମ ଖାଲ୍କୋ।